କରୋନା ଭାଇରସର ଇଫେକ୍ଟ: ଭୁବନେଶ୍ୱରରେ ରାସ୍ତାରେ ପାନ ଛେପ ପକେଇଲେ BMC ନେବ ₹୫୦୦ ଫାଇନ୍

ଏହି ମହାମାରୀର ମୁକାବିଲା ପାଇଁ ବି.ଏମ୍.ସି. ପକ୍ଷରୁ ତିନିଟି ଟିମ୍ ଗଠନ କରାଯାଇଛି । ଭୁବନେଶ୍ୱରରେ ସବୁ ସିନେମା ହଲ, ପ୍ଳାନେଟେରିଅମ ଓ ନନ୍ଦନ କାନନରେ ତାଲା ଲାଗିଯାଇଛି । ବ୍ୟବସାୟ ଉପରେ ବଡ଼ ପ୍ରଭାବ ପଡି଼ବ ବୋଲି ଆଶଙ୍କା କରାଯାଉଛି ।

ଭୁବନେଶ୍ୱରରେ ଏକ ସୁନସାନ୍ ପଡ଼ିଥିବା ସିନେମା ହଲ୍ ସାମନାରେ ମାସ୍କ ପିନ୍ଧି ଜଣେ ଯୁବକ ଯାଉଛି ।

ଭୁବନେଶ୍ୱରରେ ଏକ ସୁନସାନ୍ ପଡ଼ିଥିବା ସିନେମା ହଲ୍ ସାମନାରେ ମାସ୍କ ପିନ୍ଧି ଜଣେ ଯୁବକ ଯାଉଛି ।

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସକୁ ରାଜ୍ୟ ସରକାର ‘ରାଜ୍ୟ ବିପର୍ଯ୍ୟୟ’ ଘୋଷଣା କରିବା ପରେ ରାଜଧାନୀ ଭୁବନେଶ୍ୱରରେ ଜନ ସମାଗମ ହେଉଥିବା ସ୍ଥାନଗୁଡ଼ିକରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ଏହି ମହାମାରୀର ମୁକାବିଲା ପାଇଁ ବି.ଏମ୍‌.ସି. ପକ୍ଷରୁ ତିନିଟି ଟିମ୍‌ ଗଠନ କରାଯାଇଛି । ରାସ୍ତାରେ କେହି ପାନ ଛେପ ପକାଇଲେ ଏହି ଟିମ୍‌ ସେହି ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ କରିବେ ଏହି ଟିମର ସଦସ୍ୟମାନେ ।

ଏହି ତିନେୋଟି ଦଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଭିନ୍ନ ସ୍ଥାନ ଉପରେ ନଜର ରଖିବେ । ଦୁଇ ବରିଷ୍ଠ ଅଧିକାରୀଙ୍କୁ ଏଥି ପାଇଁ ଦାୟିତ୍ୱ ଦିଆଯାଇଛି । ଏହି ଦଳଗୁଡ଼ିକର ଦାୟିତ୍ୱ ବି.ଏମ୍‌.ସି.ର ତିନି ଜଣ ଅତିରିକ୍ତ କମିଶନର ଓ ଦୁଇ ଜଣ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଦିଆଯାଇଛି ।

‘‘ଏହି ଅଧିକାରୀମାନେ ସକାଳୁ ଦୁଇ ଘଣ୍ଟା ସଫେଇ କାର୍ଯ୍ୟ ତଦାରଖ କରିବେ । ମାସ୍କ ଓ ସାନିଟାଇଜେସନ ସାମଗ୍ରୀ କଳାବଜାରୀକୁ ତଦାରଖ କରିବେ । ବିଏମସି ଓ ବିଡ଼ିଏ ଅଧିକାରୀମାନେ ରାସ୍ତା ଓ ସାର୍ବଜନୀନ ସ୍ଥାନରେ କେହି ପାନ ଛେପ ପକାଇଲେ ତାଙ୍କ ଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ କରିବେ । କରୋନା ସଂକ୍ରମଣ ରୋକିବାକୁ ସରକାର ସିନେମା ହଲ, ଜିମ୍‌ ଓ ସୁଇମିଂ ପୁଲ୍‌ ଆଦି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ଯୋଗୁଁ ଯିଏ ଅମାନ୍ୟ କରିବ ତାଙ୍କ ଉପରେ ଏପିଡ଼େମିକ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ,’’ କହିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚ଼ୌଧୁରୀ କହିଛନ୍ତି

