କରୋନା: ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ରୋଗୀ ସେବା ଠପ୍; ଫେରିଲେ ଶହ ଶହ ରୋଗୀ

ଛଅ ଦିନ ମଧ୍ୟରେ କର୍କଟ ଚିକିତ୍ସା କେନ୍ଦ୍ରରେ ୧୦ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଚିକିତ୍ସା କେନ୍ଦ୍ରର ପୂରା ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି। ପ୍ରାୟ ୧୫୦ ଜଣ କର୍କଟ ରୋଗୀଙ୍କ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ପଢ଼ନ୍ତୁ ପୂରା ଖବର ।

କରୋନା: ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ରୋଗୀ ସେବା ଠପ୍; ଫେରିଲେ ଶହ ଶହ ରୋଗୀ
କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସୋମବାର ଦିନ ୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଓଟି, ରେଡ଼ିଓଥେରାପି ଓ କେମୋଥେରାପି ଠାରୁ ଆରମ୍ଭ କରି ସମସ୍ତ ପରୀକ୍ଷା ନିରୀକ୍ଷାକୁ ବନ୍ଦ କରି ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଚିକିତ୍ସା ନ ପାଇ ଘରକୁ ଫେରୁଛନ୍ତି ଶହଶହ କର୍କଟ ରୋଗୀ ।

ଦୁଇ ଦିନ ତଳେ ହସ୍ପିଟାଲର ଦୁଇ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ ନୂଆ ରୋଗୀଙ୍କୁ ଭର୍ତ୍ତି କରିବା ଉପରେ ହସ୍ପିଟାଲ କର୍ତ୍ତୃପକ୍ଷ କଟକଣା ଜାରି କରିବାରୁ ଅନେକ ରୋଗୀଙ୍କୁ ଫେରିବାକୁ ପଡ଼ୁଥିଲା । କିନ୍ତୁ ଆଜି ସକାଳୁ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମଧ୍ୟ ଚିକିତ୍ସା ସେବା ମିଳିବା ବନ୍ଦ ହୋଇଯାଇଛି ।

‘‘ମୋ ବାପାଙ୍କୁ ମୁଖ ଗହ୍ବର କ୍ୟାନସର୍ ହୋଇଛି । ଅପରେନ ପାଇଁ ଆଜି ତାରିଖ ଦିଆଯାଇଥିଲା । ବାପାଙ୍କ ଚିକିତ୍ସା ପାଇଁ ଅନେକ ଆଶା ନେଇ ଏଠାକୁ ଆସିଥିଲି । ହେଲେ ଏଠି ପହଞ୍ଚିବା ପରେ ମୋତେ ଘରକୁ ଫେରି ଯିବା ପାଇଁ କୁହାଯାଉଛି । ରୋଗ ଯୋଗୁଁ ବାପା ବହୁତ କଷ୍ଟ ପାଉଛନ୍ତି । ମୁଁ ଏବେ କଣ କରିବି, ବାପାଙ୍କୁ ନେଇ କୁଆଡ଼େ ଯିବି ଜାଣି ପାରୁନାହିଁ,’’ କହିଛନ୍ତି ବରଗଡ଼ ଅତାବିରାରୁ ଆସିଥିବା ଜଣେ ଯୁବକ ।

ଚିକିତ୍ସା ଅଭାବରୁ ଫେରିଯାଇଥିବା ଦୁଇ ଜଣ ରୋଗୀ


ଛଅ ଦିନ ମଧ୍ୟରେ ଏଠାରେ ୧୦ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଚିକିତ୍ସା କେନ୍ଦ୍ରର ପୂରା ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଫଳରେ ଏଠାରେ ଥିବା ୯ଟି ବିଭାଗରେ ଚିକିତ୍ସିତ ହୋଉଥିବା ପ୍ରାୟ ୧୫୦ ଶହ ଜଣ କର୍କଟ ରୋଗୀଙ୍କ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହାରି ଭିତରେ ଗତ କାଲି ଗୋଟିଏ ଦିନରେ ୨୦୯ ଜଣଙ୍କ ସ୍ବାବ ସଂଗୃହିତ ହୋଇ ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରେ ଡ଼ାକ୍ତର, ପାରାମେଡ଼ିକାଲ ଷ୍ଟାଫ ଓ ରୋଗୀ ରହିଛନ୍ତି ।

ତେବେ କରୋନା ପାଇଁ କର୍କଟ ରୋଗୀଙ୍କ ଚିକିତ୍ସା ବନ୍ଦ କରାଇ ଦେବା କାର୍ଯ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅବସରପ୍ରାପ୍ତ ଡ଼ାକ୍ତର ତଥା ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ ଓଡ଼ିଶା ଶାଖାର ପୂର୍ବତନ ସଭାପତି ଡାକ୍ତର ଅନଙ୍ଗ ଦ୍ବିବେଦୀ ।

‘‘ରୋଗୀଙ୍କୁ ଚିକିତ୍ସା କରୁଥିବାରୁ କରୋନାରେ ଡ଼ାକ୍ତର ଓ ପାରାମେଡ଼ିକାଲ ଷ୍ଟାଫମାନେ କରୋନାରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ଅନେକ ସ୍ଥାନରେ ଡ଼ାକ୍ତରମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ତା ଅର୍ଥ ନୁହେଁ ଯେ କରୋନା ଭୟରେ କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ବନ୍ଦ କରିଦେବା । ମେଡ଼ିକାଲ କର୍ତ୍ତୃପକ୍ଷ ସମସ୍ତ ଡାକ୍ତର ଓ ପାରାମେଡ଼ିକାଲ କର୍ମଚାରୀଙ୍କୁ ପି.ପି.ଇ. କିଟ୍ ଦେଇ ସେମାନଙ୍କୁ ନେଇ ରୋଗୀ ସେବା ଜାରି ରଖିବା ଦରକାର,’’ କହିଛନ୍ତି ଡଃ ଦ୍ୱିବେଦୀ ।
First published: June 30, 2020, 6:00 PM IST
corona virus btn
corona virus btn
Loading