କଟକର ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଓ ବଡ଼ ମେଡିକାଲରେ ବଢ଼ିବ କୋଭିଡ ଟେଷ୍ଟିଂ

ଉଭୟ ହସ୍ପିଟାଲର ଓପିଡି ଓ ଇନଡୋରକୁ ଅଧିକ ସୁରକ୍ଷିତ କରିବା ଓ କଟକ ସହର ସମେତ ଜିଲ୍ଳାରେ ଲକଡାଉନ ନିୟମକୁ କଡ଼ାକଡ଼ିଭାବେ ପାଳନ କରିବା ଉପରେ ଆଲୋଚନା କରିଛନ୍ତି ବରିଷ୍ଠ ଅଧିକାରୀମାନେ ।

କଟକର ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଓ ବଡ଼ ମେଡିକାଲରେ ବଢ଼ିବ କୋଭିଡ ଟେଷ୍ଟିଂ
ଲକଡାଉନ ବେଳେ ପୋଲିସ ଚେକିଂ କଡ଼ାକଡ଼ି କରୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ପୁଣି ଥରେ ରୋଗୀ ସେବା ସ୍ବାଭାବିକ କରିବା ଓ ଏସସିବିରେ ଅଣ-କୋଭିଡ ରୋଗୀଙ୍କ ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଆଜି ପ୍ରାଶାସନିକ ସ୍ତରରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ଉଭୟ ହସ୍ପିଟାଲରେ ଆଣ୍ଟିଜେନ କିଟରେ ହେଉଥିବା କୋଭିଡ ଟେଷ୍ଟିଂ ସଂଖ୍ୟାକୁ ବଢ଼ାଯିବାକୁ ନିଷ୍ପତ୍ତି କରିଛନ୍ତି ରାଜ୍ୟ ସରକାର ।

ଆଜି କଟକ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହା ବ୍ୟତିତ ଉଭୟ ହସ୍ପିଟାଲର ଓପିଡି ଓ ଇନଡୋରକୁ ଅଧିକ ସୁରକ୍ଷିତ କରିବା, ସେଠାରେ ନିୟୋଜିତ ହୋଇଥିବା ଡାକ୍ତର, ପାରାମେଡ଼ିକାଲ ଷ୍ଟାଫ ଓ ସୁରକ୍ଷାକର୍ମୀଙ୍କ ମେଡ଼ିକାଲକୁ ଆସୁଥିବା ସଂକ୍ରମିତଙ୍କୁ ଘୃଣା ନ କରିବା କୋଭିଡ ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା ଥିବା ସମସ୍ତ ପ୍ରକାର ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା, ବିଡ଼ିଓ ମାନେ ନିଜ ନିଜ ବ୍ଲକ ରେ କୋଭିଡ ପରିଚାଳନା କମିଟି ଗଠନ କରିବା ଏବଂ ଜିଲ୍ଳାରେ ଲକଡାଉନ ନିୟମକୁ ସମ୍ପୂର୍ଣ୍ଣ କଡ଼ାକଡ଼ିଭାବେ ପାଳନ କରିବା ଉପରେ ଆଲୋଚନା ହୋଇଥିଲା ।

‘‘ମେଡ଼ିକାଲଗୁଡ଼ିକରେ କୋଭିଡ ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଏସ.ଓ.ପି. ତିଆରି କରାଯାଇଛି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସହିତ ଏସସିବିରେ ତାହାକୁ କିପରି ପାଳନ କରାଯାଉଛି ତାର ସମୀକ୍ଷା ହେଲା । ଏହା ବ୍ୟତୀତ ଅଧିକ ସଂଖ୍ୟକ କୋଭିଡ ଟେଷ୍ଟିଂ ଓ ଓପିଡ଼ି ସହିତ ଇଣ୍ଡୋରରେ ରୋଗୀ ଚିକିତ୍ସା ସେବାକୁ ସ୍ବଭାବିକ କରିବା ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି,’’ କହିଛନ୍ତି କଟକ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର


