ଲକ୍‌ଡାଉନ୍‌ର ଭଲ ସାଇଡ୍ ଇଫେକ୍ଟ: ପ୍ରଦୂଷଣ କମିବା ପରେ ଭୁବନେଶ୍ୱରରେ ଅପରାଧର ସଂଖ୍ୟା ବି କମିଛି

ଭୁବନେଶ୍ୱରର ବିଭିନ୍ନ ଥାନାରେ ଆପରାଧିକ ମାମଲା ସଂଖ୍ୟାରେ ଅବିଶ୍ୱସନୀୟ ଭାବେ ହ୍ରାସ ଦେଖାଯାଇଛି । ଗଲା ଆଠ ଦିନରେ ସହରରେ ଗୋଟିଏ ବି ସୁନା ଚେନ୍ ଝାମ୍ପି ନେବା ବା ମୋବାଇଲ ଫୋନ୍ ଛିନତାଇ ମାମଲା କୌଣସି ଥାନାରେ ପଞ୍ଜିକୃତ ହୋଇନାହିଁ l

ଲକ୍‌ଡାଉନ୍‌ର ଭଲ ସାଇଡ୍ ଇଫେକ୍ଟ: ପ୍ରଦୂଷଣ କମିବା ପରେ ଭୁବନେଶ୍ୱରରେ ଅପରାଧର ସଂଖ୍ୟା ବି କମିଛି
ଲକଡାଉନ୍ ପାଇଁ ପୋଲିସ ସାରା ସହରରେ ଚେକିଂ ଜାରି ରଖିଛି ।
  • News18 Odia
  • Last Updated: March 31, 2020, 8:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ଆତଙ୍କ ବିରୋଧରେ ସାରା ବିଶ୍ୱ ଲଢ଼ୁଥିବା ବେଳେ ଏହି ମାରାତ୍ମକ ମହାମାରୀରୁ ବର୍ତ୍ତିବା ପାଇଁ ଜାରି ହୋଇଥିବା ଲକଡାଉନର କେତୋଟି ସକାରାତ୍ମକ ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିଛି l ଗତ ସପ୍ତାହେରୁ ଅଧିକ ସମୟ ହେବ ଭୁବନେଶ୍ୱରରେ କେବଳ ବାୟୁ ପ୍ରଦୂଷଣ କମିଛି ତାହା ନୁହେଁ, ବରଂ ସହରରେ ହୋଇଆସୁଥିବା ଅପରାଧରେ ଅସ୍ୱାଭାବିକ ହ୍ରାସ ଦେଖାଯାଇଛି ।

ଏବେ ଥାନା, ଫାଣ୍ଡି, କୋର୍ଟ କଚେରି ସବୁ ଫାଙ୍କା ପଡ଼ିଛି l କରୋନା ମହାମାରି ପାଇଁ ଚାରିଆଡ଼େ ଲକ ଡାଉନ ଥିବାରୁ ସହର ବଜାର, ଗଳି କନ୍ଦି ସବୁ ଖାଁ ଖାଁ l ସହରରେ ନା ଅପରାଧ ହେଉଛି ନା ଅପରାଧୀ ବୁଲୁଛନ୍ତି l ହାଜତ ଖାଲି ପଡିଛି l

କମିଶନରେଟ ପୋଲିସର ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଥିବା ମାମଲା ସଂଖ୍ୟାରେ ଅବିଶ୍ୱସନୀୟ ଭାବେ ହ୍ରାସ ଦେଖାଯାଇଛି । ଆମେ ଭୁବନେଶ୍ଵରର ପାଞ୍ଚଟି ଗୁରୁତ୍ଵପୂର୍ଣ୍ଣ ଥାନାରେ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପଞ୍ଜିକୃତ ହୋଇଥିବା ଆପରାଧିକ ମାମଲା ଉପରେ ନଜର ଦେଇ ଜାଣିଲୁ ଯେ ମାମଲାଗୁଡ଼ିକର ସଂଖ୍ୟା ନଗଣ୍ୟ ରହିଛି ।

ସହରର ଗୁରୁତ୍ଵପୂର୍ଣ୍ଣ ଥାନାମାନଙ୍କ ମଧ୍ୟରୁ ଅନ୍ୟତମ କ୍ୟାପିଟାଲ ଥାନାରେ ୨୩ ମାର୍ଚ୍ଚରୁ ୩୦ ମାର୍ଚ୍ଚ ମଧ୍ୟରେ ପଞ୍ଜିକୃତ ହୋଇଛି ମାତ୍ର ସାତଟି ମାମଲା l  ସେଥିରୁ ତିନିଟି ଚୋରା ମଦ ବିକ୍ରିର, ଆଉ ତିନୋଟି ମାରପିଟ ଓ ଗଣ୍ଡଗୋଳ ସମ୍ପର୍କୀୟ ଓ ଗୋଟିଏ ଚୋରି ମାମଲା ରହିଛି l ଏହି ଥାନାରେ ସାଧାରଣତଃ ଦୈନିକ ଅତି କମରେ ୧୫ରୁ ୨୦ଟି ଆପରାଧିକ ମାମଲା ରୁଜୁ ହୋଇଥାଏ l

ଲକଡାଉନ୍‌ ସମୟରେ ଭୁବନେଶ୍ୱରର ଗୋଟିଏ ଥାନାର ଦୃଶ୍ଯ ।


ନୟାପଲ୍ଲୀ ଥାନାରେ ଏହି ସପ୍ତାହକ ମଧ୍ୟରେ ରୁଜୁ ହୋଇଛି ମାତ୍ର ଚାରିଟି ମାମଲା l ସେଥି ମଧ୍ୟରୁ ଦୁଇଟି ଚୋରା ମଦ ବିକ୍ରି, ଗୋଟିଏ ଅପହରଣ ଓ ଗୋଟିଏ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କୀୟ ମାମଲା ରହିଛି l ସେହି ପରି ଶହିଦ ନଗର ଥାନାରେ ଏହି ସପ୍ତାହରେ ରୁଜୁ ହୋଇଛି ମାତ୍ର ତିନିଟି ମାମଲା – ଦୁଇଟି ମାରପିଟ ଓ ଗୋଟିଏ ଚୋରା ମଦ ବିକ୍ରି ମାମଲା l

ଚନ୍ଦ୍ରଶେଖରପୁର ଥାନାରେ ରୁଜୁ ହୋଇଛି ମାତ୍ର ଚାରିଟି ମାମଲା – ଦୁଇଟି ଚୋରି ମାମଲା ଓ ଆଉ ଦୁଇଟି ଚୋରା ମଦ ବିକ୍ରି ମାମଲା ରହିଛି  l ଖଣ୍ଡଗିରି ଥାନାରେ ନଅଟି ମାମଲା ରୁଜୁ ହୋଇଛି l  ଲକଡାଉନ ଉଲ୍ଲଙ୍ଘନ କରିଥିବାର ତିନିଟି ମାମଲା, ଚୋରା ମଦ ବିକ୍ରିର ତିନିଟି ମାମଲା, ଦୁଇଟି ମାରପିଟ ଓ ଗୋଟିଏ ଚୋରି ମାମଲା ରୁଜୁ ହୋଇଛି l ଅନ୍ୟ ଦିନ ଗୁଡ଼ିକରେ ଏହି ଥାନାରେ ମାମଲା ସଂଖ୍ୟା ଦୈନିକ ୩୦ରୁ ୩୫ ଭିତରେ ରହେ l

ଯାହା ଜଣାପଡୁଛି କରୋନା ଭାଇରସର ଭୟରେ ନା ଲୋକେ ଘରୁ ବାହାରୁଛନ୍ତି ନା ଅପରାଧୀ, ଫଳରେ ସହରରେ ଅପରାଧର ମାତ୍ରା କମିଯାଇଛି l ଏହି ଆଠ ଦିନ ଭିତରେ ସହରରେ ଗୋଟିଏ ହେଲେ ସୁନା ଚେନ ଝାମ୍ପି ନେବା କିମ୍ଵା ମୋବାଇଲ ଫୋନ ଛିନତାଇ ମାମଲା କୌଣସି ଥାନାରେ ପଞ୍ଜିକୃତ ହୋଇନାହିଁ l

