News18 Odia Digital
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଥିବାରୁ ଏହି ଜିଲ୍ଲାକୁ ରେଡ ଜୋନରେ ସାମିଲ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଭୁବନେଶ୍ବର ସହର ସହ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ରେଡ ଜୋନରେ ସାମିଲ କରାଯାଇଥିଲା । ଏବେ ଗଞ୍ଜାମ ଜିଲ୍ଲା ରେଡ ଜୋନ କ୍ୟାଟେଗୋରୀରରେ ସାମିଲ ହୋଇଛି ।
ଗଞ୍ଜାମ ଜିଲ୍ଲାରେ କ୍ରମାଗତ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଆଜି ଗୋଟିଏ ଦିନରେ ଏହି ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୧୭ ଆକ୍ରାନ୍ତ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ୁଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହା ସହ ପ୍ରଥମ ଥର ପାଇଁ ଜଗତସିଂହପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ କରୋନା ପଜିଟିଭ ବାହାରିବା ପରେ ଆଜି ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ଜୋନରେ ସାମିଲ କରାଯାଇଛି । ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୟୂରଜଞ୍ଜରେ ଆଜି ଚାରି ଜଣ ଓ ଗତ କାଲି ଜଗତସିଂହପୁର ଜିଲ୍ଲାରେ ଚାରି ଜଣ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ୧୨ଟି ଜିଲ୍ଲା ଅରେଞ୍ଜ ଏବଂ ୧୪ଟି ଜିଲା ଗ୍ରୀନ ଜୋନରେ ରହିଛି ।

ଟ୍ରେନରେ ସୁରତରୁ ଫେରି ଗଞ୍ଜାମରେ କ୍ୱାରାଣ୍ଟାଇନ୍ ସେଣ୍ଟରକୁ ଯାଉଛନ୍ତି ପ୍ରବାସୀ ଓଡ଼ିଆମାନେ ।
ଗଞ୍ଜାମ ଜିଲ୍ଲାରେ ଆଜି ଚିହ୍ନଟ ହେଇଥିବା ୧୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ ଯୋଗେ ସୁରତରୁ ଫେରିଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା । ସମସ୍ତେ କ୍ବାରେଣ୍ଟାଇନରେ ଥିବା ଜିଲ୍ଲାପାଳ କହିଛନ୍ତି । ଗଞ୍ଜାମର ସମସ୍ତ ପୁରୁଷ ଆକ୍ରାନ୍ତଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ । ଜଣେ ମହିଳା ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ ।
ଆଜି ମୟୂରଭଞ୍ଜ ରାଜ୍ୟର ୧୮ତମ ଜିଲ୍ଲା ଭାବେ କରୋନା ମ୍ୟାପରେ ଯୋଡ଼ି ହୋଇଛି । ମୟୂରଭଞ୍ଜରେ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ପୁରୁଷ ଓ ସେମାନେ ସୁରତ ଫେରନ୍ତା । ସେମାନଙ୍କ ବୟସ ୨୧, ୩୬ ଓ ୪୪ ବର୍ଷ ।
ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇ ଥିବା ତିନି ଜଣଙ୍କୁ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କୁ ସୁରଟରୁ ସିଧାସଳଖ ଆସିବା ପରେ କ୍ୱରେଣ୍ଟାଇନରେ ରଖା ଯାଇଥିବାରୁ ଭୟର ଆଶଙ୍କା ନାହିଁ ଓ ସମଗ୍ର ଜିଲ୍ଲା ଉପରେ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ ବିନିତ ଭରଦ୍ୱାଜ ସୂଚନା ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।