କରୋନା ଭାଇରସ: ଭାରତରେ ସଂକ୍ରମଣର ୩୦ଟି ମାମଲା ସାମ୍ନାକୁ ଆସିଲା; ସାରା ଦେଶରେ ସତର୍କତା

ଚ଼ୀନର ଉହାନରେ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଦ୍ବାରା ଏବେ ୬୦ରୁ ଅଧିକ ଦେଶ ପ୍ରଭାବିତ ହେଲେଣି । ଏ ଯାଏଁ ୩,୦୦୦ରୁ ଅଧିକ ଲୋକଙ୍କ ପ୍ରାଣ ଗଲାଣି । ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ପାଖାପାଖି ପହଞ୍ଚିଲାଣି । ଭାରତରେ ଏ ଯାଏଁ ୩୦ ଜଣ ଲୋକଙ୍କ ଦେହରେ କରୋନା ପଜିଟିଭ ମିଳିଛି ।

କରୋନା ଭାଇରସ: ଭାରତରେ ସଂକ୍ରମଣର ୩୦ଟି ମାମଲା ସାମ୍ନାକୁ ଆସିଲା; ସାରା ଦେଶରେ ସତର୍କତା
ହାଇଦ୍ରାବାଦର ଏକ ସରକାରୀ ସ୍କୁଲରେ ଗୁରୁବାର ମାସ୍କ ଲଗେଇଛନ୍ତି ଛାତ୍ରମାନେ । (ରଏଟର୍ସ୍‌)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ ଏ ପର୍ଯ୍ୟନ୍ତ କରୋନା ଭଆଇରସ ସଂକ୍ରମଣର ୩୦ଟି ମାମଲା ସାମନାକୁ ଆସିବା ପରେ ସାରା ଦେଶରେ ଅଭୂତପୂର୍ବ ସତର୍କତା ଅବଲମ୍ବନ କରାଯାଇଛି । ସରକାରୀ ଓ ବୋସରକାରୀ ସଂସ୍ଥାମାନଙ୍କ ସହିତ ସାଧାରଣ ଲୋକେ ବି କୋରୋନାକୁ ନେଇ ସତର୍କ ହୋଇଛନ୍ତି । କଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ କୋରୋନାର ପ୍ରଭାବରୁ ଦୂରେଇ ରହିବା ପାଇଁ ଆରମ୍ଭ ହୋଇଯାଇଛି ଜବରଦସ୍ତ ପ୍ରସ୍ତୁତି ।

ସରକାରଙ୍କ ନିର୍ଦ୍ଦେଶ ପରେ ସାରା ଦେଶରେ ହସ୍‌ପିଟାଲଗୁଡ଼ିକରେ ଖୋଲିଛି ଆଇସୋଲେସନ ୱାର୍ଡ । ବିଭିନ୍ନ ସ୍ଥାନରେ ପ୍ରସୁତ ରହିଛନ୍ତି ମେଡିକାଲ ଦଳମାନେ । ବିମାନ ବନ୍ଦର, ଜାହାଜ ବନ୍ଦର, ରେଳ ଶ୍ଟେସନ ଓ ବସ୍‌ ଷ୍ଟାଣ୍ଡରେ ସବୁ ସମ୍ଭାବିତ ଲୋକଙ୍କର ସ୍କ୍ରିନିଂ ବି ଚାଲିଛି । ଭୁବନେଶ୍ବରରେ ବିଭିନ୍ନ ହସ୍‌ପିଟାଲ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ।

ଦିଲ୍ଲୀରେ କରୋନା ଲାଗି ସତର୍କତାମୂଳକ ପଦକ୍ଷେପ ଭାବେ ସବୁ ସ୍କୁଲରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ସହରର ସମସ୍ତ ବାୟୋମେଟ୍ରିକ ମେସିନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ରସେଲ୍‌ସରେ ହେବାକୁ ଥିବା ଭାରତ-ୟୁରୋପୀୟ ୟୁନିୟନ ବୈଠକକୁ ଘୁଞ୍ଚାଇ ଦିଆଯାଇଛି । ଏଥି ଲାଗି ପ୍ରଧାନ ମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ବି ବାତିଲ କରି ଦିଆଯାଇଛି । ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକୁ ମଧ୍ୟ ଆଲର୍ଟ କରି ଦିଆଯାଇଛି । ଇରାନରେ ମଧ୍ୟ କୌଣସି ଭାରତୀୟ ଆକ୍ରାନ୍ତ ନ ଥିବା କଥା କହିଛନ୍ତି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ।