କଟକ ସହରରେ ଲକଡାଉନର ପ୍ରଥମ ଦିନର ବ୍ୟାପକ ପ୍ରଭାବ ଦେଖିବାକୁ ମଳିଥିଲା । ଦିନ ତମାମ ସହରର ରାସ୍ତାଘାଟରେ ଶୁନ ସାନ ଥିବା ବେଳେ ଚାରିଆଡେ ଥିଲା ପୋଲିସର ପହରା । ସକାଳୁ ସକାଳୁ କିଛି କିଛି ଲୋକଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିଲା । କିନ୍ତୁ ଦିନ ୯ଟା ପର ଠାରୁ ପୁରା ସହର ଠପ ହୋଇଯାଇଥିଲା । ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଥିବାରୁ ଠିକ ଗୋଟାଏ ପରେ ପୁରା ସହର ନର୍ଜନ ହୋଇଯାଇଥିଲା ।

ତେବେ ଲକଡାଉନ ଯୋଗୁଁ ବସ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଲକଡ଼ାଉନ ସମୟରେ ବସ ଚଳାଚଳକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ କାଁ ଭାଁ ଗୋଟିଏ ଦୁଇଟି ବସକୁ ଛାଡି ଦେଲେ ବାଦାମବାଡ଼ି ବସଷ୍ଟାଣ୍ଟରୁ ବସ ଚାଳଚଳ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ନା କେହି ଯାତ୍ରୀଙ୍କୁ ସେଠାରେ ଦେଖିବାକୁ ମିଳିଥିଲା ନା ଥିଲା ଯାତ୍ରୀବାହୀ ବସ । ଯେଉଁ କେତେଜଣ ଯାତ୍ରୀ ବି ଆସିଥିଲେ ସେମାନେ ବସ ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ସେପଟେ ଆଜି ଲକଡାଉନର ପ୍ରଥମ ଦିନର ଚିତ୍ରକୁ ଦେଖି ଅଟୋ ଚାଳକଙ୍କ ଚିନ୍ତା ବଢିଛି ।

"ମୁଁ ଭୁବନେଶ୍ବର ସମ୍‌ ହସ୍ସିଟାଲରେ କାମ କରେ । ସବୁ ଦିନ କଟକରୁ ଭୁବନେଶ୍ବରକୁ ବସରେ ଯାଏ । ଆଜି ବସ ଚାଲୁ ନ ଥିବାରୁ ଜଣେ ସହକର୍ମୀଙ୍କ ସହ ଯିବା ପାଇଁ ଅପେକ୍ଷା କରିଛି,’’ କହିଛନ୍ତି ବାଦାମବାଡ଼ି ବସଷ୍ଟାଣ୍ଡରେ ଛିଡା ହୋଇଥିବା କଟକ ବାସିନ୍ଦା ଜାହ୍ନବୀ ସ୍ବାଇଁ ।

‘‘ପାଞ୍ଚ ମାସ ହେଲା ବହୁତ ହାଇରାଣରେ ଚଳୁଛୁ । ବସ ଚାଲୁଥିବାରୁ କିଛି କିଛି ରୋଜଗାର ହେଉଥିଲା । ହେଲେ ଆଜିର ଅବସ୍ଥାକୁ ଦେଖି ଜୁଲାଇ ୩୧ ପର୍ଯ୍ୟନ୍ତ ମୁଁ ଯେ ଟଙ୍କାଟିଏ ବି ରୋଜଗାର କରିପାରିବି ନାଁ ତାହା ଜାଣି ସାରିଛି । ଏମିତି ହେଲେ ପରିବାର କେମିତି ଚଳିବ ଓ ଗାଡ଼ି ଲୋନ୍ କେମିତି ଶୁଝିବି ବୁଝିପାରୁ ନାହିଁ,’’ କହିଛନ୍ତି ବାଦାମବାଡ଼ି ବସଷ୍ଟାଣ୍ଡରେ ଯାତ୍ରୀ ପରିବହନ କରୁଥିବା ଅଟୋ ଚାଳକ ସତ୍ୟ ରଞ୍ଜନ ପଲେଇ ।

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି

ଆଜି ଲକଡାଉନର ପ୍ରଥମ ଦିନରୁ ହିଁ ସୁଦୂର ପ୍ରସାରୀ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ଭଳି ପ୍ରଭାବ ଜାରି ରହିବ ବୋଲି ଅନୁମାନ କରାଯାଉଛି ।
Published by: Anand Shankar Thankur Das
First published: July 18, 2020, 7:55 PM IST
corona virus btn
corona virus btn
Loading