News18 Odia Digital
କଟକ: କଟକରେ କୋଭିଡର ଏକ ବିଚିତ୍ର ସ୍ଥିତି ଏବେ ସାମନାକୁ ଆସିଛି । ପୂର୍ବରୁ ଗ୍ରାମାଞ୍ଚଳରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ସହରରେ ମିଳୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ପୂରା ଜିଲ୍ଲାର ଆକ୍ରାନ୍ତ ସଂଖ୍ୟାକୁ ଟପିଯାଇଛି । ଜିଲ୍ଲା ଅପେକ୍ଷା ସହରରେ କୋଭିଡ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ୟ୍ଯଳୟରେ ଆୟୋଜିତ ଏକ ବୈଠକରେ ତିଆରି ହୋଇଛି ଆକ୍ସନ ପ୍ଲାନ ଓ କୋଭିଡ ମୃତ୍ୟୁକୁ ରୋକିବା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଛି ।
ରବିବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ମୁତାବକ କଟକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩୦ ଥିବା ବେଳେ ଆକ୍ଟିଭ କେସ ରହିଛି ୧,୧୬୩ ଏବଂ ମୃତ୍ୟୁ ସଂଖ୍ୟା ରହିଛି ୧୧ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା କଟକ ସହରରେ ୧,୪୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥବା ବେଳେ ଆକ୍ସଭ କେସ ଥିଲା ୭୭୩ ଏବଂ ମୃତ୍ୟୁ ସଂଖ୍ୟା ଥିଲା ୧୦ । ଅର୍ଥାତ ପୂରା ଜିଲ୍ଲା ତୁଳନାରେ କଟକ ସହରରେ ଉଭୟ ଆକ୍ଟିଭ କେସ ଓ ମୃତ୍ୟୁ ସଂଖ୍ୟାରେ ଢେର୍ ଅଧିକ ରହିଛି ।
ସହରରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ରୋକ ଲାଗାଇବା ପାଇଁ ଶନିବାର ଦିନ ପ୍ରସ୍ତୁତ ହୋଇଛି ଏକ ଆକ୍ସନ ପ୍ଲାନ । ଏହି ପ୍ଲାନ ମୁତାବକ ଅଶ୍ବୀନି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ ରୋଗୀମାନଙ୍କ ଅଣ-କୋଭିଡ ରୋଗର ଚିକିତ୍ସା ଉପରେ ଏବେ ଅଧିକ ଧ୍ୟାନ ଦିଆଯିବ । କୌଣସି ଅଣ-କୋଭିଡ ରୋଗରେ ଗୁରୁତର ଭାବେ ଅସୁସ୍ଥ ଥାଇ କୋଭିଡ ପଜିଟିଭ ହେଉଥିବା ରୋଗୀମାନଙ୍କ ଚିକିତ୍ସା ପାଇଁ ଏଣିକି ଏସସିବିର ବିଭିନ୍ନ ବିଭାଗର ଡାକ୍ତରଙ୍କୁ ନିୟୋଜିତ କରାଯିବ । ଜଣେ କୋଭିଡ ପେଜେଟିଭ ରୋଗୀ ଯେଉଁ ରୋଗରେ ପୀଡ଼ିତ ହୋଇଥିବେ ତାଙ୍କ ସେହି ରୋଗର ଚିକିତ୍ସା ଏସସିବିର ଡାକ୍ତରମାନଙ୍କ ଦ୍ବାରା କରାଯିବ । ଏହା ଦ୍ବାରା କୋଭିଡ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟାକୁ କମାଯାଇ ପାରିବ ବୋଲି ଲକ୍ଷ ରଖିଛି ପ୍ରଶାସନ ।

ସ୍ୱାସ୍ଥ୍ୟ ସର୍ଭେରେ ଲୋକଙ୍କ ଠାରେ ଥିବା ବିଭିନ୍ନ ରୋଗର ଲକ୍ଷଣ ବିଷୟରେ ତଥ୍ୟ ନିଆଯାଉଛି ।
‘‘ଅଶ୍ବିନୀ କୋଭିଡ ହସ୍ପିଟାଲ, ଏସସିବି ଓ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରର ଡାକ୍ତରମାନଙ୍କ ସହିତ ବି ପରାମର୍ଶ କରାଯାଇଛି । ସେଠାରେ କିଭଳି ଚିକିତ୍ସା କରାଯାଉଛି ଓ ଅଧିକ କ’ଣ ଆବଶ୍ୟକତା ରହିଛି ସେ ବିଷୟରେ ବି ଆଲୋଚନା ହୋଇଛି,’’ କହିଛନ୍ତି କଟକ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ କଲ୍ୟାଣ ବିଭାଗ ସଚିବ ସୌରଭ ଗର୍ଗ ।
