ସୁନ୍ଦରଗଡ଼ରେ ମନରେଗା କାମରେ ବ୍ୟାପକ ଦୁର୍ନୀତି; ଶ୍ରମିକଙ୍କର କିଛି ଲାଭ ହେଉନି

ନା ଅଛି ପ୍ରୋଜେକ୍ଟ ପିଲର, ନା କୌଣସି ସରକାରୀ ଅନୁମତି । ପ୍ରାଇଭେଟ ଜମିରେ ଜେସିବି ମେସିନ୍ ଦ୍ୱାରା ଚାଲିଛି ସରକାରୀ ଗାର୍ଡ଼ ୱାଲ୍ କାମ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ସୁନ୍ଦରଗଡ଼ରେ ମନରେଗା କାମରେ ବ୍ୟାପକ ଦୁର୍ନୀତି; ଶ୍ରମିକଙ୍କର କିଛି ଲାଭ ହେଉନି
ମନରେଗା ଯୋଜନାରେ ଚାଲିଥିଲା କାମ, କିନ୍ତୁ ଶ୍ରମିକ ବଦଳରେ ଲାଗିଥିଲା ଜେସିବି ମେସିନ ।
  • Share this:
  • Byline Facebook
  • Byline Twitter
  • Byline Linkedin
ସୁଜିତ କୁମାର ସା | News18 Odia Digital

ସୁନ୍ଦରଗଡ଼: କରୋନାକୁ ନେଇ ସାରା ଦେଶ ଲଢ଼ୁଥିବା ବେଳେ ଏହି ମହାମାରୀରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁଃଖ ଦୂର କରିବା ପାଇଁ ମନରେଗାରେ କାମ ଆରମ୍ଭ କରିବାକୁ ସରକାର ନିର୍ଦେଶ ଦେଲେ । ହେଲେ ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକରେ ମନରେଗା କାମରେ ଦେଖାଦେଇଛି ସାଙ୍ଘାତିକ ଅବହେଳା ।

ଏଠାରେ ନା ଅଛି ପ୍ରୋଜେକ୍ଟ ପିଲର, ନା କୌଣସି ସରକାରୀ ଅନୁମତି । ବିନା ଅନୁମତିରେ ପ୍ରାଇଭେଟ ଜମିରେ ଚାଲିଛି ସରକାରୀ ଗାର୍ଡ ୱାଲ କାମ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ସାଲେପାଲି ପଞ୍ଚାୟତର ସାଲେପାଲି ଗ୍ରାମରେ । ଖାତା ନମ୍ବର ୧୩୧ରେ ତିନି ଦିନ ଧରି କାମ ଚାଲିବା ପରେ ଜାଣିଥିଲେ ଜମି ମାଲିକ ।

‘‘ଅନ୍ୟ ଲୋକଙ୍କ ଠାରୁ ଜାଣିବା ପରେ କାମବନ୍ଦ କରିବା ପାଇଁ କହିଲୁ । ଆମକୁ ନ ପଚାରି ଆମ ପ୍ରାଇଭେଟ ଜମିରେ କାମ କରିବା ପାଇଁ କିଏ ଅନୁମତି ଦେଇଥିଲା ପ୍ରଶାସନ ତାହା ଜଣେଇବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଆମେ ଦାବୀ କରିଛୁ,’’ କହିଛନ୍ତି ଜମି ମାଲିକ ବନମାଳୀ ପଟେଲ ।

ଅନ୍ୟ ଜଣେ ଜମି ମାଲିକ କୁମରମଣି ପଟେଲ କହିଛନ୍ତି ଯେ ସଂପୃକ୍ତ ଏ.ଇ. ଓ ଜେ.ଇ.ଙ୍କୁ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ପ୍ରାଇଭେଟ ଜମିରେ ମନରେଗା କାମ ହେଉଥିବାର ସ୍ଵୀକାର କରିଛନ୍ତି ସଂପୃକ୍ତ ଜେ.ଇ. ‘ସେଠି ବାବୁ’ । ‘‘ଆମେ ସମସ୍ତେ ଫସିଯିବୁ’’ ବୋଲି ଫୋନ ମାଧ୍ୟମରେ ସଂପୃକ୍ତ ଏ.ଇ. ଅଶୋକ ନାୟକ କହିଥିଲେ ବୋଲି କହିଛନ୍ତି କୁମରମଣି ପଟେଲ ।

ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।


ମନରେଗା ଯୋଜନାରେ ଚାଲିଥିଲା କାମ, କିନ୍ତୁ କାମରେ ଶ୍ରମିକ ବଦଳରେ ଲାଗିଥିଲା ଜେସିବି ମେସିନ । ଶ୍ରମିକମାନଙ୍କୁ କାମ ଯୋଗେଇବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଶ୍ରମିକମାନେ ଉପକୃତ ହେଉଥିବା ନେଇ ଉଠିଛି ପ୍ରଶ୍ନ ।

ସବୁ ଠୁ ଆଶ୍ଚର୍ଯ୍ୟର କଥା ଯେ ବ୍ଲକରେ ହେଉଥିବା କାମର ତଦାରଖ କରିବା ପାଇଁ ସରପଞ୍ଚ, ଇଓ, ଜେଇ ଓ ଏଇଙ୍କ ଠାରୁ ନେଇ ବିଡ଼ିଓ ଅଛନ୍ତି । ତେବେ କେଉଁ ପରିସ୍ଥିତିରେ ସରକାରୀ କାମକୁ ବିନା ଜମି ମାଲିକଙ୍କ ଅନୁମତିରେ ପ୍ରାଇଭେଟ ଜମିରେ କରାଯାଉଥିଲା ତାହା ସୃଷ୍ଟି କରିଛି ସନ୍ଦେହ ।

ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ ସବୁ କଥା ଶୁଣି ଦୀର୍ଘ ନିଶ୍ଵାସ ନେଇ ଥିଲେ । ପ୍ରଶ୍ନର କୌଣସି ଉତ୍ତର ଦେଇପାରି ନ ଥିଲେ ସରପଞ୍ଚ ମକଳିନି ମାଝୀ । ଅପର ପକ୍ଷରେ ସ୍ଥାନୀୟ ସମିତି ସଭ୍ୟ ମନୋରଞ୍ଜନ ପଟେଲଙ୍କୁ ପଚାରିବାରୁ ସେ କହିଥିଲେ: ‘‘ମନରେଗା କାମ ହେବା କଥା, କିନ୍ତୁ ପ୍ରାଇଭେଟ ଜମିରେ କେମିତି ଏ କାମ କରାଯାଉଛି ତା’ର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ।’’

ବିନା ଅନୁମତିରେ ଓ ବିନା ପ୍ରୋଜେକ୍ଟ ପିଲର ଥାଇ ମନରେଗା କାମ ହେଉଥିବା ନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ପଚାରିବାରୁ ସେ କହିଥିଲେ: ‘‘ମୁଁ ଅତି ଶୀଘ୍ର ଏହାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବି ।’’ ତେବେ ଏହି ଦୁର୍ନୀତିରେ ପ୍ରଶାସନର ତଳ ଠୁ ଉପର ଯାଏଁ କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସାମନାକୁ ଆସିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
First published: May 8, 2020, 2:12 PM IST
corona virus btn
corona virus btn
Loading