ଏହି ମାସ ରାଜ୍ୟରେ ସବୁ ରେକର୍ଡ଼ ଭାଙ୍ଗିବ କରୋନା ଭାଇରସ୍, ଚେତାଇଲେ ବିଶେଷଜ୍ଞମାନେ

ଅଗଷ୍ଚ ମାସରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୦୦ ପାର୍ କରିବା ସହ ମୃତ୍ୟୁ ସଂଖ୍ୟା ୩୦୦ ପାର୍ କରିପାରେ ବୋଲି ଆକଳନ ଲଗାଯାଉଛି । ବିଶେଷଜ୍ଞଙ୍କ ଏହି ଆକଳନ ଧୀରେ ଧୀରେ ପ୍ରମାଣିତ ହେବାରେ ବି ଲାଗିଛି ଓ ଚିନ୍ତା ବଢ଼ୁଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଏହି ଅଗଷ୍ଟ ମାସ ସଂକ୍ରମଣ ସବୁ ରେକର୍ଡ଼ ଭାଙ୍ଗିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞମାନେ। ରାଜ୍ୟରେ ଜୁଲାଇ ମାସରେ ଆସିଥିବା ଆକ୍ରାନ୍ତଙ୍କ ସଂଖ୍ୟାର ଦୁଇ ଗୁଣ କେବଳ ଅଗଷ୍ଟ ମାସରେ ହୋଇପାରେ ବୋଲି ଆକଳନ କରାଯାଉଛି । ମୃତ୍ୟୁ ସଂଖ୍ୟା ବି ବହୁତ ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି ।

ମାର୍ଚ୍ଚ ମାସ ୧୫ ତାରିଖରେ ରାଜ୍ୟର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ମାସରେ ମୋଟ ୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏପ୍ରିଲରେ ମୋଟ ୧୪୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ମେ ମାସରେ ୧,୮୧୦ ଜଣ ପଜିଟିଭ ସହ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ହେଲେ ଜୁନ୍‌ ମାସରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩ ଗୁଣା ବଢ଼ି ୫,୦୧୭ ହେବା ସହ ୧୮ ଜଣଙ୍କର ପ୍ରାଣ ଯାଇଥିଲା । ଜୁଲାଇରେ ସବୁ ରେକର୍ଡ଼ ପାର ହୋଇଥିଲା । ଆକ୍ରାନ୍ତ ସଂଖ୍ୟା ୨୪,୫୬୧ରେ ପହଞ୍ଚିଥିଲା ଓ ମୃତ୍ୟୁ ସଂଖ୍ୟା ୧୫୨ରେ ପହଞ୍ଚିଥିଲା । ଏବେ ଅଗଷ୍ଟ ସବୁ ରେକର୍ଡ଼ ପାର କରିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞମାନେ ।

ଏପରିକି ଅଗଷ୍ଚ ମାସରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ପାର କରିବା ସହ ମୃତ୍ୟୁ ସଂଖ୍ୟା ବି ୩୦୦ ପାର କରିପାରେ ବୋଲି ଆକଳନ ଲଗାଯାଉଛି । ବିଶେଷଜ୍ଞଙ୍କ ଏହି ଆକଳନ ଧୀରେ ଧୀରେ ପ୍ରମାଣିତ ହେବାରେ ବି ଲାଗିଛି । ଅଗଷ୍ଟ ମାସରେ ପ୍ରଥମ ପାଞ୍ଚ ଦିନରେ ୭,୧୪୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଏହି ଆଶଙ୍କାକୁ ପ୍ରମାଣିତ କରୁଛି । ଏହି ସମୟରେ ୩୯ ଜଣଙ୍କର ମୃତ୍ୟୁ ବି ହୋଇଛି । ଏହି ପାଞ୍ଚ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥା କ୍ରମେ ୧,୬୦୨, ୧,୪୩୪, ୧,୩୮୪, ୧,୩୮୪ ଓ ୧,୩୩୭ ରହିଥିବା ବେଳେ ପ୍ରଥମ ତିନି ଦିନରେ ମୃତ୍ୟୁ ସଂଖ୍ୟା ଦୈନିକ ୧୦ ଲେଖାଏଁ ହୋଇଥିଲା । ଅଗଷ୍ଟ ୪ ଓ ୫ ତାରିଖରେ ୯ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଆଗକୁ ଏହି ସଂଖ୍ୟା ଢେର ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ILSର ନିର୍ଦ୍ଦେଶକ ଅଜୟ ପରିଡ଼ା