ଭୁବନେଶ୍ୱରର ଏକ ମୁଖ୍ୟ ରାସ୍ତାରେ ପୋଲିସ ନାକାବନ୍ଦୀ କରିଛି ।


‘‘ଲକଡାଉନ୍‌ ଯୋଗୁଁ ପୂରା ସହର ସିଲ ହୋଇଛି l ପ୍ରତ୍ୟେକ ଛକରେ ପୋଲିସ ଲଗେଇଛି ନାକାବନ୍ଦି l ଲକଡାଉନ୍‌ ନ ମାନିଲେ ଗାଡ଼ି ହେଉଛି l ଏଭଳି ସମୟରେ ଘରୁ ବାହାରିବାକୁ ଅପରାଧି ସାହାସ କରୁନାହାନ୍ତି,’’ କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜିବ ମାରିକ ।

ତେବେ ଲକଡାଉନ ବେଳେ ସହରରେ ଚୋରା ମଦ କାରବାର ଅଧିକ ବଢ଼ିଛି l ସହରର ସମସ୍ତ ବାର୍‌ ଓ ମଦ କାଉଣ୍ଟର ବନ୍ଦ ଥିବାରୁ ଏହାର ଫାଇଦା ଉଠାଉଛନ୍ତି କିଛି ଚୋରା ମଦ ବ୍ୟବସାୟୀ l ସେମାନେ ଚୋରାରେ ମଦ ଆଣି ସହରରେ ବିକ୍ରି କରୁଛନ୍ତି l ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗି କହିଛନ୍ତି ଯେ କୌଣସି ପରିସ୍ଥିତିରେ ସହରରେ ମଦ ବିକ୍ରି ହୋଇପାରିବନି l ‘‘ପ୍ରତ୍ୟେକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ମଦ ବିକ୍ରି କରୁଥିବା ଲୋକକୁ ଗିରଫ କରିବାକୁ,’’ ସେ କହିଛନ୍ତି ।

ଏହି ଲକଡାଉନ ସମୟରେ ବିଭିନ୍ନ ଥାନାରେ ପୋଲିସ ରେଡ କରି ଦଶ ଜଣ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି l

ତେବେ ଲକଡାଉନ ପାଇଁ ଆଗକୁ ପୋଲିସ ପାଇଁ ଆସୁଛି ଏକ ବଡ଼ ଚ୍ୟାଲେଞ୍ଜ l କାମ ଧନ୍ଦା ହରେଇ ଅନେକ ଲୋକ ଏବେ ବେରୋଜଗାର ହୋଇଛନ୍ତି l ଧୀରେ ଧୀରେ ଘରେ ରଖିଥିବା ଖାଦ୍ୟ ପଦାର୍ଥ ସରିଆସୁଛି l ପଇସା ପତ୍ର ବି ସରିବା ଉପରେ l ଏ ଭଳି ସ୍ଥିତିରେ ଲକଡାଉନ୍‌ ପରେ ରାଜଧାନୀରେ ଚୋରି ଓ ଡକାୟତି ବଢ଼ିବ ବୋଲି ପୋଲିସ ସନ୍ଦେହ କରୁଛି l  ବିଶେଷକରି ରାସନ ଦୋକାନଗୁଡ଼ିକ ଆଗକୁ ଚୋରଙ୍କ ସଫ୍ଟ ଟାର୍ଗେଟ ହୋଇପାରେ ବୋଲି ପୋଲିସ ଅନୁମାନ କରୁଛି ।
First published: March 31, 2020, 8:32 PM IST
corona virus btn
corona virus btn
Loading