କଟକ କର୍କଟ ଚିକିତ୍ସା କେନ୍ଦ୍ର କରୋନା ହଟ୍ ସ୍ପଟ୍ ହେଲା; କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଚିହ୍ନ

ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ କରୋନା ନିୟନ୍ତ୍ରଣ ବାହାରକୁ ଯିବା ପଛରେ ଚିକିତ୍ସା କେନ୍ଦ୍ରର କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଉଛି । ସମୟ ଥାଉ ଥାଉ ଏହାର ପ୍ରତିକାର ବ୍ୟବସ୍ଥା କରାଗଲା ନାହିଁ ବୋଲି ନର୍ସ ଓ ଅନ୍ୟ କର୍ମଚାରୀମାନେ କହିଛନ୍ତି ।

କଟକ କର୍କଟ ଚିକିତ୍ସା କେନ୍ଦ୍ର କରୋନା ହଟ୍ ସ୍ପଟ୍ ହେଲା; କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଚିହ୍ନ
କଟକରେ ଘରକୁ ଘର ସ୍ୱାସ୍ଥ୍ୟ ଯାଞ୍ଚ ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଚାର୍ଯ୍ୟ ହରିହର ଚିକିତ୍ସା କେନ୍ଦ୍ରରୁ କରୋନା ରୋଗୀ ଚିହ୍ନଟ ହେବା ଜାରି ରହିଛି । ସେଠାରୁ ପୁଣି ୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଆଚାର୍ଯ୍ୟ ହରିହର ଚିକିତ୍ସା କେନ୍ଦ୍ରରେ ଚିହ୍ନଟ ହୋଇଥିବା ମୋଟ କେରେନା ରୋଗୀ ସଂଖ୍ୟା ୧୧୧ରେ ପହଁଚିଛି ।

ଗତ ୧୨ ଦିନ ମଧ୍ୟରେ ରୋଗୀ, କର୍ମଚାରୀ ଓ ଡ଼ାକ୍ତରଙ୍କୁ ମିଶାଇ ପାଖା ପାଖି ୫୦୦ ଜଣଙ୍କ ସ୍ୱାବ ସଂଗୃହିତ ହୋଇ ସାରିଛି। ସେମାନଙ୍କ ଭିତରୁ ଏବେ ମହିଳା ୱାର୍ଡ ରେ ଭର୍ତ୍ତି ହୋଇଥିବା ପ୍ରାୟ ୧୫୦ ଜଣ କର୍କଟ ରୋଗୀ ଓ ସେମାନଙ୍କ ସ୍ୱାବ ରିପୋର୍ଟ ଆସିବା ବାକି ରହିଛି । ଫଳରେ ଆଗକୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଚିକିତ୍ସା କେନ୍ଦ୍ର କର୍ତ୍ତୃପକ୍ଷ।

ତେବେ କର୍କଟ କେନ୍ଦ୍ରରେ କରୋନା ନିୟନ୍ତ୍ରଣ ବାହାରକୁ ଯିବା ପଛରେ ଚିକିତ୍ସା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଅପାରଗତାକୁ ଦାୟୀ କରାଯାଉଛି। ସମୟ ଥାଉ ଥାଉ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ ବୋଲି କରୋନା ସଂକ୍ରମଣ ହସ୍ପିଟାଲ ସାରା ବ୍ୟାପି ଯାଇଛି ବୋଲି ଅଭିଯୋଗ କରିଛନ୍ତି ଖୋଦ ଚିକିତ୍ସା ଦାୟିତ୍ବରେ ଥିବା ନର୍ସ ଓ ଅନ୍ୟ କର୍ମଚାରୀମାନେ।

