News18 Odia Digital
କରୋନା ଭାଇରସ୍ ସଂକ୍ରମଣ ଏତେ ଜଲଦି ମାନବ ସମାଜକୁ ମୁକ୍ତି ଦେଇ ନ ପାରେ । ଏହି ସଂକ୍ରମଣର ଆଉ ଥରେ ୨୦୨୪ ମସିହାରେ ଆସି ପାରେ ଓ ବର୍ତ୍ତମାନର ଏହି ମହାମାରୀରୁ ରକ୍ଷା ପାଇବାକୁ ବିଶ୍ୱବାସୀଙ୍କୁ ଅତି କମରେ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିପାରେ ବୋଲି ହାର୍ଭାର୍ଡ଼ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଦଳ କହିଛନ୍ତି ।
ଚୀନରୁ ପ୍ରକାଶିତ ‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍’ ଖବରକାଗଜ ଏକ ରିପୋର୍ଟରେ କହିଛି ଯେ ଗବେଷକମାନଙ୍କର ଏହି ଭବିଷ୍ୟବାଣୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଙ୍ଗଳବାରର ପୂର୍ବାନୁମାନର ଠିକ୍ ଓଲଟା କଥା କହୁଛି । ଟ୍ରମ୍ପ ବଡ଼ ଖୁସିର ସହିତ କହିଥିଲେ ଯେ କିଛି ଆମେରିକୀୟ ରାଜ୍ୟ ଏପ୍ରିଲ୍ ଶେଷ ସୁଦ୍ଧା ସାମାଜିକ ଦୂରତା କଟକଣାକୁ ଉଠାଇ ପାରିବେ ।
ପାଞ୍ଚ ଜଣ ଗବେଷକଙ୍କ ଦ୍ୱାରା ଲିଖିତ ଏହି ପେପରଟି ‘ସାଇନ୍ସ୍’ ପତ୍ରିକାରେ ପ୍ରକାଶିତ ହୋଇଛି । ଏଥିରେ କୁହାଯାଇଛି ଯେ ଆଗାମୀ ଚାରି ବର୍ଷ ମଧ୍ୟରେ ଏହି କରୋନା ଭାଇରସର ପୁନର୍ବାର ଆଗମନ ହେବାର ସମ୍ଭାବନା ରହିଛି । ସାମାଜିକ ଦୂରତା ପଦକ୍ଷେପଗୁଡିକୁ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ମାନିବା ଆବଶ୍ୟକ ବୋଲି ଯଦିଓ ଏହି ପେପର୍ କହିନାହିଁ, ଏହା ପରାମର୍ଶ ଦେଇଛି କରୋନା ଭାଇରସ୍ ପାଇଁ ଏ ପର୍ଯ୍ୟନ୍ତ ଟିକା ଉଦ୍ଭାବନ ହୋଇ ନ ଥିବାରୁ ଓ ଅନେକ ଦେଶରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଉନ୍ନତ ହୋଇ ନ ଥିବାରୁ ୨୦୨୨ ପର୍ଯ୍ୟନ୍ତ “ଦୀର୍ଘ କିମ୍ବା ମଧ୍ୟବର୍ତ୍ତୀ ସାମାଜିକ ଦୂରତା ପାଳନ ଆବଶ୍ୟକ ହୋଇପାରେ” ।

ମୁମ୍ବାଇରେ ଏକ କରୋନା ଭାଇରସର ଛବି ଥିବା କାନ୍ଥ ପାଖ ଦେଇ ଜଣଏ ଲୋକ ଯାଉଛି ।
କରୋନା ଭାଇରସର ଆଧିକାରିକ ନାମକୁ (ସାରସ୍-କୋଭ-୨) ଦର୍ଶାଇ ଗବେଷକମାନେ କହିଛନ୍ତି: ‘‘ବର୍ତ୍ତମାନର ଏହି ମହାମାରୀ ବିଲୋପ ହୋଇଗଲେ ବି ସାରସ୍-କୋଭ-୨ (SARS-CoV-2) ପାଇଁ ନୀରିକ୍ଷଣ ଜାରି ରଖିବା ଉଚିତ କାରଣ ୨୦୨୪ ସୁଦ୍ଧା ଏହି ସଂକ୍ରମଣ ପୁଣି ଥରେ ବ୍ୟାପିପାରେ ।’’
ସାମାଜିକ ତଥା ଅର୍ଥନୈତିକ କୁପରିଣାମ ସତ୍ତ୍ୱେ କରୋନା ଭାଇରସ୍ ବିସ୍ତାରକୁ ରୋକିବାର ପ୍ରୟାସରେ ସମଗ୍ର ବିଶ୍ୱରେ ସାମାଜିକ ଦୂରତା ପଦକ୍ଷେପ ପାଳନ କରାଯାଉଛି ଓ ସେଥି ପାଇଁ ସମାବେଶ ଉପରେ ପ୍ରତିବନ୍ଧକ, ବିଦ୍ୟାଳୟ ବନ୍ଦ ଓ ଅଦରକାରୀ ବାହ୍ୟ କାର୍ଯ୍ୟକଳାପ ହ୍ରାସ କରାଯାଇଛି ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପର ଠାରୁ ସବୁ ଠାରୁ ବଡ଼ ବିଶ୍ୱସ୍ତରୀୟ ଜନ ସ୍ୱାସ୍ଥ୍ୟ ସଙ୍କଟ ରୂପେ ଉଭା ହୋଇଥିବା କରୋନା ମହାମାରୀ (କୋଭିଡ-୧୯) ଯୋଗୁଁ ଏ ପର୍ଯ୍ୟନ୍ତ ୧,୩୦,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି ଓ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ପାର୍ କରିଛି ।
ଡିସେମ୍ବର ମାସରେ ଚୀନରେ ପ୍ରଥମେ ବ୍ୟାପିଥିବା ଏହି ରୋଗ ଏ ପର୍ଯ୍ୟନ୍ତ ଆମେରିକାରେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କଲାଣି ଓ ୨୬,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହେଲାଣି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।