ମାଲଗୋଦାମ ବେହେରା ସାହିର କଣ୍ଟେନମେଣ୍ଟ ଜୋନରେ କୋଭିଡ ନିୟନ୍ତ୍ରଣ ସିଏମସି ପାଇଁ ଏକ ଚାଲେଞ୍ଚ ଭଳି ହୋଇଛି । କଣ୍ଟେନମେଣ୍ଟ ଘୋଷଣା ହେବାର ୮ ଦିନ ମଧ୍ୟରେ ସେହି ଅଞ୍ଚଳରୁ ୨୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଅଞ୍ଚଳରେ ପ୍ରାୟ ୪,୦୦୦ ଲୋକ ବସବାସ କରୁଥିବା ବେଳେ ସେଠାରେ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ମଧ୍ୟ ସିଏମସିକୁ ଘାରିଛି । ଏହା ବ୍ୟତିତ ଏହି ବସ୍ତିଟି ମାଲଗୋଦାମକୁ ଲାଗି କରି ରହିଥିବାରୁ ରାଜ୍ୟର ଏହି ସର୍ବବୃହତ ତଥା ପୁରାତନ ବ୍ୟବସାୟୀକ ପ୍ରତିଷ୍ଠାନରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ।
ଏହାର ମୁକାବିଲା ପାଇଁ ଏକ ଦୁଇ ସୂତ୍ରୀ ଯୋଜନା ପ୍ରସ୍ତୁତ କରିଛି ସିଏମସି । ଏହି କ୍ରମରେ କଣ୍ଟେନମେଣ୍ଟ ଜୋନରେ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ଓ ଆଜି ଠାରୁ କଣ୍ଟେନମେଣ୍ଟ ଜୋନ ମଧ୍ୟରେ କ୍ୟାମ୍ପ କରି ଅଧିକରୁ ଅଧିକ ଲୋକଙ୍କର ଟେଷ୍ଟ ଆରମ୍ଭ ହୋଇଛି । ଏହା ସହ ମାଲଗୋଦାମ ଅଞ୍ଚଳରେ ଯେପରି ସଂକ୍ରମଣ ନ ବ୍ୟାପିବ ସେଥି ପାଇଁ ମାଲଗୋଦମକୁ ଆସୁଥିବା ପିଆଜ, ଆଳୁ ଓ ଖାଇବା ତେଲ ଗୁଡିକର ଲୋଡିଂ ଓ ଅନଲୋଡିଂ ଅନ୍ୟତ୍ର କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଲୋଡିଂ ଓ ଅନଲୋଡିଂ କାର୍ଯ୍ୟ ସହିତ ମାଲଗୋଦାମରେ କାମ କରୁଥିବା ପ୍ରାୟ ୨,୦୦୦ ଶ୍ରମିକ ଯେପତି ସଂକ୍ରମିତ ନ ହୁଅନ୍ତି ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି ।
ସେହି ଶ୍ରମିକମାନଙ୍କୁ ୪୦୦ ଓ ୫୦୦ କରି ବିଭିନ୍ନ ଗୃପରେ ବିଭକ୍ତ କରାଯିବ ଓ ସେମାନଙ୍କ ରହିବା ବ୍ୟବସ୍ଥା ସହିତ ମାଲଗୋଦାମକୁ ନେବା ଆଣିବା ମଧ୍ୟ କରିବ ପ୍ରଶାସନ । ପ୍ରତି ଗୋଷ୍ଠିରେ ଥିବା ଶ୍ରମିକମାନଙ୍କୁ ଗୋଟିଏ ସପ୍ତାହ ଧରି କାମରେ ଲଗାଇବା ପରେ ପର ସପ୍ତାହରେ ଅନ୍ୟ ଗୋଷ୍ଠିରେ ଶ୍ରମିକମାନଙ୍କୁ ବ୍ୟବହାର କରାଯିବ ।
ଏହା ବି ପଢ଼ନ୍ତୁ | ରାଜସ୍ଥାନରେ ଏକ ପାକିସ୍ତାନୀ ଶରଣାର୍ଥୀ ପରିବାରର ୧୧ ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହେଲାଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ‘‘ବେହେରାସାହି କଣ୍ଟେନମେଣ୍ଟ ଜୋନରେ ତ ଆମର ଟେଷ୍ଟିଂ କରାଯାଉଛି । କିନ୍ତୁ ଏବେ ଆମେ ସେଠାରେ କ୍ୟାମ୍ପ କରି ଅଧିକରୁ ଅଧିକ ଲୋକଙ୍କର ଟେଷ୍ଟ କରିବା ଆରମ୍ଭ କରିଛୁ । ଏହା ସହ ମାଲଗୋଦାମ ଅଞ୍ଚଳରେ ଯେପରି ସଂକ୍ରମଣ ନ ବ୍ୟାପୁ ସେଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି,’’ କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।
ଜିଲ୍ଲାପାଳଙ୍କ କାର୍ୟ୍ଯଳୟରେ ଅନୁଷ୍ଠିତ ଏହି ବୈଠକରେ କଟକ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ସହ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ସୌରଭ ଗର୍ଗଙ୍କ ସହିତ କଟକ ଜିଲ୍ଲାପାଳ, ସିଏମସି କମିଶନର, ପୋଲିସ କମିଶନର, ଏସସିବି ଏବଂ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର କତ୍ତୃପକ୍ଷ ମଧ୍ୟ ଯୋଗ ଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।