କରୋନା ଭାଇରସର ପ୍ରକୋପ ଯୋଗୁଁ ଚୀନରୁ ଭାରତକୁ ଆମଦାନୀ ପ୍ରଭାବିତ ହୋଇଛି । ସେଠାରୁ ଆସୁଥିବା ଔଷଧର ବିକଳ୍ପ ପ୍ରସ୍ତୁତି ଉପରେ ଗୁଜରାଟରେ ବିଶେଷ ଧ୍ୟାନ ଦିଆଯାଉଛି ।

ଦିଲ୍ଲୀର ଏକ ହସ୍ପିଟାଲରେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କୁ ବୁଧବାର ଆଇସୋଲେସନ୍‌ ୱାର୍ଡ଼କୁ ନିଆଯାଉଛି । (ପିଟିଆଇ)


ଚୀନର ଉହାନରେ ଆରମ୍ଭ ହୋଇଥିବା କରୋନା ଦ୍ବାରା ଏବେ ୬୦ରୁ ଅଧିକ ଦେଶ  ପ୍ରଭାବିତ ହେଲେଣି । ଏ ପର୍ଯ୍ୟନ୍ତ ୩,୦୦୦ରୁ ଅଧିକ ଲୋକଙ୍କ ପ୍ରାଣ ଗଲାଣି । ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ପାଖାପାଖି ପହଞ୍ଚିଲାଣି । ଭାରତରେ ଏ ଯାଏଁ ୩୦ ଜଣ ଲୋକଙ୍କ ଦେହରେ କରୋନା ପଜିଟିଭ ମିଳିଛି ।

ପରିସଂଖ୍ୟାନ କହୁଛି ଯେ ପ୍ରତି ହଜାରେ ସଂକ୍ରମିତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ବର ସମସ୍ତ ଦେଶ ଏହି ଭୂତାଣର ସଂକ୍ରମଣ ରୋକିବାକୁ ବିଶେଷ ଧ୍ୟାନ ଦେଉଛନ୍ତି । ଏହା ଭିତରେ ଲୋକଙ୍କୁ ସର୍ବସାଧାରଣ ସ୍ଥାନ, ଜନଗହଳି ଓ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି । ତା’ଛଡା ପରିସ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ଦେବା, ଜ୍ବର, ଥଣ୍ଡା ଆଦିକୁ ଅଣଦେଖା ନ କରିବାକୁ କୁହାଯାଇଛି । କୌଣସି ପ୍ରକାର ସନ୍ଦେହ ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କରିବାକୁ କୁହାଯାଇଛି ।

କରୋନା ଭାଇରସରୁ ମୁକ୍ତି ପାଇବା ଲାଗି ବିଭିନ୍ନ ସ୍ଥାନରେ ଲୋକେ ଭଗବାନଙ୍କୁ ପ୍ରାର୍ଥନା ଆରମ୍ଭ କରିଛନ୍ତି । ଅଯୋଧ୍ୟାରେ ଏଥି ଲାଗି ଆରମ୍ଭ କରାଯାଇଛି ବିଶେଷ ଯଜ୍ଞ ଅନୁଷ୍ଠାନ । ଲୋକେ ହବନ କରିବା ସହ ଆହୂତି ଦେଇ କରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ସେପଟେ ହାଇଦ୍ରାବାଦରେ ଚିରକୁର ବାଲାଜୀ ମନ୍ଦିରରେ ମଧ୍ୟ ବିଶେଷ ପୂଜାର୍ଚ୍ଚନା କରାଯାଇଛି । ଲୋକେ ଏଥି ଲାଗି ମାନସିକ ମଧ୍ୟ ରଖୁଛନ୍ତି ।

