News18 Odia Digital
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ଦୁଇ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୭୯ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩ ଟି ଜିଲ୍ଲାରୁ ୪୯୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୫,୩୯୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ଦୁଇ ଜଣ ମୃତକ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଥିଲେ । ସେମାନେ ୩୪ ଓ ୫୧ ବର୍ଷୀୟ ପୁରୁଷ ଥିଲେ । ୫୧ ବର୍ଷୀୟ ବ୍ୟକ୍ତି ମେଦବହୁଳତା ରୋଗରେ ପୀଡ଼ିତ ଥିଲେ । ୩୪ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତ ଚାପରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆଜିର ଏହି ଦୁଇ ମୃତକଙ୍କ ମିଶାଇ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି ।
ନୂଆ ଚିହ୍ନଟ ହୋଇଥିବା ୪୯୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ବାକି ୧୭୨ ଜଣ ସ୍ଥାନୀୟ ବାସିନ୍ଦା । ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ ରହିଛନ୍ତି । ଭଦ୍ରକରୁ ୭ ଜଣ, ବଲାଙ୍ଗିରରୁ ୩ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୩୮ ଜଣ, ଅନୁଗୁଳରୁ ଜଣେ ଓ ବାଲେଶ୍ୱରରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୫ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୬୪, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୯, ପୁରୀରୁ ୭, ରାୟଗଡ଼ାରୁ ୧, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪,୮୧୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୧୦,୪୭୬ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮,୦୯୬ଟି ସ୍ୟାମ୍ପଲ୍ ଟେଷ୍ଟ କରାଯାଇଛି ।
ରାଜ୍ୟରେ ଗତ ଦୁଇ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ଡବଲ୍ ହୋଇଛି । ଜୁଲାଇ ୧ରେ ରାଜ୍ୟରେ ୭,୩୧୬ ଜଣ ଆକ୍ରାନ୍ତ ଥିବା ବେଳେ ୧୫ ତାରିଖର ରିପୋର୍ଟ ସୁଦ୍ଧା ଏହି ସଂଖ୍ୟା ୧୫,୩୯୨ରେ ପହଞ୍ଚି ସାରିଛି । ମାନେ ଜୁଲାଇ ମାସ ଅଧା ସୁଦ୍ଧା ୮,୦୭୬ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରୁ ୬୦ ପ୍ରତିଶତ ଟପ୍ ପାଞ୍ଚଟି ଜିଲ୍ଲାରୁ ଅଛନ୍ତି । ତିନି ଜିଲ୍ଲାରୁ ପ୍ରାୟ ଅଧା ଆକ୍ରାନ୍ତ ବାହାରିନ୍ତି । କେବଳ ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୭,୫୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ଗଞ୍ଜାମ ଜିଲ୍ଲାରୁ ଏ ଯାଏଁ ୪,୮୬୭ ଜଣ ପଜିଟିଭ ଚିହ୍ନଟ ହେଲେଣି, ଯାହାକି ରାଜ୍ୟର ମୋଟ ଆକ୍ରାନ୍ତଙ୍କ ୩୦ ପ୍ରତିଶତରୁ ଅଧିକ । ଖୋର୍ଦ୍ଧା ଜିଲ୍ଲାରୁ ୧,୫୯୪ ଜଣ ଓ କଟକରୁ ୧,୧୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଟପ୍ ୫ରେ ଥିବା ଅନ୍ୟ ଦୁଇ ଜିଲ୍ଲା ଯାଜପୁର ଓ ସୁନ୍ଦରଗଡ଼ରୁ ଯଥା କ୍ରମେ ୯୩୪ ଓ ୭୫୦ ଜଣ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ହେଲେଣି । ଏହି ଟପ୍ ଫାଇଭ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୯,୨୫୯ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ଏହା ବି ପଢ଼ନ୍ତୁ:
ରିଲାଏନ୍ସ ଲଞ୍ଚ୍ କଲା Jio Glass; ଏହା ଆପଣଙ୍କୁ ଦେବ ସର୍ବୋତ୍ତମ ମିକ୍ସଡ଼ ରିଆଲିଟି ସେବା
ଏହା ବି ପଢ଼ନ୍ତୁ:
ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେ
ଦେଶରେ ରେକର୍ଡ ଭାଙ୍ଗିଛି କରୋନା ଭାଇରସ ସଂକ୍ରମଣ । ପ୍ରଥମ ଥର ପାଇଁ ଦିନକରେ ସର୍ବାଧିକ ୩୨,୦୦୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୨,୬୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଖି ବୁଜିଛନ୍ତି ଆଉ ୬୦୬ ରୋଗୀ । ଏହା ସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯,୬୮,୦୦୦ ପାର୍ ହୋଇଛି ଓ ମୃତ୍ୟୁ ସଂଖ୍ୟା ୨୪,୯୦୦ ଟପିଛି । ମହାରାଷ୍ଟ୍ରରେ ଲଗାତର ଭାବେ ସ୍ଥିତି ସଙ୍ଗୀନ ରହିଛି । ରାଜ୍ୟରେ ଆଉ ୨୩୩ ଜଣ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ୭,୯୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ସ୍ଥିତିରେ କିଛିଟା ସୁଧାର ହୋଇଥିବା ବେଳେ ତାମିଲନାଡୁ ଓ କର୍ଣ୍ଣଟକରେ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।