ଭୁବନେଶ୍ୱରରେ ଅଣାୟତ୍ତ ହେଲା କରୋନା; ରୋକିବାକୁ ପୋଲିସ ଆସିଲା ଆକ୍ସନ୍ ମୋଡକୁ

ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇ କୋଭିଡ ମ୍ୟାନେଜମେଣ୍ଟ କରାଯାଉଛି । ମଧ୍ୟାହ୍ନ ଯାଏଁ ବିଏମସି ଓ କମିଶନରେଟ ପୋଲିସର ସ୍କ୍ୱାର୍ଡ ଲୋକଙ୍କୁ ସଚେତନ କରୁଛନ୍ତି ଓ ଅପରାହ୍ଣରେ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଫାଇନ୍ ଆଦାୟ କରୁଛନ୍ତି ।

ଭୁବନେଶ୍ୱରରେ ଅଣାୟତ୍ତ ହେଲା କରୋନା; ରୋକିବାକୁ ପୋଲିସ ଆସିଲା ଆକ୍ସନ୍ ମୋଡକୁ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 18, 2020, 10:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଭୁବନେଶ୍ୱରରେ ସ୍ଥିତି ଅଣାୟତ୍ତ ହୋଇଛି । ୧୭,୦୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ସଂକ୍ରମଣକୁ ରୋକିବା ନେଇ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ। ବିଏମସି ସହ ମିଶି ଜୋରଦାର କରିଛି ଚେକିଂ ଅଭିଯାନ। ଏଣିକି ‘‘ଡାଇରେକ୍ଟ ଆକ୍ସନ’’ ହେବ ବୋଲି କହିଛନ୍ତି ଅଧିକାରୀମାନେ ।

ଦୀର୍ଘ ପାଞ୍ଚ ମାସ ହେଲା ଲୋକଙ୍କୁ ସଚେତନ କରାଯାଉଥିଲେ ବି ଅନେକ ଅମାନିଆ କୋଭିଡ-୧୯ ନିୟମ ମାନୁନାହାଁନ୍ତି। କେତେବେଳେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି ତ ପୁଣି କେତେବେଳେ ଛକ ବଜାରରେ ଭିଡ଼ ଜମାଉଛନ୍ତି । ଏମିତି ଆଚରଣ ଏବେ କରୋନା ସଂକ୍ରମଣ ବ୍ୟାପିବାର ଏକ ପ୍ରମୁଖ କାରଣ ସାଜିଛି। ତେଣୁ ଆଉ ବୁଝାବୁଝି ନୁହେଁ, ସିଧାସଳଖ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ଼ କରାଯାଉଛି।

ଶୁକ୍ରବାର ଦିନ ରାଜଧାନୀର ବିଭିନ୍ନ ଆମିଷ ବଜାରରେ ନାହିଁ ନ ଥିବା ଭିଡ଼ ଲାଗିଥିଲା। କିଣାବିକା ଭିତରେ ଯେମିତି ସାମାଜିକ ଦୂରତ୍ୱ କଥା କାହା ମନରେ ନ ଥିଲା। ପୁଣି କେତେକଙ୍କ ମୁହଁରେ ମାସ୍କ ବି ନ ଥିଲା। ବ୍ୟବସାୟୀମାନେ ମଧ୍ୟ ବିନା ମାସ୍କରେ ବେପାର ଚଳାଇଥିଲେ। ଏଭଳି ଅନେକ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରିଛି କମିଶନରେଟ ପୋଲିସ।

‘‘ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ଆମେ ପ୍ରଥମେ ବୁଝାଉଛୁ । ତଥାପି ଲୋକେ ଶୁଣୁନାହାଁନ୍ତି । ଅଯଥା ଯୁକ୍ତି କରୁଛନ୍ତି । ବାରମ୍ବାର ସଚେତନ କରିବା ପରେ ବି ଲୋକ ମାନୁନାହାନ୍ତି । ଫାଇନ ଆଦାୟ ବଡ଼ କଥା ନୁହେଁ, ଲୋକଙ୍କୁ ସଚେତନ କରିବା ଆମ ଲକ୍ଷ୍ୟ,’’ କହିଛନ୍ତି ଖାରବେଳ ନଗର ଥାନାର ଜଣେ ଏ.ଏସ.ଆଇ.।

ଭୁବନେଶ୍ୱରକୁ ତିନୋଟି ଜୋନରେ ବିଭକ୍ତ କରାଯାଇ କୋଭିଡ ମ୍ୟାନେଜମେଣ୍ଟ କରାଯାଉଛି । ମଧ୍ୟାହ୍ନ ଯାଏଁ ବିଏମସି ଓ କମିଶନରେଟ ପୋଲିସ ନିଜ ନିଜ ସ୍କ୍ୱାର୍ଡ ସହ ବିଭିନ୍ନ ମାର୍କେଟରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଅପରାହ୍ଣରେ ବିଏମସି ଓ ପୋଲିସର ମିଳିତ ସ୍କ୍ୱାର୍ଡ଼ ବିଭିନ୍ନ ଛକ ବଜାର ଓ ମାର୍କେଟରେ ଚଢ଼ାଉ କରି ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରୁଛନ୍ତି ।

ବିଏମସି ଓ ପୋଲିସ ପକ୍ଷରୁ ୨୫ରୁ ୩୦ଟି ସ୍କ୍ୱାର୍ଡ଼ ବନାଯାଇଛି। ବିଏମସି ତରଫରୁ ବିଭିନ୍ନ ଜୋନର ଡେପୁଟି କମିଶନରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଉଛି।

ଏହା ବି ପଢ଼ନ୍ତୁ | Gold Silver Price: ୨ ଦିନ ପରେ ପୁଣି ବଢ଼ିଲା ସୁନାର ଦାମ୍; ରୂପା ବି ମହଙ୍ଗା ହେଲା; ଜାଣନ୍ତୁ ଦାମ୍

ଏହା ବି ପଢ଼ନ୍ତୁ | କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ

‘‘ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କୁ ସଚେତନ କରାଯାଇଛି। ଟେଷ୍ଟିଙ୍ଗ ଠାରୁ ଆରମ୍ଭ କରି ସଚେତକ କମିଟି ଜରିଆରେ ଘରକୁ ଘର ବୁଲି କୋଭିଡ ଗାଇଡ଼ଲାଇନ ବାବଦରେ ବୁଝାଯାଇଛି। ପୁଣି ସମ୍ପର୍କ ଅଭିଯାନ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ ହୋଇଛି । ତଥାପି ଅନେକ ଲୋକ ମାନୁନାହାନ୍ତି । ଫଳରେ ସହରରେ ସଂକ୍ରମଣ ବଢିଚାଲିଛି। ତେଣୁ ଏବେ ନିୟମକୁ କଡ଼ାକଡ଼ି କରାଯାଇଛି,’’ କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀ ।



ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭,୦୦୦ ଟପିଲାଣି । କେବଳ ସେପ୍ଟେମ୍ବର ମାସର ୧୭ ଦିନରେ ସାତ ହଜାର ପାର କରିଛି ଏହି ସଂଖ୍ୟା । ଏହା ଏକ ଅତି ଚିନ୍ତାଜନକ ବିଷୟ । ଏତେ ସଚେତନତା ପରେ ବି ସ୍ଥିତି ନିୟନ୍ତ୍ରଣକୁ ଆସିପାରୁନି । ତେଣୁ ନିୟମକୁ କଡ଼ାକଡ଼ି କରିଛି ପୋଲିସ ।
Published by: Anand Shankar Thankur Das
First published: September 18, 2020, 10:41 PM IST
corona virus btn
corona virus btn
Loading