ରାଜସ୍ଥାନର ଝୁଞ୍ଝୁନୁରେ ସବୁ ହୋଟେଲଗୁଡ଼ିକୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେଠାରେ ରହୁଥିବା ବିଦେଶୀ ପର୍ଯ୍ୟଟକ ଓ ଷ୍ଟାଫ୍‌ମାନଙ୍କର ସ୍କ୍ରିନିଂ କରାଯାଇଛି । ଜୟସଲମେରରେ ବି ପ୍ରଶାସନ ସତର୍କ ଅଛି । ସେଠାରେ ସର୍ବାସାଧାରଣ ସ୍ଥାନ ଓ ହୋଟେଲ ମାଲିକମାନଙ୍କୁ ଡାକି ଏ ସମ୍ପର୍କରେ ଆବଶ୍ୟକୀୟ ଟିପ୍‌ସ ଦିଆଯାଇଛି ।

କର୍ଣ୍ଣାଟକର କଲବୁର୍ଗୀରେ ଆଇସୋଲେସନ ୱାର୍ଡ ସହ ପ୍ରସ୍ତୁତ ରହିଛନ୍ତି ମେଡିକାଲ ଟିମ୍‌ । ବେଙ୍ଗାଳୁରୁରେ ସଡ଼କ ପରିବହନ ବିଭାଗ ସବୁ ବସରେ ପରିସ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀ ନିକଟବର୍ତ୍ତୀ ନୋଏଡାରେ ମାସ୍କ ଓ ସାନିଟାଇଜର କିଣିବା ଲାଗି ଲୋକେ ମେଡିକାଲ ଦୋକାନରେ ଭିଡ଼ ଜମାଉଛନ୍ତି । ଗାଜିଆବାଦରେ ମଧ୍ୟ ମାସ୍କ ଓ ସାନିଟାଇଜରର ଦାମ୍‌ ଅହେତୁକ ଭାବେ ବୃଦ୍ଧି ପାଇଛି । ଦିଲ୍ଲୀରେ N-95 ମାସ୍କର ଚାହିଦା ବଢ଼ିଛି । ଲୋକେ ସତର୍କତା ବଜାୟ ରଖିଛନ୍ତି ।

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ସବୁ ହସ୍‌ପିଟାଲରେ ଆଇସୋଲେସନ ୱାର୍ଡ ସହ ମେଡିକାଲ ଟିମ୍‌ ପ୍ରସ୍ତୁତ ରଖାଯାଇଛି । ବିହାର ରାଜଧାନୀ ପାଟନାରେ କରୋନାକୁ ନେଇ ପ୍ରଶାସନ ସତର୍କ ରହିଛି । ହସ୍‌ପିଟାଲମାନଙ୍କରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବିଭାଗ ।

ପଞ୍ଜାବ ଓ ହରିଆଣାର ରାଜଧାନୀ ଚଣ୍ଡୀଗଡ଼ରେ ମାସ୍କ ଓ ସାନିଟାଇଜର କିଣିବା ଲାଗି ଲୋକେ ଔଷଧ ଦୋକାନରେ ଭିଡ଼ ଜମାଉଛନ୍ତି । ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ବିଭିନ୍ନ ହସ୍‌ପିଟାଲ କର୍ମଚାରୀଙ୍କୁ କରୋନା ଭାଇରସର ଲକ୍ଷଣ ଓ ପ୍ରତିକାର ସଂପର୍କରେ ତାଲିମ ଦିଆଯାଉଛି ।

ବାରାଣସୀରେ କରୋନା ପାଇଁ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲ୍ଲମରେ କରୋନା ପାଇଁ ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରହିଛି । ବିଜୟୱାଡ଼ାରେ ସଂକ୍ରମଣ ରୋକିବା ଲାଗି ବିଭିନ୍ନ ସ୍ଥାନରେ ଔଷଧ ସିଞ୍ଚନ କରାୟାଉଛି । ଚେନ୍ନାଇରେ ପ୍ରଶାସନ ସତର୍କ ରହିଛି ଓ ଆଇସୋଲେସନ ୱାର୍ଡ ସହ ସମସ୍ତ ସ୍ଥାନରେ ଟିମ ପ୍ରସ୍ତୁତ ରହିଛନ୍ତି । ଶ୍ରୀନଗରରେ ପର୍ଯ୍ୟଟକଙ୍କ ଉପରେ ବିଶେଷ ନଜର ରଖାଯାଇଛି । ସବୁ ହୋଟେଲ ଓ ହସ୍‌ପିଟାଲକୁ ସତର୍କ କରାଯାଇଛି ।
First published: March 6, 2020, 2:00 AM IST
corona virus btn
corona virus btn
Loading