ରଞ୍ଜନ କୁମାର ଦେବତା | News18 Odia Digital
ବରଗଡ଼: କରୋନା ଭାଇରସ୍ ମହାମାରୀର ମହାବିପତ୍ତି ସମୟରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପରମ୍ପରା ରକ୍ଷା କରି ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରାଯାଉଛି । ବୟନିକା ସହାୟତାରେ ପୋଲିସ ପକ୍ଷରୁ ଜିଲ୍ଲାପାଳ, ଏସ୍.ପି., ତହସିଲଦାର, ଏସଡିପିଓ ଓ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଆରମ୍ଭ ପୋଲିସ କର୍ମଚାରୀ ଓ ବରଗଡ଼ ସହରବାସୀଙ୍କୁ ସମ୍ବଲପୁରୀ କପଡ଼ାରେ ପ୍ରସ୍ତୁତ ମାସ୍କ ପ୍ରଦାନ କରାଯାଇଛି । ଏହି ପଦକ୍ଷେପ ଜିଲ୍ଳାରେ ବେଶ୍ ପ୍ରଂଶସିତ ହୋଇଛି ।
ବଜାରରେ ମିଳୁଥିବା ସାଧାରଣ ମାସ୍କ କିଛି ଦିନ ପରେ ନଷ୍ଟ ହୋଇଯାଏ । ଲୋକଙ୍କୁ ପୁଣି ମାସ୍କ କିଣି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । କିନ୍ତୁ ସମ୍ବଲପୁରୀ କପଡ଼ାରେ ପ୍ରସ୍ତୁତ ମାସ୍କକୁ ବାରମ୍ବାର ସାବୁନରେ ସଫା କରାଯାଇପାରିବ ଓ ତାହା ଅତି କମରେ ଛଅ ମାସ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ।
ସମ୍ବଲପୁରୀ କପଡ଼ାରେ ପ୍ରସ୍ତୁତ ମାସ୍କ ବଣ୍ଟନର ପଦକ୍ଷେପ ବୟନିକା ବୋର୍ଡ଼ର ଡାଇରେକ୍ଟର ସଞ୍ଜୟ ମେହେରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା । ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବରଗଡ଼ ସହରବାସୀଙ୍କୁ ଏହି ମାସ୍କ ମାଗଣାରେ ପ୍ରଦାନ କରାଯାଇଥିଲା ।
‘‘ହସ୍ତତନ୍ତ, ବୟନ ଶିଳ୍ପ ଓ ସମ୍ବଲପୁରୀ ବସ୍ତ୍ରର ହବ୍ ସେଣ୍ଟର୍ ହେଉଛି ବରଗଡ଼ ଜିଲ୍ଲା । ହେଲେ କରୋନା ଲକଡାଉନକୁ ନେଇ ଆସିଥିବା ଏହି ଦୁର୍ଦ୍ଦିନରେ ବୁଣାକାରମାନଙ୍କ ପରିବାର ଆର୍ଥିକ ଦୁର୍ଗତିର ସାମନା କରୁଛନ୍ତି । ଠପ୍ ହୋଇପଡ଼ିଛି ସେମାନଙ୍କ ବୃତ୍ତି, ବ୍ୟବସାୟ ଓ ଜୀବିକା । ଏଭଳି ସ୍ଥିତିରେ ବୁଣାକାର ପରିବାରର ମହିଳାମାନେ କରୋନା ରୋଗକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡ଼ିବା ସହ ସମ୍ବଲପୁରୀ କପଡ଼ାରେ ପ୍ରସ୍ତୁତ ମାସ୍କ ତିଆରି କାମରେ ଲାଗିପଡ଼ିଛନ୍ତି,’’ କହିଛନ୍ତି ବୟନିକା ବୋର୍ଡ଼ ଅଫ ଡାଇରେକ୍ଟରସର ସଦସ୍ୟ ସଞ୍ଜୟ ମେହେର ।

ବୟନିକାର ଡାଇରେକ୍ଟର ସଞ୍ଜୟ ମେହେର ବରଗଡ଼ ଏସ୍.ପି. ପଦ୍ମିନୀ ସାହୁଙ୍କୁ ସମ୍ବଲପୁରୀ ବସ୍ତ୍ରରେ ତିଆରି ମାସ୍କ ପ୍ରଦାନ କରୁଛନ୍ତି ।
ଏବେ ସରକାର ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାରୁ ବୁଣାକାରମାନଙ୍କ ଦ୍ୱାରା ତିଆରି ମାସ୍କ ବଜାରରେ ସୁଲଭ ମୂଲ୍ୟରେ ବିକ୍ରି ହୋଇପାରିବ ଓ ସେମାନେ ରୋଜଗାରକ୍ଷମ ମଧ୍ୟ ହୋଇପାରିବେ ବୋଲି ସେ କହିଛନ୍ତି ।
‘‘ବରଗଡ଼ ଜିଲ୍ଲା ହେଉଛି ସମ୍ବଲପୁରୀ ବସ୍ତ୍ର ଓ ବୁଣାକାର ମାନଙ୍କ ହବ୍ ସେଣ୍ଟର୍ । ତେଣୁ ପୁରୁଖା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ସହ କରୋନା ମହାମାରୀ ରୋଗ ପାଇଁ ସମ୍ବଲପୁରୀ ମାସ୍କ ଏକ ଭିନ୍ନ ଉଦାହରଣ ହୋଇଛି,” କହିଛନ୍ତି ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ।

ବରଗଡ଼ ଟ୍ରାଫିକ ପୋଲିସ ଇନ୍ସପେକ୍ଟର ସବିତା ଠେମରିଆ ଜଣେ ମହିଳାଙ୍କୁ ମାସ୍କ ଲଗାଉଛନ୍ତି ।
ବରଗଡ଼ ଜିଲ୍ଲାରେ ଯେଉଁ ଲୋକେ ବିନା ମାସ୍କରେ ବଜାରକୁ ଆସୁଛନ୍ତି ସେମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସମ୍ବଲପୁରୀ କପଡ଼ାରେ ତିଆରି ମାସ୍କ ଯୋଗାଇ ଦିଆଯାଉଛି । ସମ୍ବଲପୁରୀ ମାସ୍କକୁ ଲୋକେ ଖୁବ୍ ପସନ୍ଦ ବି କରୁଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ମାସ୍କ ପ୍ରଦାନ କରିବା କାମ ଚାଲୁ ରହିବ ବୋଲି ଏସ୍.ପି. ପଦ୍ମିନୀ ସାହୁ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।