ଭୁବନେଶ୍ୱରରେ କରୋନା: ବସ୍ତିରେ ମାଡ଼ି ଚାଲିଛି ସଂକ୍ରମଣ; ହଟସ୍ପଟ ପାଲଟିଛି ନୟାପଲ୍ଲୀ ଅଞ୍ଚଳ

ସରକାରଙ୍କ ପାଖରେ ମାନବ ସମ୍ବଳର ବି ଅଭାବ ରହିଛି। ପ୍ରତି ଗଳି କନ୍ଦିରେ ଲୋକଙ୍କୁ ଜଗିବା ସମ୍ଭବ ନୁହେଁ । ବସ୍ତିରେ ସଂକ୍ରମଣ ରୋକିବା ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଜୁନ ପ୍ରଥମ ସପ୍ତାହରେ ପ୍ରଥମ ଥର ପାଇଁ ସାଲିଆସାହି ବସ୍ତିରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ।

ଜୁନ ପ୍ରଥମ ସପ୍ତାହରେ ପ୍ରଥମ ଥର ପାଇଁ ସାଲିଆସାହି ବସ୍ତିରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ।

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଲଗାତର ପାଞ୍ଚ ଦିନ ହେଲା ଶହେ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦୁଇ ହଜାର ଟପିଲାଣି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ଚିନ୍ତା ବଢ଼ାଇଛି ବସ୍ତି। ଭୁବନେଶ୍ୱରରେ କରୋନା ସ୍ଥିତିକୁ ବିଗାଡ଼ୁଛି ବସ୍ତି। ବସ୍ତି ଅଞ୍ଚଳରେ କଟକଣା ମାନିବାକୁ ଯେମିତି କେହି ରାଜି ନୁହନ୍ତି। କେତେକ ନିର୍ଦ୍ଦିଷ୍ଟ ବସ୍ତିରେ ଏବେ ସ୍ଥିତି ଅଣାୟତ୍ତ । ତଥାପି ଲୋକେ ନିୟମ ମାନୁନାହାନ୍ତି।

ଜୁନ ପ୍ରଥମ ସପ୍ତାହରେ ପ୍ରଥମ ଥର ପାଇଁ ସାଲିଆସାହି ବସ୍ତିରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ। କିଛି ଦିନ ପରେ ସେ ସୁସ୍ଥ ମଧ୍ୟ ହୋଇ ଯାଇଥିଲେ। ହେଲେ ଅଟକି ନ ଥିଲା ସଂକ୍ରମଣ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ବସ୍ତିକୁ ମାଡ଼ି ଚାଲିଲା କରୋନା । ଏକାଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଥମ ବସ୍ତି ଭାବେ ଡୁମୁଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ପରେ ଦିନକୁ ଦିନ ବଢି ଚାଲିଲା ବସ୍ତି ସଂକ୍ରମଣ ।

ଶିରିପୁର ଲକ୍ଷ୍ମୀବଜାର ବସ୍ତି, ଶରଣପଲ୍ଲୀ, ବାଲିଆପାଟ ଓ ମେଫେୟାର ପଛ ବସ୍ତି ଭଳି ବିଭିନ୍ନ ବସ୍ତିରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ ସପ୍ତାହକ ଭିତରେ ବିଗିଡ଼ି ଯାଇଛି ସ୍ଥିତି। ସହରର ପାଞ୍ଚଟି ବସ୍ତିରେ ଏବେ ସ୍ଥିତି ଅଣାୟତ। ତ୍ରିନାଥ ବସ୍ତି, ଗଣପତି ନଗର, ସୀତାପୁର, ହରିନଗର ଏବଂ ଆଖଣ୍ଡଳମଣି ବସ୍ତିରେ ସ୍ଥିତି ସଙ୍ଗୀନ ହୋଇଛି।

ସୀତାପୁର ବସ୍ତିରେ ୩୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଲେଣି ।


ହଟସ୍ପଟ ପାଲଟିଛି ନୟାପଲ୍ଲୀ ଅଞ୍ଚଳ। ନୟାପଲ୍ଲୀର ତିନୋଟି ବସ୍ତି ଯଥା ତ୍ରିନାଥ ବସ୍ତି, ସୀତାପୁର, ଗଣାପତିନଗର ବସ୍ତି ଏବେ କଣ୍ଟେନମେଣ୍ଟ ଜୋନ ଭିତରେ । ତ୍ରିନାଥ ବସ୍ତିରେ ସୋମବାର ଗୋଟିଏ ଦିନରେ ୪୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଏଠି ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଉପରେ।

