ଦୁର୍ଗା ପୂଜା: ଶେଷ ହେଲା କଟକର ମୂର୍ତ୍ତି ଉଚ୍ଚତା ବିବାଦ; ମୂର୍ତ୍ତିରେ ଲାଗି ହେଲା ଖଡ଼ିରଙ୍ଗ

କଟକ ସହରରେ ମୋଟ ୧୬୯ଟି ପୂଜା ମଣ୍ଡପ ଥିବା ବେଳେ ସେମାନଙ୍କ ମଧ୍ୟରୁ ଏ ବର୍ଷ କରୋନା କାଳରେ କେବଳ ୨୧ଟି ମଣ୍ଡପରେ ମୂର୍ତ୍ତି ନିର୍ମାଣ ହୋଇଛି । ସେଥିରୁ ୧୪ଟି ମଣ୍ଡପରେ ୪ ଫୁଟ ଉଚ୍ଚତାର ମୂର୍ତ୍ତି ଓ ୭ଟିରେ ୭ ଫୁଟ ଉଚ୍ଚତାର ମୂର୍ତ୍ତି ତିଆରି ହୋଇଛି ।

ଦୁର୍ଗା ପୂଜା: ଶେଷ ହେଲା କଟକର ମୂର୍ତ୍ତି ଉଚ୍ଚତା ବିବାଦ; ମୂର୍ତ୍ତିରେ ଲାଗି ହେଲା ଖଡ଼ିରଙ୍ଗ
ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଲାଗି କରୁଛନ୍ତି ଜଣେ ମୂର୍ତ୍ତି କାରିଗର
  • News18 Odia
  • Last Updated: September 17, 2020, 11:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦୁର୍ଗା ମା'ଙ୍କ ମୃଣ୍ମୟୀ ମୂର୍ତ୍ତିର ଦୁଇମାଟିଆ କାର୍ଯ୍ୟ ଶେଷ ହେବା ପରେ ପବିତ୍ର ମହାଳୟା ବା ଖଡ଼ିଚଢା ଅମାବାସ୍ୟା ଦିନ ପରମ୍ପରା ତଥା ବିଦ୍ଧି ମୁତାବକ କଟକ ସହରରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକରେ ଖଡ଼ି ରଙ୍ଗ ଲାଗି କରାଯାଇଛି । ସେପ୍ଟେମ୍ବର ୧୮ରୁ ମଳମାସ ଆରମ୍ଭ ହେଉଥିବାରୁ ଅକ୍ଟୋବର ୧୭ ତାରିଖ ମଧ୍ୟରେ ମା’ଙ୍କ ମୃର୍ତ୍ତିରେ ଅନ୍ୟ କୌଣସି ପ୍ରସ୍ତୁତି କାର୍ଯ୍ୟ ହେବ ନାହିଁ । ମଳମାସ ଶେଷ ହେବା ପରେ ମା’ଙ୍କୁ ବସ୍ତ୍ର ଓ ଆଭୁଷଣ ଇତ୍ୟାତି ଲାଗି କରାଯିବ ।

‘‘ଯାହା ପରମ୍ପରା ରହିଛି ସେହି ଅନୁଯାୟୀ ଆମେ ମୂର୍ତ୍ତି ତିଆରି କରି ଖଡ଼ି ଲାଗି କଲୁ । ଏବେ ପୂରା ମାସକ ଯାକ କାମ ବନ୍ଦ ରହିବ । ମଳ ମାସ ଶେଷ ହେବା ପରେ ମାଙ୍କୁ ବସ୍ତ୍ର ପିନ୍ଧାଇବି । ଏ ବର୍ଷ ଟିକେ ଛୋଟ ମୂର୍ତ୍ତି ତିଆରି କରିଛୁ,’’ କହିଛନ୍ତି ଶେଖ ବଜାର ପୂଜାମଣ୍ଡପରେ ମା’ଙ୍କ ମୃର୍ତ୍ତି ତିଆରି କରୁଥିବା କାରୀଗର ପ୍ରଦୀପ ବେହେରା ।

