News18 Odia Digital
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇ ଚାଲିଛି କରୋନା ଭାଇରସ୍ । ପ୍ରତି ଦିନ ୩୦୦ ଉପରେ ପଜିଟିଭ ଚିହ୍ନଟ ହେଉଛନ୍ତି। ବିଶେଷ କରି ହଟସ୍ପଟ ପାଲଟିଛି ଅଣବସ୍ତି ଅଞ୍ଚଳ। ତେଣୁ ଅଣବସ୍ତି ଅଞ୍ଚଳରେ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଏମସି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଅଣବସ୍ତି ଅଞ୍ଚଳରେ ଆରମ୍ଭ ହୋଇଛି ସର୍ଭେଇଲାନ୍ସ । ଘରକୁ ଘର ବୁଲି ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଛି।
ଦଶଟି ହଟସ୍ପଟ ଅଞ୍ଚଳରେ ଆରମ୍ଭ ହୋଇଛି ସର୍ଭେଇଲାନ୍ସ । ସେଥିରେ ରହିଛି ନର୍ଥ ଜୋନର ୨, ୧୯ ଓ ୧୩ ନମ୍ବର ୱାର୍ଡ଼; ସାଉଥୱେଷ୍ଟ ଜୋନର ୨୭, ୬୫ ଓ ୪୬ ୱାର୍ଡ; ଏବଂ ସାଉଥଇଷ୍ଟ ଜୋନର ୨୮, ୫୯, ୩୦ ଓ ୩୬ ନମ୍ବର ୱାର୍ଡ଼ । ଏହି ସବୁ ଅଞ୍ଚଳରେ ଗତ କିଛି ଦିନ ହେଲା ଲଗାତର ପଜିଟିଭ ସଂଖ୍ୟା ବଢ଼ି ଚାଲିଛି।
‘‘କରୋନା ଭାଇରସ ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ଓ ରୋକା ଯିବ ତାହା ଏହି ସର୍ଭେର ଲକ୍ଷ୍ୟ । ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଯାଉଛି । ସର୍ଭେ ଦ୍ୱାରା ଅଧିକ ରୋଗୀ ଚିହ୍ନଟ କରିବା ସହ ଖୁବ ଶୀଘ୍ର ସେମାନଙ୍କୁ ସୁସ୍ଥ କରିବାକୁ ଉଦ୍ୟମ ହେଉଛି,’’ କହିଛନ୍ତି କୋଭିଡ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ଏଏସଓ ପ୍ରୀତିରଞ୍ଜନ ଜେନା।

ୱାର୍ଡ଼ର ପ୍ରତି ଘରୁ ତଥ୍ୟ ସଂଗ୍ରହ କରୁଛି ଏହି ଟିମ ।
ଦଶଟି ୱାର୍ଡ଼ ପାଇଁ ୧୦ଟି ଟିମ ଗଠନ କରାଯାଇଛି। ପ୍ରତି ଟିମରେ ଶିକ୍ଷକ, କୋଭିଡ ସଚେତକ ଓ ସ୍ୱଚ୍ଛସାଥୀ ରହିଛନ୍ତି। ୱାର୍ଡ଼ର ପ୍ରତି ଘରୁ ତଥ୍ୟ ସଂଗ୍ରହ କରିବ ଏହି ଟିମ । ୧୪ ଦିନ ଧରି ଏହି ସର୍ଭେଇଲାନ୍ସ ଚାଲିବ। ‘‘ଘରକୁ ଘର ବୁଲି ପରିବାରର ମୁଖ୍ୟଙ୍କ ନାଁ, ଠିକଣା, ସଦସ୍ୟଙ୍କ ସଂଖ୍ୟା, ଲକ୍ଷଣ ଯଥା ଥଣ୍ଡା, ଜ୍ୱର, କାଶ ବା କୋଭିଡ଼ର ଅନ୍ୟ କିଛି ଲକ୍ଷଣ ଅଛି କି ନାହିଁ। ଗତ ୧୪ ଦିନ ଭିତରେ ବାହାରକୁ କୁଆଡ଼େ ଯାଇଛନ୍ତି କି ନାହିଁ ଆଦି ପ୍ରମୁଖ ତଥ୍ୟ ସଂଗ୍ରହ କରାଯାଉଛି । ଦିନକୁ ପ୍ରାୟ ୫୦ରୁ ୬୦ ଘରକୁ ଯାଇ ତଥ୍ୟ ସଂଗ୍ରହ କରୁଛୁ। ସନ୍ଧ୍ୟାରେ ୱାର୍ଡ଼ ଅଫିସରଙ୍କ ପାଖରେ ରିପୋର୍ଟ ଦାଖଲ କରୁଛୁ। କୌଣସି ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ ହେଲେ ତୁରନ୍ତ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଉଛି,’’ କହିଛନ୍ତି କୋଭିଡ ସଚେତିକା କଳ୍ପନା।
ବିଏମସିର ଏହି ପଦକ୍ଷେପକୁ ରାଜଧାନୀବାସୀ ସ୍ୱାଗତ କରିଛନ୍ତି। ସୂର୍ଯ୍ୟନଗର ବାସିନ୍ଦା ଶକୁନ୍ତଳା ପରିଡ଼ା କହିଛନ୍ତି, ‘‘ବର୍ତ୍ତମାନ ଯେଭଳି ଭାବେ ସଂକ୍ରମଣ ବଢୁଛି ଲୋକେ ନିଜେ ଯାଇ ଟେଷ୍ଟ କରିବା କଥା। ତା’ ଦ୍ୱାରା ସେମାନେ ସୁରକ୍ଷିତ ରହିବା ସହ ସେମାନଙ୍କ ପରିବାର ଓ ପଡ଼ୋଶୀ ସମସ୍ତେ ସୁରକ୍ଷିତ ରହିବେ। ତେଣୁ ବିଏମସିର ଏହି ସର୍ଭେ ଦ୍ୱାରା ରୋଗୀ ଚିହ୍ନଟ ହେବା ସହ ଶୀଘ୍ର ସୁସ୍ଥ ହୋଇପାରିବେ। ସଂକ୍ରମଣ ବ୍ୟାପିବା ଭୟ ବି କମିବ ।’’
ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEOଏହା ବି ପଢ଼ନ୍ତୁ | ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେଆଉ ଜଣେ ରାଜଧାନୀବାସୀ ଦାମୋଦର କଅଁର କହିଛନ୍ତି, ‘‘ଏତେ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେଉଛନ୍ତି ଜାଣି ଭୟ ଲାଗୁଛି । ଅନେକ ଲୋକ ସତର୍କ ଅଛନ୍ତି । ତଥାପି ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି। ତେଣୁ ଏଭଳି ସର୍ଭେ ଦ୍ୱାରା ରୋଗୀ ତ ଚିହ୍ନଟ ହେଇପାରିବେ, ଲୋକେ ବି ସତର୍କ ହେବେ ।’’
ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦୦ ଟପିଲାଣି । ଏବେ ୩,୫୦୦ରୁ ଅଧିକ ଆକ୍ଟିଭ କେସ ଅଛି । କେବଳ ଅଗଷ୍ଟ ମାସରେ ୬,୦୦୦ରୁ ଅଧିକ କରୋନା ପଜିଟିଭ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।