ଓଡ଼ିଶାରେ ତ୍ଵରାନ୍ବିତ ହେଲା କୋଭିଡ଼ ଟିକାର ହ୍ୟୁମାନ ଟ୍ରାଏଲ; ଫେଜ୍ ୧ର ୨ୟ ଡୋଜର ପରୀକ୍ଷଣ ଆରମ୍ଭ ହେଲା

ଜୁଲାଇ ୨୨ରେ ଆରମ୍ଭ ହୋଇଥିଲା କୋଭିଡ ଟିକାର ହ୍ୟୁମାନ ଟ୍ରାଏଲ । କିଛି ହାତଗଣତି ପୂର୍ବ-ପଞ୍ଜିକୃତ ସ୍ବେଚ୍ଛାସେବୀଙ୍କ ଦେହରେ ଦିଆଯାଇଥିଲା ପ୍ରଥମ ଡୋଜ୍ । ଏହାକୁ ନେଇ ଆଶାବାଦୀ ଅଛନ୍ତି ବୈଜ୍ଞାନିକ ଓ ଡାକ୍ତରମାନେ ।

ଓଡ଼ିଶାରେ ତ୍ଵରାନ୍ବିତ ହେଲା କୋଭିଡ଼ ଟିକାର ହ୍ୟୁମାନ ଟ୍ରାଏଲ; ଫେଜ୍ ୧ର ୨ୟ ଡୋଜର ପରୀକ୍ଷଣ ଆରମ୍ଭ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 12, 2020, 5:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ଟିକାର ମାନବ ପରୀକ୍ଷଣର ପ୍ରାରମ୍ଭିକ ପର୍ଯ୍ୟାୟ ପରେ ଆରମ୍ଭ ହୋଇଛି ଦ୍ଵିତୀୟ ଡୋଜର ପରୀକ୍ଷଣ। ଅର୍ଥାତ ଫେଜ୍-୧ ରେ ଏହି ଦ୍ୱିତୀୟ ଡୋଜ୍ ପରୀକ୍ଷା କାର୍ଯ୍ୟରେ ପୂର୍ବରୁ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ଵିଶେଷଙ୍କ ଦେହରେ ଟୀକାର ଦ୍ଵିତୀୟ ଡୋଜ୍ ଦିଆଯାଇଛି ଓ ଏହାର ପ୍ରଭାବ କଣ ରହିବ ତାକୁ ଅନୁଶୀଳନ କରାଯାଉଛି। ଏହା ନିର୍ଦ୍ଦିଷ୍ଟ ଭାବେ କେତେ ଜଣ ସ୍ବେଚ୍ଛାସେବୀଙ୍କ ଦେହରେ ଦ୍ଵିତୀୟ ଡୋଜ ଦିଆଯାଇଛି ତାହା କୁହାଯାଇ ନଥିବା ବେଳେ ପ୍ରୟୋଗ ପରର ଅବସ୍ଥା ଭଲ ରହିଥିବା ସମ୍ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏକା ଥରକେ ଦେଶର ୧୨ଟି ସ୍ଥାନରେ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାର ସମ୍ ହସ୍ପିଟାଲ  ପରିସରରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକୁ ନେଇ ଆଶାବାଦୀ ଅଛନ୍ତି ବୈଜ୍ଞାନିକ ଓ ଡାକ୍ତର।

