News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଭାଇରସ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୨୪୫ ଜଣ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।
ମୃତକ ଦୁଇ ଜଣ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଥିଲେ । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।
ଆଜିର ନୂଆ ୨୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୩୧ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ ଆକ୍ରାନ୍ତ ଅଛନ୍ତି । ଯାଜପୁରରୁ ୪୦, ଖୋର୍ଦ୍ଧାରୁ ୨୮, ବରଗଡ଼ରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୯, କେନ୍ଦ୍ରାପଡ଼ାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ, ଗଜପତି, କେନ୍ଦୁଝର ଓ ନବରଙ୍ଗପୁରରୁ ୭ ଜଣ ଲେଖାଏଁ ପଜିଟିଭ କେସ ସାମନାକୁ ଆସିଛି ।

ଓଡ଼ିଶାରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ସୁନ୍ଦରଗଡ଼ରୁ ୬ ଜଣ ଓ ମୟୂରଭଞ୍ଜରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଓ ଭଦ୍ରକରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ା, ରାୟଗଡ଼ା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆଜି ଆଉ ଦୁଇ ଜଣ ଅମ୍ଫନ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି । ଅମ୍ପନ ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମ ବଙ୍ଗ ଯାଇ ଫେରିଥିବା NDRF ଓ ODRAFର ଦୁଇ ଜଣ ଯବାନଙ୍କ ସ୍ବାବ ଟେଷ୍ଟ ପଜିଟିଭ ଆସିଛି ।
ଏହି ନୂଆ ଆକ୍ରାନ୍ତମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ବର୍ତ୍ତମାନ ସୁଦ୍ଧା ୪,୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୦୮୬ ବର୍ତ୍ତମାନ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।