News18 Odia Digital
ଭୁବନେଶ୍ବର: କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ସଟ୍ ଡାଉନ ଆଜି ସନ୍ଧ୍ୟା ୮ଟାରେ ହଟିବ, ହେଲେ କୌଣସି ଅଞ୍ଚଳରେ ସଂକ୍ରମଣ ଆଶଙ୍କା ଥିଲେ ସ୍ଥାନୀୟ ପ୍ରଶାସନ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସିଲ୍ କରି ପାରିବେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ସଟଡାଉନ୍ ପିରିଅଡ଼ ହଟିବା ପରେ ଲୋକେ ମାର୍କେଟକୁ ଯାଇ ଭିଡ଼ ନ କରିବାକୁ ସେ ଆହ୍ବାନ ଦେଇଛନ୍ତି । ‘‘ରାଜ୍ୟରେ ଯଥେଷ୍ଟ ସାମଗ୍ରୀ ମହଜୁଦ ଅଛି । ତେଣୁ ବଜାରରେ ଭିଡ଼ କରି ଘରକୁ କରୋନା ଭାଇରସ୍ ଆଣନ୍ତୁ ନାହିଁ । ଲୋକେ ସାମାଜିକ ଦୂରତ୍ବ ବଜାୟ ରଖୁଛନ୍ତି କି ନାହିଁ ତାହା ନୀରିକ୍ଷଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଓ ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ତ୍ରିପାଠୀ ।
ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ କରୋନା ଭାଇରସ୍ ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟ ସରକାର ଶୁକ୍ରବାର ରାତି ୮ଟାରୁ ଆଜି ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଥିଲେ । ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ନାହିଁ ବୋଲି କହିଛନ୍ତି ମୁଖ୍ୟ ସଚିବ । ହେଲେ ଲୋକେ ଅସାବଧାନ ହେଲେ ସ୍ଥିତି ଖରାପ ହୋଇଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।

ସଟଡାଉନ୍ ସମୟରେ ଭୁବନେଶ୍ୱରର ଏକ ରାସ୍ତାର ଦୃଶ୍ୟ
ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ କୋଲକାତାରୁ ଆସିଥିଲେ । ସଂକ୍ରମଣର କାରଣ ଜାଣିବା ପାଇଁ ସଟଡାଉନ କରାଯାଇଥିଲା । ସଟଡାଉନ ପାଇଁ ଏହି ତିନିଟି ସହରର ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ସଚିବ ।
‘‘ଆଗାମୀ ସାତରୁ ଦଶ ଦିନ ମଧ୍ୟରେ ସଂକ୍ରମଣ ରୋକିବା ଉପରେ ଗୁରୁତ୍ବ ଦିଆଯିବ । ଲୋକଙ୍କ ସମର୍ଥନ ନ ମିଳିଲେ ଆଗକୁ ଆହୁରି କଠୋର ନିଷ୍ପତ୍ତି ନିଆଯିବ,’’ କହିଛନ୍ତି ମୁଖ୍ୟ ସଚିବ ।
କାଲି ଠୁ ଖୋଲିବ ଭୁବନେଶ୍ବରରେ ଦୋକାନ ବଜାରଭୁବନେଶ୍ବରରେ ଆଜି ରାତି ୮ଟାରେ ସଟଡାଉନ୍ ସରୁଛି, ହେଲେ ଲକଡାଉନ୍ ଅବଧି ପୂର୍ବ ପରି ଜାରି ରହିବ । କାଲି ଠୁ ଖୋଲିବ ରାଜଧାନୀର ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । ଏ ନେଇ ଏଜି ଛକରେ ପୋଲିସ ଓ ବ୍ୟବସାୟୀ ମହାସଙ୍ଘ ମଧ୍ୟରେ ଆଲୋଚନା ହୋଇଛି । କିପରି ମାର୍କେଟ ଖୋଲାଯିବ ତା’ର ରୂପରେଖ ସ୍ଥିର କରାଯାଇଛି ।
ରାଜ୍ୟ ବ୍ୟବସାୟୀ ଓ ଖୁଚୁରା ବ୍ୟବସାୟୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ବର ଡିସିପି । ନିଷ୍ପତ୍ତି ଅନୁସାରେ ଏକ ନମ୍ବର ପରିବା ମାର୍କେଟ ଏଜି ଛକରୁ ରାଜମହଲ ଛକ ମଧ୍ୟରେ ହେବ । ତା’ସହ ପୂର୍ବ ଭଳି ମଦର୍ ପବ୍ଲିକ ସ୍କୁଲ ପରିସରରେ ଖୋଲିବ ପରିବା ହାଟ । ୧୦ ଫୁଟ ଲମ୍ବା ଓ ୧୦ ଫୁଟ ଚଉଡ଼ା ରହିବ ଦୋକାନ।
ଭୁବନେଶ୍ୱରରେ ଏକ ନମ୍ବର ମାର୍କେଟ ଭିତରେ ରାସନ କିଣିବା ପାଇଁ ଗହଳି ହେଉଥିବାରୁ ବିଭିନ୍ନ ବସଷ୍ଟାଣ୍ଡରେ ଖୋଲିବ ରାସନ ଦୋକାନ। ରାଜ୍ୟ ବ୍ୟବସାୟୀ ମହାସଙ୍ଘର ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଆଉଟଲେଟ୍ ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସାମାଜିକ ଦୂରତା ଅବଲମ୍ବନ କରି ସଉଦା କିଣିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।