ସୂଚନା ଅନୁସାରେ ଗତ ମାସ ୨୦ ତାରିଖରେ ଏହି ଟିକାର ହ୍ୟୁମାନ ଟ୍ରାଏଲ ବା ମାନବ ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହେବା ଉଦ୍ଦେଶ୍ୟରେ ଭୁବନେଶ୍ୱରର ସମ୍ ହସ୍ପିଟାଲ ପରିସରରେ ଉଦଘାଟିତ ହୋଇଥିଲା ସ୍ବତନ୍ତ୍ର ଲ୍ୟାବ। ଏହାର ଦୁଇଦିନ ପରେ ଅର୍ଥାତ ଜୁଲାଇ ୨୨ ତାରିଖରେ ଆରମ୍ଭ ହୋଇଥିଲା ହ୍ୟୁମାନ ଟ୍ରାଏଲ। କିଛି ହାତଗଣତି ପୂର୍ବ ପଞ୍ଜିକୃତ ସ୍ବେଚ୍ଛାସେବୀଙ୍କ ଦେହରେ ଦିଆଯାଇଥିଲା ପ୍ରଥମ ଡୋଜ୍। ଏହି ଉଦ୍ୟମର ଠିକ୍ ୧୭ ଦିନ ପରେ ପୂର୍ବରୁ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତି ଵିଶେଷଙ୍କ ଦେହରେ ଟିକାର ଦ୍ଵିତୀୟ ଡୋଜ୍ ଦିଆଯାଇଛି ଓ ଏହାର ପ୍ରଭାବ କଣ ରହିବ ତାକୁ ଅନୁଶୀଳନ କରାଯାଉଛି। ଅତ୍ୟନ୍ତ ଯତ୍ନର ସହିତ ଏହି କାର୍ଯ୍ୟ କରାଯାଉଛି ଓ ସ୍ବେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ସମ୍ ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ପରୀକ୍ଷଣ କାର୍ଯ୍ୟରେ ନିୟୋଜିତ ଥିବା ଟିମର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଇପାରୀ ଭେଙ୍କଟ ରାଓ କହିଛନ୍ତି, “ମୋଟ ଚାରିଟି ପର୍ଯ୍ୟାୟରେ ଆରମ୍ଭ ହୋଇଛି ଏହି ଟ୍ରାଏଲ। ଏହି ଗୁଡିକ ହେଲା ଫେଜ୍ ୦, ଫେଜ୍ ୧, ୨ ଓ ଫେଜ୍ ୩ । ଫେଜ ୦ ହେଉଛି ଆନୁସଙ୍ଗିକ ପ୍ରସ୍ତୁତି ଯେଉଁ ଥିରେ ମଣିଷ ସହିତ ସାମଞ୍ଜସ୍ୟ ଥିବା ଜୀଵ ଉପରେ ଏହାର ସଫଳ ପ୍ରୟୋଗ ହୋଇ ସାରିଛି। ଫେଜ୍ ୧ ରେ  ୧୮ ରୁ ୫୫ବର୍ଷ ବୟସ୍କ ଲୋକଙ୍କ ଉପରେ ଟିକା ପ୍ରୟୋଗ କରାଯାଉଥିଲା ବେଳେ ଏହି ପ୍ରକ୍ରିୟାରୁ ଅସୁସ୍ଥ ଲୋକ ଯଥା ମଧୁମେହ ଓ ହୃଦ ସମସ୍ୟା ଥିବା ଲୋକଙ୍କୁ ବାଦ ଦିଆଯାଇଛି। ଏହି ଟ୍ରାଏଲର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ।’’ ତେବେ ଫେଜ୍ ୨ ଓ ଫେଜ୍ ୩ରେ ସାମାନ୍ୟ ଓ ଅଧିକ ଅସୁସ୍ଥ ଲୋକଙ୍କ ଉପରେ ଏହା ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଏହି ହ୍ୟୁମାନ ଟ୍ରାଏଲ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ବିଶେଷ ସୁଫଳ ମିଳିଥିବା ଟିମ ପକ୍ଷରୁ କୁହାଯାଇଛି । ସାରା ଦେଶରେ ୧୨ଟି ସ୍ଥାନରେ ହେଉଥିବା ଟ୍ରାଏଲର ଫେଜ୍ ୧ ରେ ମୋଟ ୩୭୫ ଓ ଫେଜ୍ ୨ ରେ ୬୭୫ ଟି ହ୍ୟୁମାନ ଟ୍ରାଏଲ କରାଯିବ। ଫେଜ୍ ୧ର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଫଳାଫଳ ଶୀଘ୍ର ଏକାସଙ୍ଗରେ ପ୍ରକାଶ କରାଯିବାର ପ୍ରସ୍ତାବ ରହିଛି। ଏହାପରେ ଆରମ୍ଭ ହୋଇପାରେ ଟିକାର ବିଧିବଦ୍ଧ ଫେଜ୍ ୨ ମାନବ ପରୀକ୍ଷଣ।

ଏହାର ପାରମ୍ଭିକ ସଫଳତା ଯୋଗୁଁ କୋଭିଡ଼ ଟିକାକୁ ନେଇ ଅନେକ ଆଶା ସଞ୍ଚାର ହୋଇଛି ବୋଲି ଉଭୟ ଡାକ୍ତର ଓ ବିଶେଷଜ୍ଞଙ୍କ ମତ ରଖିଛନ୍ତି। ''ସାରା ବିଶ୍ୱ ରୁଷିଆ ବିକଶିତ କୋଭିଡ ଟିକାର ସଫଳତାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛି । ଏହି କ୍ଷେତ୍ରରେ ମଧ୍ୟ ଭାରତ ଓ ଅନ୍ୟ ଦେଶ ମାନେ ନିଜର ପ୍ରୟାସ ଜାରି ରଖିଛନ୍ତି। କାରଣ ଦେଶରେ ସରକାରୀ ଓ ବେସରକାରୀ ଭାବେ ୨୮ ରୁ ଅଧିକ ପ୍ରକାର ଟିକାର ପରୀକ୍ଷା ନିରୀକ୍ଷା ଚାଲିଛି। ତେଣୁ ଓଡ଼ିଶାରେ  ବିକଶିତ ଟିକାକୁନେଇ ମୁଁ ଆଶାବାଦୀ," କହିଛନ୍ତି ବରିଷ୍ଠ ଡାକ୍ତର ମନୋଜ ସାହୁ।

ଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତ 

ଏହା ବି ପଢ଼ନ୍ତୁ | ଭାରତରେ ସାଧାରଣ ଲୋକଙ୍କ ପାଖରେ ପହଁଞ୍ଚିବ କରୋନା ଟିକା; NITI ଆୟୋଗ ଆରମ୍ଭ କଲା ମନ୍ଥନ

ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ମିଶ୍ର କହିଛନ୍ତି, "ଫେଜ୍ ୨ ଓ ଫେଜ୍ ୩ର ଟ୍ରାଏଲ ହେଉଛି ଅତ୍ୟନ୍ତ ଜଟିଳ ଓ ସମ୍ବେଦନଶୀଳ ପ୍ରକ୍ରିୟା । ତେଣୁ ଏହା ମଧ୍ୟ ସମୟ ସାପେକ୍ଷ। କିନ୍ତୁ ଏ କ୍ଷେତ୍ରରେ ଆମ ଦେଶକୁ ବି ଶୀଘ୍ର ସଫଳତା ମିଳିବ।’’



ସ୍ବେଚ୍ଛାସେବୀମାନେ ଅଧିକ ସଂଖ୍ୟାରେ ଏହି ହ୍ୟୁମାନ ଟ୍ରାଏଲରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛି ଏହି ଟିମ୍। ଏବେ ଅପେକ୍ଷା ଫେଜ୍ ୧ର ଚୂଡ଼ାନ୍ତ ଫଳାଫଳକୁ।
Published by: Jagdish Barik
First published: August 12, 2020, 4:11 PM IST
corona virus btn
corona virus btn
Loading