ମୃତକଙ୍କ ମଧ୍ୟରେ ଅଧିକାଂଶ ଅନ୍ୟ ରୋଗରେ ପୀଡ଼ିତ ଥିବା ସହ ହସପିଟାଲରେ ମୃତ୍ୟୁ ବରଣ କରୁଥିବାରୁ ଏହା ସେତେଟା ଚିନ୍ତାଜନକ ନୁହେଁ ବୋଲି କୁହାଯାଇଛି । କିନ୍ତୁ ବଡ଼ ଆସ୍ୱସ୍ତିକର କଥା ହେଉଛି ଚଳିତ ମାସରେ ସଂକ୍ରମଣ ପିକ୍‌ ହୋଇ ପୁନର୍ବାର ସ୍ଥିର ଆଡ଼କୁ ଆସିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କିନ୍ତୁ ଏହି ଭାଇରସ ଏକ ମାରାତ୍ମକ ଭାଇରସ୍‌ ହୋଇଥିବାରୁ ବିଶେଷଜ୍ଞଙ୍କ ଆକଳନ ଠାରୁ ବି ଅଧିକ କ୍ଷତି ହେବାର ଆଶଙ୍କା କରାଯାଉଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପ୍ରସଙ୍ଗରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି, ‘‘ଅଧିକ ଟେଷ୍ଟ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ ଏବେ ସ୍ଥିତି ପିକରେ ରହିଥିବା ବେଳେ ଆଗାମୀ ଦିନରେ ସ୍ଥିରତା ଆସିବ। କିନ୍ତୁ ଏହି ଭାଇରସ ଏକ ଭିନ୍ନ ପ୍ରକାରର ଭାଇରସ୍‌ ହୋଇଥିବାରୁ ଏହାର ପ୍ରଭାବ ଆକଳନ କରିବା ମୁସ୍କିଲ । ଅନ୍ୟ ରାଜ୍ୟର ସ୍ଥିତିକୁ ଦେଖିଲେ ଓଡ଼ିଶା ଏହି କ୍ଷେତ୍ରରେ ଭଲରେ ଅଛି । ଯେତେ ଶୀଘ୍ର ଅଧିକ ପରୀକ୍ଷା କାରାଯାଇ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇପାରିବ ସେତେ ଶୀଘ୍ର ସ୍ଥିତି ନିୟନ୍ତ୍ରଣ ହୋଇପାରିବ ।’’

ଏହା ବି ପଢ଼ନ୍ତୁ | VIDEO: ଲେବାନନ୍‌ରେ ଭୀଷଣ ବୋମା ବିସ୍ଫୋରଣ; ୨୫ ମୃତ; ଭାରତୀୟ ମହିଳା ସାମ୍ବାଦିକ ଆହତ ହେଲେ

ଏହା ବି ପଢ଼ନ୍ତୁ | ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା

ସରକାରଙ୍କ ମୁଣ୍ଡବିନ୍ଧା ବଢ଼ାଇଥିବା ହଟସ୍ପଟ ଗଞ୍ଜାମରେ ସ୍ଥିତି ପୂର୍ବାପେକ୍ଷା ଅପେକ୍ଷାକୃତ କମ୍‌ ରହିଛି । ସେଠାରେ ଅଧିକ ପରୀକ୍ଷା କରାଯାଇ ସ୍ଥିତିକୁ ସାମାନ୍ୟ ନିୟନ୍ତ୍ରଣ କରାଯାଉଛି । କିନ୍ତୁ ଖୋର୍ଦ୍ଧାକୁ ବିଭିନ୍ନ ସ୍ଥାନରୁ ଲୋକ ଆସୁଥିବାରୁ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ଡଃ ପରିଡ଼ା । ‘‘ଏହି ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲା ପାଇଁ ସ୍ୱତନ୍ତ୍ର ରଣାନୀତିର ଆବଶ୍ୟକତା ରହିଛି । ବିଭିନ୍ନ ଜିଲ୍ଲାରେ ନିର୍ଦ୍ଦିଷ୍ଟ କିଛି ପକେଟରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହା ସେତେଟା ଚିନ୍ତାର କାରଣ ନୁହେଁ,’’ ସେ କହିଛନ୍ତି ।



‘‘ଯେତେ ଶୀଘ୍ର ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇ ଚିହ୍ନଟ କରାଯାଇପାରିବ ସେତେ ଶୀଘ୍ର ସେମାନଙ୍କୁ ଆଇସୋଲେସନ କରାଯିବା ସହ କଣ୍ଟାକଟ ଟ୍ରେସିଂ କରାଯାଇ ସଂକ୍ରମିତଙ୍କ ଚିହ୍ନଟ କରାଯାଇପାରିବ । ସରକାର ଦୈନିକ ୨୦ ହଜାର ଟେଷ୍ଟିଂ ପାଇଁ ଟାର୍ଗେଟ ରଖିଥିବାରୁ ଲୋକେ ଲକ୍ଷଣ ନ ଲୁଚାଇ ପରୀକ୍ଷା ପାଇଁ ଆଗେଇ ଆସିବା ଉଚିତ,’’ କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି ।
Published by:Anand Shankar Thankur Das
First published: