ରାଜ୍ୟରେ କାୟା ମେଲାଉଛି କରୋନା; ୧୦ ଟି ଜିଲ୍ଲାରେ ୫ ଏପ୍ରିଲରୁ ନାଇଟ୍ କର୍ଫ୍ୟୁ ଜାରି କଲେ ସରକାର

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ୫ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ।

ରାଜ୍ୟରେ କାୟା ମେଲାଉଛି କରୋନା; ୧୦ ଟି ଜିଲ୍ଲାରେ ୫ ଏପ୍ରିଲରୁ ନାଇଟ୍ କର୍ଫ୍ୟୁ ଜାରି କଲେ ସରକାର
୫ ଏପ୍ରିଲରୁ ନାଇଟ୍ କର୍ଫ୍ୟୁ ଜାରି କଲେ ସରକାର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦେଶରେ ଚାରିଆଡେ ଦେଖାଦେଇଛି । ଦେଶରେ ଦୈନିକ ସଂକ୍ରମଣ ୯୦ ହଜାର ଛୁଇଁବାକୁ ବସିଥିବା ବେଳେ ରାଜ୍ୟରେ ମଧ୍ୟ ନିୟମିତ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ପଡୋଶୀ ରାଜ୍ୟ ଛତିଶଗଡ଼ରେ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ଏହାର ସୀମାବର୍ତ୍ତୀ ଜିଲ୍ଲା ନୂଆପଡ଼ାରେ ମଧ୍ୟ ସ୍ଥିତି ବିଗିଡିବାକୁ ଲାଗିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଦିନ ୧୦ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି ।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଟୀକାକରଣ ବ୍ୟାପକ କରାଯାଉଥିବା ବେଳେ ନୂଆ ଷ୍ଟ୍ରେନ ଅଧିକ ଘାତକ ଥିବାରୁ ସରକାର ଓ ବିଶେଷଜ୍ଞ କୋଭିଡ ନିୟମ ପାଳନ ଉପରେ ଅଧିକ ଜୋର ଦେଇଛନ୍ତି । ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହେବା ଆରମ୍ଭ ହୋଇଛି । ଦୈନିକ ସଂକ୍ରମଣ ୫୦୦ ଛୁଇଁବାକୁ ବସିଲାଣି । ଗତ ୫ ଦିନ ହେବ ସଂକ୍ରମଣ ମାମଲା ଲାଗତାର ଭାବେ ବଢ଼ିବାରେ ଲାଗିଛି । ୩୦ ମାର୍ଚ୍ଚରେ ୨୧୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୧ ମାର୍ଚ୍ଚରେ ୨୯୭, ୧ ଏପ୍ରିଲରେ ୩୯୪, ୨ ଏପ୍ରିଲରେ ୪୬୧, ଆଜି ଅର୍ଥାତ ୪ ଏପ୍ରିଲରେ ୪୫୨ ନୂଆ ମାମଲା ଚିହ୍ନଟ ହୋଇଛି । ଏହି ୫ ଦିନର ତଥ୍ୟ ଦେଖିଲେ ନୂଆପଡ଼ା, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଅଧିକ ପ୍ରଭାବିତ ହୋଇଥିବା ଜଣାଅଡ଼ୁଛି । ୫ ଦିନରେ ମୋଟ ୧୮୨୨ ନୂଆ କେସ ଆସିଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବଧିକ ୨୭୪ ପଜିଟିଭ, ନୂଆପଡ଼ାରୁ ୨୫୭ ଓ ସୁନ୍ଦରଗଡ ରୁ ୨୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବିଶେଷକରି ଛତିଶଗଡ଼ ରାଜ୍ୟ ସୀମାବର୍ତ୍ତୀ ନୂଆପଡ଼ା ଜିଲ୍ଲାରେ ରହୁଥିବାରୁ ପ୍ରତ୍ୟହ ନୂଆ ମାମଲା ନୂଆ ଷ୍ଟ୍ରେନ ଆଶଙ୍କାକୁ ଦୃଢ଼ୀଭୁତ କରିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ୫ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ସରକାର । ଏହି ଜିଲ୍ଲାମାନଙ୍କରେ ରାତ୍ରି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବା ଓ ଏହି ସେବାରେ ନିୟୋଜିତ କର୍ମଚାରୀ ମେଡିସିନ ଦୋକାନ, ଶିଳ୍ପ କାର୍ଯ୍ୟକୁ ବାଦ ଦେଇ ଅନ୍ୟ ସେବା ବନ୍ଦ ରହିବ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୮ ଲକ୍ଷ ୬୬ ହଜାର ଟୀକାକରଣ ହୋଇଥିବା ବେଳେ ଏବେ ଦୈନିକ ୨ ଲକ୍ଷରୁ ଅଧିକ ଟୀକାକରଣ କରାଯାଉଛି । ଅଧିକ ସଂକ୍ରମିତ ଜିଲ୍ଲାକୁ ସରକାରଙ୍କ ତରଫରୁ ପ୍ରାଥମିକତା ଦିଆଯାଉଛି ।