ସେ ଆହୁରି କହିଛନ୍ତି ଯେ ବିବାହ କିମ୍ବା ରିସେପ୍ସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇନି, କିନ୍ତୁ ଲୋକେ ସଚେତନ ହୋଇ କାର୍ଯ୍ୟ କରିବା ଉଚ଼ିତ । ‘‘ଥଣ୍ଡା ବା ଜ୍ୱର ଥିଲେ ସେହି ସବୁ କାର୍ଯ୍ୟକ୍ରମକୁ ଲୋକେ ନ ଆସିବା ଉଚ଼ିତ,’’ ସେ କହିଛନ୍ତି ।

ଗୋଟିଏ ସିନେମା ହଲର ଗେଟରେ ଲଗାଯାଇଥିବା ସୂଚ଼ନା କାଗଜ ।


ସିନେମା ହଲ ବନ୍ଦ ନେଇ ସରକାର ନିର୍ଦେଶ ଦେବା ପରେ ରାଜଧାନୀର ସବୁ ସିନେମା ହଲ ଗେଟରେ ତାଲା ପଡ଼ିଯାଇଛି ଓ ୩୧ ତାରିଖ ଯାଏ ବନ୍ଦ ରହିବ ବୋଲି କାନ୍ଥରେ ସୂଚନା ଫଳକ ଲଗାଯାଇଛି । ବିବାହ ଓ ବ୍ରତଘର ଆଦି ଭୋଜିରେ ବଡ଼ ସମାଗମକୁ ମନା ହୋଇଥିବାରୁ ଏହାର ପ୍ରଭାବ ସିଧାସଳଖ ଦେଖିବାକୁ ମିଳିଛି । କିଛି ମଣ୍ଡପ ପୂର୍ବ-ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ କରିଥିବା ବେଳେ ଆଉ କିଛି ମଣ୍ଡପ ନୂଆ କାର୍ଯ୍ୟକ୍ରମ ପାଇଁ କଲ୍‌ ରଖୁନାହାନ୍ତି । ଏପରିକି କିଛି ଲୋକ ବି ନିଜ ଆଡ଼ୁ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି ।

ବମିଖାଲ ଗୋବିନ୍ଦ ପ୍ରସାଦ ଅଞ୍ଚଳର ଅଭିଷେକ ଉପାଧ୍ୟାୟଙ୍କ ଝିଆରୀର ଚଳିତ ମାସ ୧୪ ତାରିଖରେ ବିବାହ ଉତ୍ସବ ଆୟୋଜନ ହେବାର ଥିଲା । ପ୍ରାରମ୍ଭିକ ପ୍ରସ୍ତୁତି ସରିଥିବା ବେଳେ ମଣ୍ଡପ ବୁକିଂ ସହିତ ଆନୁସଙ୍ଗିକ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ହୋଇଥିଲା । ହେଲେ କରୋନା ଆତଙ୍କ କାରଣରୁ ତାଙ୍କ ପରିବାର ବିବାହ ଉତ୍ସବକୁ ବାତିଲ୍‌ କରିବାକୁ ବାଧ୍ୟ ହୋଇଛନ୍ତି ।

‘‘ଅଧିକ ଜନଗହଳି ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ୫୦୦ ଅତିଥିଙ୍କ ବଦଳରେ ମାତ୍ର ୫୦ ଅତିଥିଙ୍କ ଭିତରେ ବାହାଘର ଉତ୍ସବ ସୀମିତ ରଖିବା ସମ୍ଭବ ହେଉ ନ ଥିବାରୁ ମୋ’ ପରିବାର ବାହାଘର ବାତିଲ୍‌ କରିବା ପାଇଁ ବାଧ୍ୟ ହୋଇଛନ୍ତି,’’ କହିଛନ୍ତି ଅଭିଷେକ ।

କରୋନା ଆତଙ୍କ ପାଇଁ ଅନେକ ମଣ୍ଡପ ପରିଚାଳକ ହାତବାନ୍ଧି ବସିଛନ୍ତି । ଏହା ଦ୍ୱାରା ବ୍ୟବସାୟିକ କ୍ଷତି ସହୁଛନ୍ତି ମଣ୍ଡପ ମାଲିକମାନେ । ମଣ୍ଡପ ପରିଚାଳକ ପର୍ଶୁରାମ ଜେନା କହିଛନ୍ତି: ‘‘କରେନା ସାରା ବିଶ୍ୱକୁ ଥରହର କରିଦେିଛି । ଲୋକମାନେ ସଚେତନ ହୋଇଛନ୍ତି । ଯେଉଁ ଲୋକେ ବୁକିଂ କରିଥିଲେ ସେମାନେ ଆସିବାକୁ ଚାହୁଁ ନାହାନ୍ତି । ତେଣୁ ଆମ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି ହୋଇଛି ।’’

ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କରୋନାର ବଡ଼ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରିଛି  ବ୍ୟବସାୟୀ ମହାସଂଘ । ରାଜ୍ୟ ବ୍ୟବସାୟ ମହାସଙ୍ଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ୨୦ ପ୍ରତିଶ୍ରତ ବ୍ୟବସାୟ କମିଥିବା ବେଳେ ବିଳାସପୂର୍ଣ ସାମଗ୍ରୀର ବ୍ୟବସାୟ ୭୦ ପ୍ରତିଶତ କମିଛି । ଆଗାମୀ ଦିନରେ ପ୍ରାୟ ପଚାଶ ପ୍ରତିଶତ ବ୍ୟବସାୟ ହ୍ରାସ ପାଇବାର ଆଶଙ୍କା କରିଛି ବ୍ୟବସାୟୀ ମହାସଙ୍ଘ ।

‘‘ରାଜ୍ୟରେ ଦୈନିକ ପାଖାପାଖି ୪୦୦ କୋଟି ଟଙ୍କାର ବ୍ୟବସାୟ ହେଉଥିବା ବେଳେ କରୋନା ଭଆଇରସ୍‌ ଆସିବା ପରେ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହ୍ରାସ ପାଇଛି । ସରକାରଙ୍କ ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ ଆହୁରି ବ୍ୟବସାୟ କମିବ,’’ କହିଛନ୍ତି ପଣ୍ଡା ।

ପେଟ୍ରୋଲ ଓ ଡ଼ିଜେଲ ଉପରେ କି କରୋନାର ପ୍ରଭାବ ଦେଖିବାକୁ ମିଳିଛି । ‘‘ଚ଼ୀନରେ କରୋନା ଭାଇରସର ପ୍ରକୋପ ଆରମ୍ଭ ହେବା ଫଳରେ କୃଡ଼ ଅଏଲ ଦାମ୍‌ କମିଥିଲା । ତେବେ ଏହା ବିଶ୍ୱ ମହାମାରୀ ଘୋଷିତ ହେବା ସହ ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ‘ରାଜ୍ୟ ବିପର୍ଯ୍ୟୟ’ ଘୋଷିତ ହେବା ପରେ ଆଗାମୀ ଦିନରେ ବ୍ୟବସାୟ ଅତି କମରେ ୨୦ ପ୍ରତିଶତ ହ୍ରାସ ପାଇବ,’’ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡ଼ିଲର ସଙ୍ଘର ସଭାପତି ସଂଜୟ ଲାଠ ।

ରାଜଧାନୀର ଶିକ୍ଷାନୁଷ୍ଠାନଗୁଡ଼ିକରେ ପରୀକ୍ଷାକୁ ଛାଡ଼ିଦେଲେ କ୍ଳାସ୍‌ ସଂପୂର୍ଣ ବନ୍ଦ କରାଯାଇଛି । ପରୀକ୍ଷା କେନ୍ଦ୍ର ସହ ହଲରେ ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ସାନିଟାଇଜରର ବ୍ୟବହାର ସାଙ୍ଗକୁ ସଫେଇ ଉପରେ ଗୁରୁତ୍ୱ ଦିଆଯାଇଛି ।  ବିଜେବି ଜୁନିଅର କଲେଜ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ବିଷ୍ଣୁ ଚରଣ ଦାସ କହିଛନ୍ତି ଯଦି କେହି ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ହୁଏ ତେବେ ସେଥିପାଇଁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିକ୍ ରୁମର ବ୍ୟବସ୍ଥା ହୋଇଛି । ସିକ୍ ରୁମରେ ଏକୁଟିଆ ଜଣେ ପରୀକ୍ଷା ଦେଇପାରିବେ ବୋଲି ସେ କହିଛନ୍ତି ।

କରୋନା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପଠାଣୀ ସାମନ୍ତ ପ୍ଳାନେଟେରିଅମକୁ ବନ୍ଦ କରିଦିଆଯାଇଛି । ଶନିବାର  ସମସ୍ତ ଶୋ ବାତିଲ କରାଯାଇଥିବା ବେଳେ ଗେଟରେ ନୋଟିସ ଝୁଲାଯାଇଛି । ପ୍ଳାନେଟେରିଅମ ସହ ରାଜ୍ୟ ସଂଗ୍ରହାଳୟ ଓ ନନ୍ଦନ କାନନ ପ୍ରାଣୀ ଉଦ୍ୟାନକୁ ବି ବନ୍ଦ କରାଯାଇଛି ।
First published: