ଆମ୍ବ ବଜାରରେ କରୋନା ମାଡ଼: ନା ଅଛି ଭେରାଇଟି, ନା ଆସୁଛି ଯଥେଷ୍ଟ ଆମ୍ବ; ଦର ଆକାଶଛୁଆଁ

ଭୁବନେଶ୍ୱରର ବଜାରରେ ବିଶେଷ କରି ଆଲଫୋନସୋ ଆମ୍ବ ରାଜୁତି କରେ । ଏହି ଆମ୍ବ ମୁମ୍ବାଇରୁ ଆସେ । ହେଲେ ଲକଡାଉନ ଓ ସଟଡାଉନ ଯୋଗୁଁ ଏ ଥର ମୁମ୍ବାଇରୁ ଆସି ପାରିଲାନି ଯଥେଷ୍ଟ ଆଲଫୋନସୋ ଆମ୍ବ।

ଆମ୍ବ ବଜାରରେ କରୋନା ମାଡ଼: ନା ଅଛି ଭେରାଇଟି, ନା ଆସୁଛି ଯଥେଷ୍ଟ ଆମ୍ବ; ଦର ଆକାଶଛୁଆଁ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ମାଡ଼ରେ ସବୁ କିଛି ଘାଇଲା । କେବଳ ରାଜ୍ୟର ରାଜକୋଷ ନୁହେଁ, ସାଧାରଣ ଲୋକଙ୍କ ଜୀବନ ଓ ଜୀବିକାକୁ ବି ପ୍ରଭାବିତ କରିଛି କରୋନା ମହାମାରୀ । ପୂରା ଆମ୍ବ ସିଜିନ୍‌ ଚାଲିଗଲା, ହେଲେ ବେପାର ଆଦୌ ଭଲ ହେଲାନି। ଏହାକୁ ନେଇ ଚିନ୍ତାରେ ଆମ୍ବ ବ୍ୟବସାୟୀମାନେ । ଏବେ ଆବଶ୍ୟକତା ଠାରୁ କମ ଆମ୍ବ ଆସୁଥିବାରୁ ଚଢ଼ା ଦରରେ ବିକ୍ରି ହେଉଛି।

ଆମ୍ବ ବଜାରରେ ନା ଅଛି ଭେରାଇଟି, ନା ଆସୁଛି ପ୍ରଚୁର ପରିମାଣର ଆମ୍ବ । ରାଜଧାନୀ ଭୁବନେଶ୍ୱରର ବଜାରରେ ବିଶେଷ କରି ଆଲଫୋନସୋ ଆମ୍ବ ରାଜୁତି କରେ । ଏହି ଆମ୍ବ ମୁମ୍ବାଇରୁ ଆସେ । ହେଲେ ଲକଡାଉନ ଓ ସଟଡାଉନ ଯୋଗୁଁ ଏ ଥର ମୁମ୍ବାଇରୁ ଆସି ପାରିଲାନି ଯଥେଷ୍ଟ ଆଲଫୋନସୋ ଆମ୍ବ।

‘‘ଏବେ ଆଲଫୋନସୋ ଆମ୍ବ କିଲୋ ପିଛା ୧,୧୦୦ ରୁ ୧,୨୦୦ ଟଙ୍କା । ହେଲେ ଏହାର ସ୍ୱାଦ ଯିଏ ଖାଇଛି ସେ ଜାଣିଛି। ତେଣୁ ଦର ଅଧିକ ହେଲେ ବି ଏହି ଆମ୍ବର ଚାହିଦା ଅଧିକ। ତା’ ଛଡା ଯାହା ଭେରାଇଟି ବି ଆସିଲା, ପ୍ରଥମେ ଲକଡ଼ାଉନ ଆଉ ତା’ ପରେ ସାପ୍ତାହିକ ସଟଡାଉନରେ ବିକ୍ରି ନ ହୋଇ ନଷ୍ଟ ହେଲା। ଦିନକୁ ମୁଁ ପ୍ରାୟ ଦୁଇ କ୍ୟୁଣ୍ଟାଲ ଆମ୍ବ ବିକ୍ରି କରେ, କିନ୍ତୁ ଏବେ ୫୦ କିଲୋ ବି ବିକ୍ରି ହେଉନି,’’ କହିଛନ୍ତି ଆମ୍ବ ବ୍ୟବସାୟୀ ସୁଶାନ୍ତ ଡାକୁଆ ।

ଏବେ ବଜାରରେ ଚଉସା, ଲେଙ୍ଗେଡ଼ା, ଦୋସରି ଓ ବାଇଗଣପଲ୍ଲୀ ଆମ୍ବ ମିଳୁଛି।


ରାଜଧାନୀରେ ପ୍ରାୟ ସବୁ ବେଳେ ଆମ୍ବ ମିଳିଥାଏ । ‘‘କିନ୍ତୁ ଆମ୍ବ ସିଜିନରେ ବିଭିନ୍ନ ଭେରାଇଟର ଆମ୍ବ ମିଳେ। ସୁନ୍ଦରୀ, ଆଖୁରସ ଓ ଆମ୍ରପଲ୍ଲୀ ଭଳି ବିଭିନ୍ନ ଭେରାଇଟର ଆମ୍ବ ଆସେ ରାଜଧାନୀ ବଜାରକୁ। ହେଲେ କରୋନା ପାଇଁ ସବୁ କିଛି ପ୍ରଭାବିତ ହୋଇଛି। ବେପାର ପୂରା ମାନ୍ଦା,’’ କହିଛନ୍ତି ଆଉ ଜଣେ ଆମ୍ବ ବ୍ୟବସାୟୀ ରମେଶ।

ବର୍ତ୍ତମାନ ବଜାରରେ ଚଉସା, ଲେଙ୍ଗେଡ଼ା, ଦୋସରି ଓ ବାଇଗଣପଲ୍ଲୀ ଭଳି ଚାରିରୁ ପାଞ୍ଚ ପ୍ରକାରର ଆମ୍ବ ମିଳୁଛି। ବାଇଗଣପଲ୍ଲୀ କିଲୋ ପିଛା ୨୫୦ ଟଙ୍କା ଥିବା ବେଳେ ଅନ୍ୟ ଆମ୍ବ ୧୫୦ ରୁ ୨୦୦ ଟଙ୍କା ପ୍ରତି କିଲୋ ଦରରେ ବିକ୍ରି ହେଉଛି। ଚଉସା ଆମ୍ବ ଉତ୍ତର ପ୍ରଦେଶରୁ ଆସୁଥିବା ବେଳେ ଲେଙ୍ଗେଡା ବନାରସ ଓ ବାଇଗଣପଲ୍ଲୀ ଆନ୍ଧ୍ର ପ୍ରଦେଶରୁ ଆମଦାନୀ ହେଉଛି ।

ଆବଶ୍ୟକତା ଠାରୁ କମ ପରିମାଣର ଆମ୍ବ ବଜାରକୁ ଆସୁଥିବାରୁ ଦର ବଢ଼ିଛି । ଦର ଯାହା ହେଲେ ବି ଆମ୍ବ କିଣିବାକୁ ପଛେଇ ନାହାନ୍ତି ଆମ୍ବ ପ୍ରେମୀମାନେ। ଭୁବନେଶ୍ୱର ବାସୀ ନିରଞ୍ଜନ ପଣ୍ଡା କହିଛନ୍ତି, ‘‘ବଜାରରେ ଭେରାଇଟି ଆମ୍ବ ନାହିଁ ସତ, ହେଲେ ଏବେ ଆମ୍ବ କିଣିବାକୁ ଲୋକଙ୍କ ପାଖରେ ପଇସା ବି ନାହିଁ । କରୋନା କଟକଣା ଭିତରେ ଅନେକ ଲୋକ ରୋଜଗାର ହରେଇଛନ୍ତି । ତେଣୁ ଯେତିକି ଆବଶ୍ୟକ ତା’ ଠାରୁ କମ୍‌ କିଣୁଛୁ ।’’

‘‘ଖାଦ୍ୟରେ ଟିକେ ଆମ୍ବ ନ ହେଲେ ଭଲ ଲାଗେନି । ତେଣୁ ଅଳ୍ପ ହେଲେ ବି ଆମ୍ବ ନିହାତି ଆବଶ୍ୟକ । ଦର ଅଧିକ ରହିଛି । ତେଣୁ ଯେତିକି ଦରକାର ସେତିକି କିଣୁଛୁ,’’ କହିଛନ୍ତି ୟୁନିଟ-୩  ବାସିନ୍ଦା ଗୁଣନିଧି ପ୍ରଧାନ।

ଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲା

ଦେଖନ୍ତୁ ଫଟୋ ଓ ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

କମ୍‌ ଆମଦାନୀ ସହ କଟକଣା ଭୟ ଏବେ ଆମ୍ବ ବ୍ୟବସାୟକୁ ପ୍ରଭାବିତ କରିଛି । ସିଜିନରେ ଭଲ ଦୁଇ ପଇସା ରୋଜଗାର ପାଇଁ ଚାହିଁ ବସିଥିବା ବ୍ୟବସାୟୀମାନେ ଏବେ ଚିନ୍ତାରେ ।
Published by: Anand Shankar Thankur Das
First published: July 23, 2020, 1:08 AM IST
corona virus btn
corona virus btn
Loading