News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଏବେ କରୋନା ସଂକ୍ରମଣର ସ୍ଥିତି ଅଣାୟତ୍ତ ହୋଇଛି । ବଢ଼ିଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ରୋକିବା ପାଇବ ଆକ୍ସନ ମୋଡ଼କୁ ଆସିଛି ବିଏମସି । ଜନସଚେତନତା ସହ କୋଭିଡ ମୁକାବିଲା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମେଗା ହେଲଥ ସ୍କ୍ରିନିଂ କାର୍ଯ୍ୟକ୍ରମ ।
ଆୟୁଷ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନେଇ ଅନେକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବ ଏହି ସ୍କ୍ରିନିଂ ଟିମ। ଫୋକସରେ ରହିଛି ଅଣବସ୍ତି ଅଞ୍ଚଳ । ଗଞ୍ଜାମ ଭଳି ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏମିତି ହେଲଥ ସ୍କ୍ରିନିଂ ଆରମ୍ଭ ହୋଇଛି । ଘରକୁ ଘର ବୁଲି ହେଲଥ ସ୍କ୍ରିନିଂ କରିବା ଆରମ୍ଭ ହୋଇଛି ।
ଭୁବନେଶ୍ୱରରେ ଏ ନେଇ ୫୬୫ଟି ଟିମ ଗଠନ କରାଯାଇଛି। ଏଥିରେ ୧୦୦ ଜଣ ଆୟୁଷ ଡାକ୍ତର, ୫୦ ଜଣ ଏଏନଏମ୍ ଓ ୫୦ ଜଣ ଶିକ୍ଷକ ସାମିଲ ହୋଇଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ କୋଭିଡ-୧୯ ବାବଦରେ ଲୋକଙ୍କୁ ଅଧିକ ସଚେତନ କରିବେ ଏହି ଟିମଗୁଡ଼ିକ । ଦୈନିକ ୧୦୦ରୁ ୧୨୦ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ଲକ୍ଷ୍ୟ ରହିଛି।
‘‘ପର୍ଯ୍ୟାୟ କ୍ରମେ ହେଲଥ ସ୍କ୍ରିନିଂ କରାଯିବ। ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଯଦି କାହାର ଲକ୍ଷଣ ଥିବ ତୁରନ୍ତ ତାଙ୍କୁ ପରୀକ୍ଷା ପାଇଁ ପଠାଯିବ। ପଜିଟିଭ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯିବ,’’ କହିଛନ୍ତି ବିଏମସିର ଅତିରିକ୍ତ କମିଶନର ପାରୁଲ ପଟୱାରୀ ।
ପୂର୍ବରୁ ବସ୍ତି ଅଞ୍ଚଳରେ ଆକ୍ଟିଭ ସର୍ଭେଇଲାନ୍ସ ଓ ଡୋର-ଟୁ-ଡୋର ସର୍ଭେ କରି ସଫଳତା ମିଳିଛି। ଏବେ ବସ୍ତିରେ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଅଣାୟତ୍ତ ହୋଇଛି ଅଣବସ୍ତି ଅଞ୍ଚଳ। ତେଣୁ ଏବେ ଫୋକସରେ ଅଣବସ୍ତି ଅଞ୍ଚଳ। ପ୍ରତି ଜୋନ ପାଇଁ ଆୟୁଷ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଘରକୁ ଘର ବୁଲି ଏମାନେ ହେଲଥ ସ୍କ୍ରିନିଂ କରିବେ। ଫଳରେ କରୋନାକୁ ସଫଳତାର ସହ ମୁକାବିଲା କରିହେବ।
‘‘ପ୍ରାରମ୍ଭିକ ଭାବେ ତିନି ସପ୍ତାହ ଯାଏ ଏହି କାର୍ଯ୍ୟକ୍ରମ କରାଯିବ। ପ୍ରତି ସପ୍ତାହ ଶେଷରେ ସ୍ଥିତି ସମୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ ନୂଆ ଷ୍ଟ୍ରାଟେଜୀ ଆପଣାଯିବ,’’ କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀ।
ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ
ଏହା ବି ପଢ଼ନ୍ତୁ | ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୩,୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୪ ଜଣଙ୍କ ମୃତ୍ୟୁ ହେଲା
କଟକଣା ହଟିବା ପରେ ରାଜଧାନୀରେ ସ୍ୱାଭାବିକ ହୋଇଛି ଜନଜୀବନ। ଚଳଚଞ୍ଚଳ ହୋଇଛି ଅର୍ଥନୈତିକ କାର୍ଯ୍ୟକ୍ରମ। ଫଳରେ ସବୁଠି ଏବେ ଜନଗହଳି ଲାଗୁଛି। ତେବେ ସମସ୍ତଙ୍କୁ ସଚେତନ ରହିବା ସହ କୋଭିଡ-୧୯ ଗାଇଡ଼ଲାଇନ ପାଳନ କରିବା ଜରୁରୀ ବୋଲି ବିଏମସି କହିଛି।
ପ୍ରତି ଜୋନରେ ସମ୍ପର୍କ ଅଭିଯାନ ଜରିଆରେ ବିଭିନ୍ନ ସୋସାଇଟି, ୱେଲଫେୟାର ସଙ୍ଘ ଓ ଯୁବ ସଂଗଠନ ସହ ବି ସଂକ୍ରମଣ ରୋକିବା ପାଇଁ ସିଧାସଳଖ ଆଲୋଚନା କରିଛି ବିଏମସି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।