ଏ ବର୍ଷ ଦୁର୍ଗା ପୂଜା ପାଇଁ ଯାହା ସରକାରଙ୍କ ନିର୍ଦ୍ଦେଶ ରହିଛି ସେ ସବୁକୁ ସଠିକ ଭାବେ ପାଳନ କରାଯିବ ବୋଲି କହିଛନ୍ତି ଶେଖବଜାର ପୂଜା କମଟିର ସମ୍ପାଦକ କିଶୋର ବେହୋରା । ‘‘ମା’ଙ୍କର ମୂର୍ତ୍ତିର ଆକାର କେବଳ ଛୋଟ ରହିଛି, ହେଲେ ପ୍ରତି ବର୍ଷ ପରି ଏ ବର୍ଷ ଯଥା ରୀତି ନୀତି ଅନୁସାରେ ପୂଜା କରାଯିବ । ଏ ବର୍ଷ ମା’ଙ୍କୁ ସୁନା ଅଳଙ୍କାର ବଦଳରେ ସୋଲରେ ତିଆରି ଅଳଙ୍କାର ପିନ୍ଧାଇବୁ । ସେଥିପାଇଁ ପୁରୀରୁ କାରିଗର ଆସିବେ । ବାକି ରହିଲା ପରଦା କଥା । ପୂଜା ପାଞ୍ଚ ଦିନ ଯାକ ମଣ୍ଡପରେ ପରଦା ରହିବ,’’ ସେ କହିଛନ୍ତି ।

ଶେଖ ବଜାର ପୂଜା ମଣ୍ଡପ


ଦୁର୍ଗା ମା’ଙ୍କ ମୃର୍ତ୍ତିର ଉଚ୍ଚତା ନେଇ ହାଇ କୋର୍ଟରେ ଚାଲିଥିବା ମାମଲାର ବୁଧବାର ଦିନ ପୂର୍ଣ୍ଣଛେଦ ପଡ଼ିଥିଲା । ଯେଉଁ ମଣ୍ଡପଗୁଡ଼ିକ ୭ ଫୁଟ ଉଚ୍ଚ ମୂର୍ତ୍ତି ତିଆରି କରିଛନ୍ତି ସେମାନେ ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା କଟକ ଡିସିପିଙ୍କୁ ଲିଖିତ ଭାବେ ଅବଗତ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ମୋଟ ୭ଟି ପୂଜା ମଣ୍ଡପ ୭ ଫୁଟ ଉଚ୍ଚତାର ମୂର୍ତ୍ତି କରିଥିବା ନେଇ ଡିସିପିଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । ସେହି ମଣ୍ଡପଗୁଡ଼ିକରେ ଆଜି ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଲାଗି କରାଯାଇଛି ।

କଟକ ସହରରେ ମୋଟ ୧୬୯ଟି ପୂଜା ମଣ୍ଡପ ଅଛନ୍ତି । ସେମାନଙ୍କ ମଧରୁ କେବଳ ୨୧ଟି ପୂଜା ମଣ୍ଡପରେ ଚଳିତ ବର୍ଷ ମୂର୍ତ୍ତି ନିର୍ମାଣ ହୋଇଛି । ସେମାନଙ୍କ ମଧ୍ୟରୁ ୧୪ଟି ମଣ୍ଡପରେ ୪ ଫୁଟ ଉଚ୍ଚତାର ମୂର୍ତ୍ତି ଓ ୭ଟି ମଣ୍ଡପରେ ୭ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ହୋଇଛି । କଟକ ଦୁର୍ଗା ପୂଜାରେ ଆସିଥିବା ଏହି ଭିନ୍ନତା କଷ୍ଟ ଦେଉଥିବା କହିଛନ୍ତି ଶାନ୍ତି କମିଟିର କର୍ମକର୍ତ୍ତାମାନେ ।

‘‘କଟକରେ ଦଶହରାରେ ପ୍ରତି ବର୍ଷ ଗୋଟିଏ ନିର୍ଦ୍ଧିଷ୍ଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା ପାଇଥାଏ । ଏଠି ଭିନ୍ନତା ନ ଥାଏ । କିନ୍ତୁ ଏ ଥର ତାହା ହେଲା ନାହିଁ । କେଉଁଠି ୭ ଫୁଟର ମୂର୍ତ୍ତି ତ କେଉଁଠି ୪ ଫୁଟର, ଆଉ କେଉଁଠି କେବଳ ଘଟ ପୂଜା ହେବ । ମୁଁ କିଛି ପୂଜା ମଣ୍ଡପର କର୍ମକର୍ତ୍ତାଙ୍କ ସହ କଥା ହେଉଥିଲି । ସେମାନେ ଖୁସି ନ ଥିବା କଥା କହିଛନ୍ତି । ବିଶେଷ କରି ଯେଉଁମାନେ ୭ ଫୁଟ ଉଚ୍ଚତାର ମୂର୍ତ୍ତି ତିଆରି କରିବାର ସୁଯୋଗ ପାଇଛନ୍ତି କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ ମଧ୍ୟ ସେମାନେ ହାରି ଯାଇଛନ୍ତି ବୋଲି କହୁଛନ୍ତି,’’ କହିଛନ୍ତି କଟକ ମହାନଗର ଶାନ୍ତି କମିଟର କାର୍ଯ୍ୟକାରୀ ସଭାପତି ତଥା ହାଇ କୋର୍ଟର ବରିଷ୍ଠ ଆଇନଜୀବୀ ବିଜୟ କୁମାର ଦାସ ।

କଟକ ମହାନଗର ଶାନ୍ତି କମିଟର କାର୍ଯ୍ୟକାରୀ ସଭାପତି ତଥା ହାଇ କୋର୍ଟର ବରିଷ୍ଠ ଆଇନଜୀବୀ ବିଜୟ କୁମାର ଦାସ


ରାଜ୍ୟର କୋଭିଡ ସ୍ଥିତିକୁ ଦେଖି ଏ ଥର ଦୁର୍ଗା ପୂଜା ଠାରୁ ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ ସାର୍ବଜନୀନ ପୂଜା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ଏକ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଥିଲେ । ୧୨ଟି ନିର୍ଦ୍ଦେଶ ଥିବା ଏହି ଗାଇଡଲାଇନରେ ମଣ୍ଡପରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରଖିବା, କେବଳ ୭ ଜଣ କର୍ମକର୍ତ୍ତା ମଣ୍ଡପରେ ଉପସ୍ଥିତ ରହିବା ଓ ମଣ୍ଡପରେ ଭିଡ଼ ନ କରିବା ଆଦି ନିର୍ଦ୍ଦେଶ ଥିଲା ।

ଏହା ବି ପଢ଼ନ୍ତୁ | ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ଏହା ବି ପଢ଼ନ୍ତୁ | କୃଷି ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ହରସିମରତ କୌର୍ ବାଦଲ ଇସ୍ତଫା ଦେଲେ

କିନ୍ତୁ ସେଥିରେ ମା’ଙ୍କ ମୃର୍ତ୍ତିର ଉଚ୍ଚତାକୁ ୪ ଫୁଟ ମଧ୍ୟରେ ସୀମିତ ରଖିବା ନେଇ ଥିବା ନିର୍ଦ୍ଦେଶକୁ ଗ୍ରହଣ କରି ପାରି ନ ଥିଲେ କଟକ ସହରର ପୂଜା କମଟିମାନେ । ଫଳସ୍ବରୂପ ମୂର୍ତ୍ତିର ଉଚ୍ଚତା ବୃଦ୍ଧି କରିବା ପାଇଁ ସେମାନେ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବୁଧବାର ଦିନ ପ୍ରାୟ ଅଢେଇ ଘଣ୍ଟା ଧରି ଏହି ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିଲା ।



ପୂଜା କମିଟିଗୁଡ଼ିକ ପକ୍ଷରୁ ୭ ଜଣ ଆଇନଜୀବୀ ନିଜ ନିଜର ପକ୍ଷ ରଖିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପକ୍ଷ ରଖିଥିଲେ । ସମସ୍ତଙ୍କୁ ଶୁଣିବା ପରେ କୋର୍ଟ ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା ଯେଉଁମାନେ ୭ ଫୁଟ ଉଚ୍ଚ ମୂର୍ତ୍ତି ତିଆରି କରି ସାରିଥିବା ନେଇ ଡିସିପିଙ୍କୁ ଲିଖିତ ଅବଗତ କରାଇବେ କେବଳ ସେମାନଙ୍କୁ ହିଁ ବଡ଼ ମୂର୍ତ୍ତି ପୂଜା କରିବା ପାଇଁ ଅନୁମତି ଦିଆଯିବ ବୋଲି କହିବା ସହ ମାମଲା ଅନ୍ତ ଘଟାଇଥିଲେ ହାଇ କୋର୍ଟ ।​
Published by: Anand Shankar Thankur Das
First published: September 17, 2020, 11:38 PM IST
corona virus btn
corona virus btn
Loading