News18 Odia Digital
ପାରାଦୀପ: ବାତ୍ୟା ଅମ୍ଫନର ପ୍ରଭାବରେ ବନ୍ଦର ନଗରୀ ପାରାଦୀପରେ ଅନେକ ଲୋକଙ୍କ ଜୀବୀକା ଉପରେ ସଙ୍କଟ ଆସିଛି । ଅମ୍ଫନ ଯୋଗୁଁ ଏହି ଅଞ୍ଚଳରେ ବିଶେଷ କିଛି କ୍ଷତି ଘଟିନାହିଁ ସତ, କିନ୍ତୁ ଏହା ସମୁଦ୍ର କୂଳରେ ରହୁଥିବା ଷଣ୍ଢକୂଦ ବସ୍ତି ବାସିନ୍ଦା ଓ ସେମାନଙ୍କ ପାରମ୍ପରିକ ବେଉସା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି।
ବାତ୍ୟା ଅମ୍ପନରେ ସମୁଦ୍ର କୂଳରେ ଥିବା ଧୀବରମାନଙ୍କ ବସ୍ତିର ଅନେକ ଘର ଧରାଶାୟୀ ହୋଇଛି । କିଛି ଘରର ଚାଳ ଛପର ଉଡ଼ିଯାଇଥିବା ବେଳେ ଆଉ କିଛି ଘରର କାନ୍ଥ ଭାଙ୍ଗିଯିବାରୁ ତାହା ଭୁଶୁଡ଼ି ପଡ଼ିଛି । ବାତ୍ୟା ଛାଡ଼ି ଚାଲିଯିବା ପରେ ଏବେ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଏଠାକାର ଲୋକେ ଘରକୁ ଫେରିଛନ୍ତି ।
ଯେଉଁମାନଙ୍କ ଘର ବର୍ତ୍ତି ଯାଇଛି ସେମାନେ ତ ଆଶ୍ୱସ୍ତ ହୋଇଛନ୍ତି, କିନ୍ତୁ ଯେଉଁମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କ ଦୁର୍ଦ୍ଦଶା ବଢ଼ିଛି। କିଛି ଲୋକ ନିଜ ହାତରେ ଉଜୁଡ଼ି ଯାଇଥିବା ନିଜ ଘରକୁ ପୁଣି ଥରେ ଛିଡା କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ଆଉ କିଛି ଲୋକ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।

ନିଜ ଭଙ୍ଗା ଘରଆଡ଼େ ଦୁଃଖରେ ଯାଉଛନ୍ତି ଜଣେ ମହିଳା ।
‘‘ପୋଲିସ ବାଲା କହିବା ପରେ ମୁଁ ମୋ’ ପରିବାରର ସମସ୍ତଙ୍କୁ ନେଇ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇଥିଲି। ଆଜି ବସ୍ତିକୁ ଫେରିବା ପରେ ମୋ’ର ଭାଙ୍ଗି ଯାଇଥିବା ଘରକୁ ଦେଖି ବହୁତ କଷ୍ଟ ହେଲା । ଏବେ ଘରକୁ ପୁଣି ସଜାଡୁଛି । ପୂରା ଠିକ କରିବା ପାଇଁ କେତେ ଦିନ ଲାଗିବ ଜାଣିନି,’’ କହିଛନ୍ତି ଷଣ୍ଢକୂଦ ବସ୍ତି ବାସିନ୍ଦା ପି. ରାଜୁ ।
ଏହି ବାତ୍ୟା ପାରାଦ୍ୱୀପର ଧୀବରମାନଙ୍କ ଜୀବନ ଜୀବିକା ଉପରେ କଠୋର ଆଘାତ ଦେଇଛି । ପୂର୍ବରୁ ଏପ୍ରିଲ ୧୫ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ମୋଟର ଚାଳିତ ଡଙ୍ଗା ନେଇ ସମୁଦ୍ରରୁ ମାଛ ଧରିବା ପାଇଁ ବାରଣ କରିଥିଲା ପ୍ରଶାସନ। ଏହା ପରେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସୋଲ ଡଙ୍ଗା ସାହାଯ୍ୟରେ ସମୁଦ୍ରରୁ ମାଛ ଧରୁଥିଲେ ଏମାନେ ।
କିନ୍ତୁ ବାତ୍ୟା ଚାଲି ଯାଇଥିଲେ ମଧ୍ୟ ଶାନ୍ତ ହୋଇନାହିଁ ସମୁଦ୍ର । ଆଜି ବି ଉଚ୍ଚା ଉଚ୍ଚା ଲହଡ଼ି ଆସୁଛି । ଏହି ଭଳି ପରିସ୍ଥିତି ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରହିବ । ତେଣୁ ସମୁଦ୍ରକୁ ଯିବା ମଧ୍ୟ ସମ୍ଭବ ହେଉ ନ ଥିବାରୁ ପରିବାର ପ୍ରତିପୋଷଣ କିପରି କରିବେ ସେହି ଚିନ୍ତାରେ ଅଛନ୍ତି ଏହି ବସ୍ତିରେ ରହୁଥିବା ମତ୍ସ୍ୟଜୀବୀମାନେ । ବାତ୍ୟା ଯିବା ପରେ ଆଜି ଅନେକ ମତ୍ସ୍ୟଜୀବୀଙ୍କୁ ସୋଲ (ଥର୍ମକୁଲ) ଓ ପୁରୁଣା ସିମେଣ୍ଟ ଅଖା ସାହାଯ୍ୟରେ ଡଙ୍ଗା ତିଆରି କରୁଥିବା ଦେଖିବାକୁ ମିଳିଥିଲା ।

ଏକ ପରିବାର ନିଜ ଭାଙ୍ଗିଯାଇଥିବା ଘରକୁ ସଜାଡ଼ିବା ଆରମ୍ଭ କରିଛି ।
‘‘ପୂର୍ବରୁ ଲକଡ଼ାଉନ ଯୋଗୁଁ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇପାରୁ ନ ଥିଲୁ । ପରେ ଏପ୍ରିଲ ୧୫ ତାରିଖରୁ ସରକାର ମୋଟର ଡଙ୍ଗା ନେଇ ମାଛ ଧରିବାକୁ ମନା କରି ଦେବାରୁ ସୋଲ ଡଙ୍ଗା ରେ ମାଛ ଧରୁଥିଲୁ । କିନ୍ତୁ ବାତ୍ୟା ଯୋଗୁଁ ଏବେ ତାହା ବି ହୋଇ ପାରୁନାହିଁ । ଏବେ କେମିତି ପରିବାର ଚଳାଇବୁ ସେହି ଚିନ୍ତାରେ ଅଛୁ,’’ କହିଛନ୍ତି ଷଣ୍ଢକୂଦ ବାସିନ୍ଦା ତଥା ମତ୍ସ୍ୟଜୀବୀ କେ. ଚିନାୟ ।
ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି: ‘‘କ୍ଷତିଗ୍ରସ୍ତ ହୋଇଥିବା ପାରାଦୀପର ଷଣ୍ଢକୂଦ ବସ୍ତି ବାସିନ୍ଦାଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।’’
ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।