"ବର୍ତ୍ତମାନ ଯେଉଁ ଷ୍ଟ୍ରେନ ଆସିଛି ତାହା ଅଧିକ ବେଗରେ ସଂକ୍ରମଣ କରୁଛି । ନୂଆପଡ଼ା ଯେହେତୁ ଛତିଶଗଡ଼ ସୀମାରେ ଅଛି ସେଠି ସଂକ୍ରମଣ ମାମଲା ବଢୁଛି । ନୂଆପଡ଼ା ପ୍ରଶାସନ ଏହି ନୂଆ ଷ୍ଟ୍ରେନ ନେଇ ସମୀକ୍ଷା କରୁଛନ୍ତି । ନୂଆପଡା ଜିଲ୍ଲାରେ କେତେ ଲୋକ ଟୀକା ନେଲାପରେ ସଂକ୍ରମିତ ହେଉଛନ୍ତି ସେ ନେଇ ଏକ ସର୍ଭେ କରାଯାଉଛି ।ଟୀକାକରଣକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଟୀକା ଯାହା ଅଛି, ଆଉ ୪ ଦିନ ଯିବ । ତେଣୁ କେନ୍ଦ୍ରକୁ ଅଧିକ ଟୀକା ଦେବା ପାଇଁ ପତ୍ର ଲେଖାଯାଇଛି । ଆଗାମୀ ୧୫ ଦିନ ପାଇଁ ଯେପରି ଟୀକାକରଣ ହୋଇପାରିବ ସେ ନେଇ ମଗାଯାଇଛି," କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

"ଦେଶରେ ଦ୍ଵିତୀୟ ଲହରୀ ସ୍ପର୍ଶ କରିସାରିଛି । ଦିଲ୍ଲୀ, ମହାରାଷ୍ଟ୍ର ଭଲି ରାଜ୍ୟର ଅବସ୍ଥା ଶୋଚନୀୟ ଥିବା ବେଳେ ଆମ ପଡୋଶୀ ରାଜ୍ୟ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକ ଅଧିକ ସମ୍ବେଦନଶୀଳ । ଶିକ୍ଷାଅନୁଷ୍ଠାନ ହଟସ୍ପଟ ପଲଟିଥିବା ବେଳେ ସଚେତନତା ବେଶ ଜରୁରୀ," କହିଛନ୍ତି ରାଜ୍ୟ ସରକାରଙ୍କ ବୈଷୟିକ ଉପଦେଷ୍ଟା ଜୟନ୍ତ ପଣ୍ଡା ।

ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ଥିଲେ ବି ନିୟମିତ ସଂକ୍ରମଣ ବୃଦ୍ଧି ପାଇବା ସରକାରଙ୍କୁ ଚିନ୍ତାରେ ପକାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସତର୍କ ହୋଇଛନ୍ତି ।

"ସରକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ସବୁ ହସ୍ପିଟାଲ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅକ୍ସିଜେନ, ବେଡ଼, ଆବଶ୍ୟକତା ଅନୁଯାୟୀ ମେଡ଼ିସିନ, ଭେଣ୍ଟିଲେଣ୍ଟର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଯେଉଁ ମାନେ ଆସିବେ ସେମାନଙ୍କର ସ୍କ୍ରିନିଂ କରାଯାଇ ଆଣ୍ଟିଜେନ ଟେଷ୍ଟ କରାଯିବ," କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

"ନୂଆ ଷ୍ଟ୍ରେନ ଓଡ଼ିଶାରେ ସ୍ପଷ୍ଟ ହୋଇନଥିଲେ ବି ମ୍ୟୁଟେସନ ଆଶଙ୍କା କରାଯାଉଛି । ଆଣ୍ଟିବଡି ଥିବା ବ୍ୟକ୍ତିଙ୍କୁ ବି ନୂଆ ଷ୍ଟ୍ରେନ ସଂକ୍ରମଣ କରିବାର କ୍ଷମତା ରଖୁଥିବାରୁ ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତା ହିଁ କୋଭିଡ ଦୂର କରିବାର ମୂଳମନ୍ତ୍ର," କହିଛନ୍ତି ସ୍ୱାସ୍ଥ୍ୟ ବିଶେଶଜ୍ଞ ନିରୋଜ ମିଶ୍ର କହିଛନ୍ତି ।

ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ପ୍ରତିକାର ମୂଳକ ପଦକ୍ଷେପ ସହ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି ସରକାର । ଅନ୍ୟପଟେ ଟୀକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରାଥମିକତା ଭିତ୍ତିରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ସରକାର ପ୍ରାଥମିକତା ଦେଇଛନ୍ତି ।
Published by: Jagdish Barik
First published: April 3, 2021, 6:36 PM IST