‘‘ଯେଉଁ ଦିନ ପ୍ରଥମ କରୋନା ରୋଗୀ ଚିହ୍ନଟ ହେଲେ ଯଦି ସେହି ଦିନ ସେହି ୱାର୍ଡ଼କୁ ସାନିଟାଇଜ କରାଯାଇଥାନ୍ତା, ସେହି ୱାର୍ଡ଼ରେ ଥିବା ଅନ୍ୟ ରୋଗୀଙ୍କ ସହିତ ସେମାନଙ୍କ ଅଟେଣ୍ଡାଣ୍ଟମାନଙ୍କୁ ଆଇସୋଲେସନରେ ରଖା ଯାଇଥାନ୍ତା ତା ହେଲେ ସଂକ୍ରମଣ ଏତେ ଅଧିକ ବ୍ୟାପି ନ ଥାନ୍ତା। ହେଲେ ସେମିତି କିଛି ବି କରାଗଲା ନାହିଁ। ବରଂ ଆମମାନଙ୍କୁ ପିପିଇ କିଟ ନ ଦେଇ ସେହି ୱାର୍ଡ଼ରେ ରୋଗୀ ସେବା କରିବାକୁ କୁହାଗଲା । ସେଥି ପାଇଁ ପୂରା ହସ୍ପିଟାଲରେ କରୋନା ମାଡ଼ି ଗଲା। ପଜିଟିଭ ଆସିଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ମୁଁ ବି ହୋମ କ୍ୱାରେଣ୍ଟିନରେ ଅଛି,’’ କହିଛନ୍ତି କର୍କଟ କେନ୍ଦ୍ରର ଜଣେ ନର୍ସ ସୁଜାତା ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ କର୍କଟ ଚିକିତ୍ସା କେନ୍ଦ୍ର କର୍ତ୍ତୃପକ୍ଷ ସହଯୋଗ କରୁ ନ ଥିବା ଅଭିଯୋଗ ହେଉଛି ।


କରୋନା ପଜିଟିଭମାନଙ୍କୁ କୋଭିଡ଼ ହସ୍ପିଟାଲକୁ ନେବା ପାଇଁ କର୍କଟ କେନ୍ଦ୍ରକୁ ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ଚିକିତ୍ସା କେନ୍ଦ୍ର କର୍ତ୍ତୃପକ୍ଷ ସହଯୋଗ କରୁ ନ ଥିବା ଅଭିଯୋଗ ହେଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଏହି ଅଭିଯୋଗ କରିଛନ୍ତି ।

ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ଜଣେ କର୍ମଚାରୀ କହିଛନ୍ତି: ‘‘ଆମେ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କୁ ଆଣିବାକୁ ଯାଉଥିବା ବେଳେ ନିଜ ଅଫିସରେ ଥାଇ ମଧ୍ୟ ସଂକ୍ରମିତଙ୍କୁ ଚିହ୍ନଟ କରାଇବା ତ ଦୂରର କଥା, ନିର୍ଦ୍ଦେଶକ ତାଙ୍କ ଅଫିସରେ ପିପିଇ କିଟ ପିନ୍ଧି ବସି ରହୁଛନ୍ତି । ଫୋନ କଲେ କାଟି ଦେଉଛନ୍ତି । ଭାରି ଅସୁବିଧା ହେଉଛି । ଏ ନେଇ ମୁଁ ଆମ ଉପସ୍ଥିତ ଅଧିକାରୀଙ୍କୁ ଜଣାଇଛି ।’’

‘‘ଏ ଭଳି ଅଭିଯୋଗ ଆସିଲେ ତା’ର ତଦନ୍ତ କାରଯିବ ଓ ଉପଯୁକ୍ତ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ।

ଏହାରି ଭିତରେ ସମସ୍ତ ସୀମା ଡ଼େଇଁ ଏବେ ସହରର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ ଚାଲିଛି କରୋନା ଭାଇରସ୍‌ । ପ୍ରଥମେ ସିଡିଏ, ତା’ ପରେ ଚାଉଳିଆଗଞ୍ଜ ଓ ମାଳିସାହିରେ ବହୁ ସଂଖ୍ୟାରେ କେରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ତାଲିକାରେ ଯୋଡ଼ି ହୋଇ ଯାଇଛି ମାଣିକଘୋଷ ବଜାର ଅଞ୍ଚଳ । ଏହି ସ୍ଥାନରେ ଥିବା ଗୋଟିଏ ଘରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମାଳିସାହିରେ ରହୁଥିବା ହାଇ କୋର୍ଟର ଜଣେ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସହକର୍ମୀଙ୍କୁ ଚିହ୍ନଟ କରାଯିବା ସହ କୋର୍ଟକୁ ସାନିଟାଇଜ କରାଯାଇଛି । ଏହା ସହ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ କୋର୍ଟକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲା ତଥା ସହରରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦେଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବ ସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ଓ ଲୋକେ ଅନଲାଇନରେ ସେମାନଙ୍କ ସେବା ପାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
Published by: Anand Shankar Thankur Das
First published: July 6, 2020, 1:11 AM IST
corona virus btn
corona virus btn
Loading