ରାଜ୍ୟରେ କରୋନା ସଂକ୍ରମଣ ଆଗାମୀ ଦିନରେ ୩୦ ଗୁଣ ପର୍ଯ୍ୟନ୍ତ ବଢ଼ିଯାଇପାରେ: ILS ବୈଜ୍ଞାନିକ
କରୋନା ଭାଇରସ୍ ସଂକ୍ରମଣ ବାୟୁ-ବାହିତ ବୋଲି ବିଶ୍ବର ବହୁ ଦେଶର ବୈଜ୍ଞାନିକଙ୍କ ଦାବି ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ବୀକାର ପରେ ଆମ ରାଜ୍ୟରେ ସଚେତନତା ଓ ସାବଧାନୀର ଆବଶ୍ୟକତା ବହୁ ଗୁଣା ବଢ଼ିଯାଇଛି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: July 10, 2020, 7:09 PM IST
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣକୁ ନେଇ ବଢ଼ିଲା ଚିନ୍ତା । ବିଶେଷ କରି ଏହା ଏକ ବାୟୁ-ବାହିତ ରୋଗ ବୋଲି ବିଶ୍ବର ବହୁ ଦେଶର ବୈଜ୍ଞାନିକଙ୍କ ଦାବି ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ସ୍ବୀକାର ପରେ ଏହି ଚିନ୍ତା ଦ୍ବିଗୁଣିତ ହୋଇଛି । ଏଭଳି ସ୍ଥିତିରେ ରାଜ୍ୟରେ କରୋନା ସଂକ୍ରମଣ ଆଗକୁ ୩୦ ଗୁଣରୁ ଅଧିକ ହେବା ଆଶଙ୍କା ଅଛି ବୋଲି ବରିଷ୍ଠ ବୈଜ୍ଞାନିକମାନେ ମତ ଦେଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ସୀମା ସିଲ୍ କରିବା ସହିତ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଛନ୍ତି, ଯାହାକୁ ଲୋକେ ପୂର୍ବ ପରି ପାଳନ କରିବା ଜରୁରୀ।
କରୋନା ଭାଇରସ ସଂକ୍ରମଣ ବାୟୁ-ବାହିତ ରୋଗ ବୋଲି ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକଙ୍କ ଦାବି ଆଧାରରେ WHO ମଧ୍ୟ କରୋନା ଗାଇଡ଼ଲାଇନକୁ ବଦଳାଇଛି। WHOର ସୂଚନା ଅନୁସାରେ ଅନେକ କ୍ଷେତ୍ରରେ ବାୟୁରେ ୬ ମିଟର ବା ତା’ଠାରୁ ଅଧିକ ଦୂରତା ପର୍ଯ୍ୟନ୍ତ କରୋନା ଭୁତାଣୁ ଯାଇପାରିବାର ସମ୍ଭାବନା ଅଧିକ। ଏହା ବାଦ ନିବୁଜ କୋଠରୀ ଓ ସଙ୍କୁଚିତ ଇଲାକା ଆଦିରେ ବାୟୁ ଜରିଆରେ ଏହା ସଂକ୍ରମିତ ହେବା ସମ୍ଭାବନା ଅଧିକ।
WHOର ଏହା ସଠିକ ଆକଳନ ବୋଲି ମତ ରଖିଛନ୍ତି ଭୁବନେଶ୍ୱର ସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡଃ ସନ୍ଦୀପ ମିଶ୍ର । ‘‘ନିହାତି ଭାବେ ଆଗକୁ ଆହୁରି କଠୋର ସମୟ ଆସୁଛି । ସଂକ୍ରମଣ ଆହୁରି ବଢ଼ିବା ସମ୍ଭାବନା ଅଧିକ । ବିଶେଷ କରି ୬ ମିଟର ଦୂରତା ପର୍ଯ୍ୟନ୍ତ ଏହି ଭାଇରସ କାଶ କିମ୍ବା ଛିଙ୍କରେ ଯାଇପାରନ୍ତି। ହୁଏତ ଏହି କାରଣରୁ ରାଜ୍ୟରେ ୩୦ ଗୁଣ ପର୍ଯ୍ୟନ୍ତ ବଢ଼ିଯାଇପାରେ କରୋନା ସଂକ୍ରମଣ ହାର। ତେଣୁ ପୂର୍ବ ଅପେକ୍ଷା ଆମେ ଅଧିକ ସତର୍କ ହେବା ଜରୁରୀ। ମାସ୍କ ପିନ୍ଧିବା ନିୟମକୁ ଅଧିକ କଡ଼ାକଡ଼ି କରାଯିବା ଦରକାର। ନହେଲେ ସ୍ଥିତି ଅସମ୍ଭାଳ ହେବ,’’ ସେ କହିଛନ୍ତି ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଗଠିତ କୋଭିଡ ମୁକାବିଲା ପ୍ରଶିକ୍ଷଣ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ‘‘WHOର ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ତତ୍ପର ଅଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସୀମା ସିଲ ଠାରୁ ଆରମ୍ଭ କରି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏସବୁ କ୍ଷେତ୍ରରେ ଲୋକଙ୍କ ସହଯୋଗ ଜରୁରୀ। ଲୋକମାନେ ସରକାରୀ ନିୟମକୁ ଠିକ ଭାବେ ଅନୁପାଳନ କରିବା ଦରକାର ।’’
ଏହା ବି ପଢ଼ନ୍ତୁ: UP ଏନକାଉଣ୍ଟରର ଦିନକ ଆଗରୁ ଦାଖଲ ପିଟିସନରେ ଅନୁମାନ ହୋଇଥିଲା ଯେ ଦୁବେକୁ ମାରିଦେବ ପୋଲିସ୍
ସରକାରଙ୍କ ଏହି ଉଦ୍ୟମକୁ ସାଧାରଣରେ ମିଳିଛି ସମର୍ଥନ। ଲୋକଙ୍କ ମତରେ ବାୟୁରେ କରୋନା ସଂକ୍ରମଣ ବହୁଗୁଣିତ ହେବା ସମ୍ଭାବନା ଯଥେଷ୍ଟ ଅଧିକ ଥିବାରୁ ସଚେତନତା ଓ ସାବଧାନୀ ବହୁତ ଜରୁରୀ ।