‘‘ବିଶେଷ କରି ଏଠି ବାହାର ଜିଲ୍ଲାର ଶ୍ରମିକ ରହୁଛନ୍ତି। ସେମାନେ ନିୟମ ମାନୁନାହାନ୍ତି। ଏକାଠି ବସାଉଠା, ଖଟି ଗପ କରୁଛନ୍ତି। ବାହାରକୁ କାମ ପାଇଁ ବି ଯାଉଛନ୍ତି। କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିଲେ ବି କଟକଣା ମାନୁନାହାନ୍ତି। ପୂର୍ବ ଭଳି ବାହାରେ ବୁଲିଛନ୍ତି। ତେଣୁ କଟକଣା କଡ଼ାକଡ଼ି କରିବା ସହ ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ,’’ କହିଛନ୍ତି କୋଭିଡ ସଚେତକ କମିଟି ସଦସ୍ୟ ନବକିଶୋର ବେହେରା।

ସୀତାପୁର ବସ୍ତିରେ ବି ସମାନ ସ୍ଥିତି। ଏଠି ୩୦ରୁ ଅଧିକ ପଜିଟିଭ ଚିହ୍ନଟ ହେଲେଣି। ଗଣପତି ନଗର ବସ୍ତିରେ ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆ ସାହିର ବିଭିନ୍ନ ଅଞ୍ଚଳରୁ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହା ଏବେ ରାଜଧାନୀ ପାଇଁ ବିପଦ ହୋଇଛି। ୟୁନିଟ-୧ ଆଖଣ୍ଡଳମଣି ବସ୍ତିରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏଠି ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି।

ବିଏମସି ପକ୍ଷରୁ ଯେତେ କଟକଣା ହେଲେ ବି ବସ୍ତିବାସିନ୍ଦା ତାକୁ ମାନୁନାହାନ୍ତି, ଯାହା ଫଳରେ ସଂକ୍ରମଣ ବଡ଼ିଚାଲିଛି। ମୁଖ୍ୟତଃ ବାହାର ଜିଲ୍ଲାରୁ ଲୋକ ଆସି ବସ୍ତିରେ ରହିବା, କଣ୍ଟେନମେଣ୍ଟ ଜୋନକୁ ନ ମାନିବା, ସାମାଜିକ ଦୂରତା ନ ମାନିବା ଓ ବିନା ମାସ୍କରେ ବାହାରେ ବୁଲିବା ଏବେ ବସ୍ତି ବାସିନ୍ଦାଙ୍କ ପାଇଁ ମହଙ୍ଗା ହୋଇଛି। ଆଉ ବିଏମସି ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।

‘‘ସରକାରଙ୍କ ପକ୍ଷରୁ ଚାଲିଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପ କେବଳ ରୋଗ ନିୟନ୍ତ୍ରଣ ଉପରେ ଫୋକସ ରଖିଛି। ହେଲେ ରୋଗ ଆରମ୍ଭ ଆଗରୁ କିଭଳି ତାକୁ ରୋକାଯିବ ସେ ନେଇ ବିଶେଷ କାର୍ଯ୍ୟକ୍ରମ ନାହିଁ। ତେଣୁ ରୋଗ କେଉଁଠି ବ୍ୟାପିବ, ତାକୁ କିଭଳି ନିୟନ୍ତ୍ରଣ କରାଯିବ ତା ଉପରେ ଗୁରୁତ୍ୱ ଦେବା କଥା,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସମୀକ୍ଷକ ଅକ୍ଷୟ କୁମାର ସାହୁ ।

ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ

ଏହା ବି ପଢ଼ନ୍ତୁ: ଭାରତରେ PUBG ସମେତ ଆହୁରି ୨୭୫ଟି ଚାଇନିଜ୍ ଆପ୍ ଖୁବ୍ ଜଲଦି ବ୍ୟାନ୍ ହୋଇପାରେ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ

ସରକାରଙ୍କ ପାଖରେ ମାନବ ସମ୍ବଳର ବି ଅଭାବ ରହିଛି। ପ୍ରତି ଗଳିକନ୍ଦିରେ ଲୋକଙ୍କୁ ଜଗିବା ସମ୍ଭବ ନୁହେଁ। ତେଣୁ ବସ୍ତି ସଂକ୍ରମଣ ରୋକିବା ଦାୟିତ୍ୱ ବସ୍ତି ବାସିନ୍ଦାଙ୍କ ଉପରେ ଛାଡ଼ିଦେବା ଉଚିତ ବୋଲି ସାହୁ କହିଛନ୍ତି। ‘‘ପ୍ରଥମେ କମ୍ୟୁନିଟି ଲିଡର ତିଆରି କରାଯାଉ। ପରେ ସେମାନଙ୍କ ହାତରେ ସେମାନଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଉ। ତେବେ ଯାଇ ସ୍ଥିତି ସୁଧୁରିପାରିବ,’’ ସେ କହିଛନ୍ତି ।
Published by:Anand Shankar Thankur Das
First published: