ସପରିବାରେ ସପିଂ କରିବା ସମୟ ଶେଷ? କଟକ ବାସିନ୍ଦାଙ୍କୁ କରୋନା ଶିଖାଇଲା ଜୀବନ ଜିଇଁବାର କଳା

କଟକରେ ଅଧିକାଂଶ ସୋ ରୁମରେ ଏକ ସମୟରେ ୫ ଜଣରୁ ଅଧିକ ଗ୍ରାହକଙ୍କୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ଫଳରେ ନିଜ ପାଳି ଆସିବା ପର୍ଯ୍ୟନ୍ତ ଦୋକାନ ଆଗରେ ଅପେକ୍ଷା କରୁଛନ୍ତି ଗ୍ରାହକମାନେ ।

ସପରିବାରେ ସପିଂ କରିବା ସମୟ ଶେଷ? କଟକ ବାସିନ୍ଦାଙ୍କୁ କରୋନା ଶିଖାଇଲା ଜୀବନ ଜିଇଁବାର କଳା
କଟକରେ ଏକ ସୋ ରୁମ୍ ବାହାରେ ନିଜ ପାଳିର ପ୍ରତୀକ୍ଷା କରୁଛନ୍ତି ଦୁଇ ଜଣ ମହିଳା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ଭାଇରସ୍‌ ସଙ୍କଟ ଓ ଲକଡାଉନ୍‌ କଟକଣା କଟକ ବାସିନ୍ଦାଙ୍କୁ ନୂଆ କରି ଜୀବନ ଜିଇଁବାର କଳା ଶିଖାଇ ଦେଇଛି । କଟକଣାଗୁଡିକୁ ପୂର୍ବରୁ ବେଖାତିର କରୁଥିବା ସହରବାସୀ ଏବେ ଏହାକୁ ପାଳନ କରିବା ନୁହେଁ ବରଂ ସମ୍ମାନ ଦେବା ମଧ୍ୟ ଶିଖିଲେଣି । ଫଳସ୍ୱରୂପ ଏବେ ବିଭିନ୍ନ ପ୍ରକାରର ସାମଗ୍ରୀ କିଣିବା ପାଇଁ ଦୋକାନ ଆଗରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲେ ମଧ୍ୟ ଏହା ଆଉ ଆଗ ଭଳି ସହରବାସୀଙ୍କୁ ବିବ୍ରତ କରୁନାହିଁ।

ବିଶେଷ କରି ଏବେ ଇଲେକ୍ଟୋନିକ୍ସ ଉପକରଣ ବିକ୍ରି ହେଉଥିବା ଦୋକାନ ଗୁଡିକରେ ଅଧିକ ଗ୍ରାହକଙ୍କୁ ଦେଖିବାକୁ ମିଳୁଛି। ଦୀର୍ଘ ଦିନ ପରେ ଏହି ସୋ ରୁମ ବା ଦୋକାନଗୁଡ଼ିକ ଖୋଲି ଥିବାରୁ ନିଜ ଆବଶ୍ୟକତା ମୁତାବକ ଉପକରଣ କିଣିବା ପାଇଁ ଲୋକେ ସେଠାକୁ ଧାଉଁଛନ୍ତି । ସୋ ରୁମଗୁଡ଼ିକରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବା ଓ ସ୍ୱଚ୍ଛତାକୁ ଗୁରୁତ୍ବ ଦିଆଯାଉଥିବା ଦେଖିବାକୁ ମିଳୁଛି । କିଛି କିଛି ସୋ ରୁମରେ ଗୋଟିଏ ସମୟରେ ପାଞ୍ଚରୁ ଅଧିକ ଗ୍ରାହକଙ୍କୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଫଳସ୍ୱରୂପ ଅନେକ ଗ୍ରାହକ ନିଜ ପାଳି ଆସିବା ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରୁଛନ୍ତି।

"ଘର ପାଇଁ ଗୋଟିଏ ଟିଭି ଦରକାର ହେବାରୁ ଟିଭି ଟିଏ କିଣିବା ପାଇଁ ସ୍ବାମୀଙ୍କ ସହ ଆସିଥିଲି। କିନ୍ତୁ ଗୋଟିଏ ଜିନିଷ କିଣିବା ପାଇଁ ମାତ୍ର ଜଣେ ଗ୍ରାହକଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଥିବାରୁ ପ୍ରଥମେ ମୁଁ ସୋ ରୁମ ଭିତରକୁ ଯାଇ ଟିଭି ବାଛିଲି, ମୋ ସ୍ୱାମୀ ବାହାରେ ରହିଲେ । ପରେ ମୁଁ ବାହାରକୁ ଆସିଲି ଆଉ ମୋ’ ସ୍ୱାମୀ କାଉଣ୍ଟରରେ ଟଙ୍କା ଡ଼ିପୋଜିଟ କରି ଟିଭି କିଣିକରି ଆଣିଲେ । ଏଥି ପାଇଁ ମୋତେ ଓ ମୋ’ ସ୍ୱାମୀଙ୍କୁ ପ୍ରାୟ ଗୋଟିଏ ଘଣ୍ଟା ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା । ଏହା ଟିକେ କଷ୍ଟଦାୟକ ଥିଲା, କିନ୍ତୁ କିଛି ଅସୁବିଧା ନାହିଁ। କରୋନା ଯୋଗୁଁ ଭବିଷ୍ୟତରେ ମଧ୍ୟ ଏହି ବ୍ୟବସ୍ଥା ଜାରି ରହିବ । ତେଣୁ ଏବେ ଠାରୁ ଏହାକୁ ସ୍ବୀକାର କରିନେବାକୁ ହେବ,’’ କହିଛନ୍ତି କଟକ ବାସିନ୍ଦା ମଞ୍ଜୁଲତା ଖଟୁଆ ।

କଟକରେ ଆଉ ଏକ ସୋ ରୁମ୍ ବାହାରେ ଅପେକ୍ଷା କରିଥିବା ଗ୍ରାହକମାନେ ।


ଲିଙ୍କ ରୋଡ଼ରେ ଥିବା ରାଜ ଇଲୋକ୍ଟୋନିକ୍ସର ପରିଚାଳକ ସଞ୍ଜୟ ମହାରାଣା କହିଛନ୍ତି ଇଲେକ୍ଟ୍ରୋନିକ୍ସ ଉପକରଣ କିଣିବା ପାଇଁ ପୂର୍ବ ଭଳି ଲୋକଙ୍କ ମଧ୍ୟରେ ଚାହିଦା କମ୍‌ ଦେଖାଯାଉଛି । ତେଣୁ କମ ସଂଖ୍ୟାରେ ଗ୍ରାହକ ମଧ୍ୟ ଆସୁଛନ୍ତି।

‘‘ଯେଉଁମାନେ ବି ଆସୁଛନ୍ତି ପୂର୍ବ ଭଳି ସମସ୍ତଙ୍କୁ ପ୍ରବେଶ କରିବାକୁ ଦିଆ ଯାଉନାହିଁ । ପ୍ରତି ଉପକରଣ ପିଛା ଜଣେ ଲେଖାଏଁ ଗ୍ରାହକ କରି ଗୋଟିଏ ସମୟରେ ମାତ୍ର ପାଞ୍ଚ ଜଣଙ୍କୁ ଭିତରକୁ ଛଡ଼ାଯାଉଛି । ଅନ୍ୟମାନଙ୍କୁ ବାହାରେ ଅପେକ୍ଷା କରିବାକୁ କୁହାଯାଉଛି । ଗ୍ରାହକମାନେ ମଧ୍ୟ ଆମ କଥା ରଖୁଛନ୍ତି । ଆମେ ମଧ୍ୟ ସରକାରୀ ନିର୍ଦ୍ଦେଶ ମାନିକରି ମାତ୍ର ୩୦% କର୍ମଚାରୀଙ୍କୁ ନେଇ କାମ କରୁଛୁ । ସନ୍ଧ୍ୟା ୬ ଟା ପୂର୍ବରୁ ସୋ ରୁମ ବନ୍ଦ କରି ଦେଉଛୁ,’’ ସେ କହିଛନ୍ତି ।

ପୂର୍ବରୁ କୌଣସି ସୌଖିନ କିମ୍ବା ଦାମୀ ଜିନିଷ କିଣିବା ପାଇଁ ପୂରା ପରିବାର ଲୋକ ଏକାଠି ହୋଇ ଦୋକାନକୁ ଯିବା ଏକ ପରମ୍ପରା ପାଲଟି ଯାଇଥିଲା । କିନ୍ତୁ ଏହି କରୋନା କାଳ ସେହି ପରମ୍ପରାର ଅନ୍ତ ଘଟାଇଥିବା ପରି ଲାଗୁଛି । ଏଣିକି ଆଗକୁ ମଧ୍ୟ ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷା କରି ସବୁ କିଛି କରିବାକୁ ହେବ ବୋଲି ଅନେକ ମତ ଦେଉଛନ୍ତି ।

ତେବେ ପୋଲିସ କିମ୍ବା ସିଏମସିର ଘନଘନ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହେଉ କିମ୍ବା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ଯୋଗୁଁ ହେଉ, ସାମାଜିକ ଦୂରତା ରକ୍ଷା କରିବାକୁ କଟକ ବାସିନ୍ଦାମାନେ ନିଜ ଅଭ୍ୟାସରେ ପରିଣତ କରିନେବା ସହରବାସୀଙ୍କ ପାଇଁ ଏକ ବଡ ଉପଲବ୍ଧି ବୋଲି କୁହାଯାଇପାରେ ।

ଏହା ବି ପଢ଼ନ୍ତୁ: ଚତୁର୍ଥ ପର୍ଯାୟର ଲକଡାଉନ୍ ଆଗ ଠାରୁ ଭିନ୍ନ ହେବ; ନୂଆ ନିୟମ ଲାଗୁ ହେବ: PM ମୋଦି

ଏହା ବି ପଢ଼ନ୍ତୁ: ‘ଆତ୍ମନିର୍ଭର ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ PM ମୋଦି
First published: May 12, 2020, 10:42 PM IST
corona virus btn
corona virus btn
Loading