ଓଡ଼ିଶାରେ ବ୍ୟାପିଲା କରୋନା: ଗୋଟିଏ ଦିନରେ ୧୫ ପଜିଟିଭ୍; ମୋଟ ସଂକ୍ରମିତ ସଂଖ୍ୟା ୨୦ ହେଲା

କରୋନା ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି । ପଞ୍ଚମ ରୋଗୀଙ୍କ ସଂସ୍ପର୍ଶରେ ଆସି ଭୁବନେଶ୍ବର ସୂର୍ଯ୍ୟନଗରରେ ୭ ଆକ୍ରାନ୍ତ । ଭଦ୍ରକରେ ଆଉ ୨ ଜଣ ଓ କଟକ, ଯାଜପୁର ଓ ପୁରୀରେ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଓଡ଼ିଶାରେ ବ୍ୟାପିଲା କରୋନା: ଗୋଟିଏ ଦିନରେ ୧୫ ପଜିଟିଭ୍; ମୋଟ ସଂକ୍ରମିତ ସଂଖ୍ୟା ୨୦ ହେଲା
ଭୁବନେଶ୍ୱରର ସୂର୍ଯ୍ୟ ନଗରରେ ପୋଲିସ ମୂତୟନ ହୋଇଛନ୍ତି ।
  • News18 Odia
  • Last Updated: April 4, 2020, 10:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସର ବିସ୍ତାର ଦେଖିବାକୁ ମିଳିଛି ଓ ଗୋଟିଏ ଦିନରେ ୧୫ ଜଣ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ୨୦ ଛୁଇଁଛି । ନମୁନା ପରୀକ୍ଷଣ ଜାରୀ ଥିବାରୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ।

ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରି ଶୁକ୍ରବାର ସାମନାକୁ ଆସିଛି ୧୫ଟି ନୂଆ ମାମଲା । ସବୁ ଠୁ ଗୁରୁତ୍ବପୂର୍ଣ୍ଣ କଥା ଏହା ଯେ ଭୁବନେଶ୍ୱରର ସୂର୍ଯ୍ୟ ନଗରର ପଞ୍ଚମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କ ନମୁନା ପଜିଟିଭ୍ ଆସିଛି । ପ୍ରଦୀପ୍ତଙ୍କ ପତ୍ନୀ, ଝିଅ ଓ ଭଡ଼ାଟିଆଙ୍କ ରକ୍ତ ନମୁନା ପଜିଟିଭ୍ ଆସିଛି ।

ସେହି ପରି ଭୁବନେଶ୍ବର ବମିଖାଲରେ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ୩ ଜଣ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ସୂଚନା ମିଳିଛି । ଏମାନେ ଦିଲ୍ଲୀର ନିଜାମୁଦ୍ଦିନରେ ଏକ ଧାର୍ମିକ ସମାବେଶରେ ଯୋଗଦେଇଥିଲେ । ସେମାନଙ୍କ ପରିବାର ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏଥିସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଜାରି ରହିଛି । ବମିଖାଲର ସେହି ଅଞ୍ଚଳକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ ।

କଟକରେ ଗୁରୁବାର ଦିନ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । କଟକ ବକ୍ସିବଜାର ଅଞ୍ଚଳରୁ ଏହି ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ବି ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ତବଲିଗୀ ଜମାତରେ ଯୋଗଦେଇଥିଲେ । ଦିଲ୍ଲୀରୁ ଫେରିବା ପରେ ସେ ଘରେ ରହିଥିଲେ । କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ପ୍ରଥମେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କୁ ଅଶ୍ବିନୀ ହସପିଟାଲର କରୋନା ୱାର୍ଡରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ୱରରେ ସ୍ଥାପିତ ହସପିଟାଲର ଆଇ.ସି.ୟୁ.ର ଦୃଶ୍ୟ ।


ଭଦ୍ରକରେ ଆଉ ଦୁଇ ଜଣଙ୍କ ନମୁନା ପଜିଟିଭ୍ ଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଫଳରେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚଛି । କିଛି ଦିନ ପୂର୍ବରୁ ଦୁବାଇରୁ ଆସିଥିବା ଜଣେ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସେହିପରି ଯାଜପୁର ଓ ପୁରୀରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ମୋଟ ଉପରେ ଏବେ ରାଜ୍ୟରେ ୨୦ରେ ପହଞ୍ଚିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଅଶ୍ବିନୀ ହସପିଟାଲରେ ଏବେ ୪ ଜଣ ପଜିଟିଭଙ୍କର ଚିକିତ୍ସା ଚାଲିଛି । ଯାଜପୁରର ଆକ୍ରାନ୍ତଙ୍କୁ ଅଶ୍ବିନୀ ଅଣାଯାଉଛି । ଏଥି ସହ ତାଙ୍କ ପରିବାରକୁ କ୍ବାରେଣ୍ଟାଇନରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହାର ଯାଞ୍ଚ କରାଯାଉଛି ।

କଟକରେ କରୋନା ପ଼ିଟିଭ୍‌ ଚିହ୍ନଟ ହେବା ପରେ ଆକ୍ସନ ମୋଡକୁ ଆସିଛି କଟକ ପ୍ରଶାସନ । ଭୁବନେଶ୍ୱର ଓ ଭଦ୍ରକ ସହ ସମଗ୍ର କଟକ ସହରକୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ କରାଯାଇଛି । ଘରୁ ବାହାରିଲେ ଆକ୍ସନ ନିଆଯିବ ବୋଲି ଲୋକଙ୍କୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ୱରରେ ଏକାମ୍ର ସିନେମା ହଲ୍ ଠାରୁ ଝାରପଡ଼ା କେନାଲ ରୋଡ, ଝାରପଡ଼ା କେନାଲ ରୋଡରୁ ଝାରପଡ଼ା ଦୁର୍ଗା ପୂଜା ମଣ୍ଡପ, ଝାରପଡ଼ା ଦୁର୍ଗା ପୂଜା ମଣ୍ଡପରୁ କଟକ ପୁରୀ ରୋଡ଼ ଡିସିବି ବ୍ୟାଙ୍କ ଛକ ଓ ଡିସିବି ବ୍ୟାଙ୍କ ଛକରୁ ଏକାମ୍ର ସିନେମା ହଲ୍ ରାସ୍ତାକୁ ସିଲ୍ କରିଛି ପ୍ରଶାସନ । ଏହି ଅଞ୍ଚଳ ପାଇଁ ୩ ଜଣ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।

ପ୍ରଥମରୁ ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବା ବେଳେ ଗୋଟିଏ ଦିନରେ ୧୫ଟି ନମୁନା ପଜିଟିଭ୍ ଆସିବା ପରେ ଏହା ଚିନ୍ତାର କାରଣ ହୋଇଛି । ୨୦ କୋରୋନା ପଜିଟିଭଙ୍କ ମଧ୍ୟରୁ ଏତି ମଧ୍ୟରେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
First published: April 4, 2020, 10:43 AM IST
corona virus btn
corona virus btn
Loading