News18 Odia Digital
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣର ବଢ଼ୁଥିବା ସଙ୍କଟ ମଧ୍ୟରେ ଏକ ବଡ଼ ଖବର ଆସିଛି । ଓଡ଼ିଶାରେ ପହଞ୍ଚିଛି କରୋନା ଔଷଧ ରେମଡେସିଭିର (Remdesivir) । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି । ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ପ୍ରୟୋଗ ହେବ ବୋଲି ସେ କହିଛନ୍ତି ।
ଆଉ ଏକ ବଡ଼ ଖବର ଅନୁସାରେ ଜୁଲାଇ ୧ରୁ ଭୁବନେଶ୍ବରରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ (Serological Survey) । ଗଞ୍ଜାମ, ଗଜପତି ଓ କଟକରେ ମଧ୍ୟ ସେରୋଲୋଜିକାଲ ସର୍ଭେ କରାଯିବ । ପ୍ରଥମେ ହଟ୍-ସ୍ପଟ ଅଞ୍ଚଳରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । ICMR ଗାଇଡ୍ଲାଇନ୍ ଅନୁସାରେ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ପୁରୀରେ ସେରୋଲଜିକାଲ ଟେଷ୍ଟ ଆରମ୍ଭ ହୋଇଛି। ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆ ଯାଉଛି। ପୁରୀ ପରେ ଭୁବନେଶ୍ୱର ଏହି ଟେଷ୍ଟ କରାଯିବ ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନସେଜ୍ (ଆଇ.ଏଲ.ଏସ.)ର ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ତା’ ପରେ ଗଞ୍ଜାମ, ଗଜପତି, ବଡ଼ମ୍ବା ଓ ନରସିଂହପୁରରେ ସେରୋଲୋଜିକାଲ ସର୍ଭେ କରାଯିବ ବୋଲି ସେ କହିଛନ୍ତି । ଏହା ସହ ସରକାର ମଗାଇଥିବା ୫୦ ହଜାର କିଟ ଆସିବା ପରେ ଆଣ୍ଟିବଡି ଓ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଯିବ । ଏହି ଟେଷ୍ଟରୁ ଆକ୍ରାନ୍ତଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି ନା ନାହିଁ ତାହା ଜଣାପଡିବ।

କରୋନା ପାଇଁ ରେମଡେସିଭିର୍ ଔଷଧ ଏ ପର୍ଯ୍ୟନ୍ତ ସବୁ ଠୁ ଭଲ କାମ କରୁଥିବା କୁହାଯାଉଛି ।
ଆଇ.ଏଲ.ଏସ. ରାଜ୍ୟରେ ଜେନମ ଷ୍ଟଡି (genome study) କରି ସାରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହିତ ୨୨୮ଟି ଷ୍ଟ୍ରେନ (ସାମ୍ପଲ)କୁ ପରୀକ୍ଷା କରାଯାଇଥିବା କହିଛନ୍ତି ଡଃ ପରିଡ଼ା । ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ନମୂନା ପରୀକ୍ଷା ହୋଇଛି । କେବଳ ଆନାଲିସିସ ବାକି ଅଛି । ଜୁଲାଇ ମାସ ୧୦ ତାରିଖରୁ ଝାରସୁଗୁଡା, ଅନୁଗୁଳ, ପୁରୀ ଓ କେନ୍ଦୁଝର ସମେତ ପାଞ୍ଚଟି ସ୍ଥାନରେ ପରୀକ୍ଷା ହେବ। ଏବେ ୫,୫୦୦ରୁ ୬,୦୦୦ ମଧ୍ୟରେ ପରୀକ୍ଷା ହେଉଛି ।
କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ଭୂତାଣୁ ଆକ୍ରାନ୍ତ କରିବ କି ନାହିଁ ସେ ନେଇ ଇମନୋଲୋଜି ଷ୍ଟଡି ବି କରାଯାଉଛି। ସୁସ୍ଥ ହେବା ପରେ ଆକ୍ରାନ୍ତଙ୍କ ଦେହରେ ରୋଗ ପ୍ରତିରୋଧ ଶକ୍ତି କେତେ ବଢିଛି ତା’ର ଷ୍ଟଡି କରାଯିବ କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ସଟଡାଉନ ଅବଧି ବୃଦ୍ଧି ବା ହ୍ରାସ କରାଯିବା ଉଚିତ ବୋଲି ସେ କହିଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ
ଆଉ ଦୁଇ ଜଣ କରୋନା ଭାଇରସ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥି ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୨୪୫ ଜଣ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ମୃତକ ଦୁଇ ଜଣ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଥିଲେ । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।