News18 Odia Digital
ଭଦ୍ରକ: ଉତ୍ତର ଓ ଉପକୂଳ ଓଡ଼ିଶାର ଗ୍ରାମାଞ୍ଚଳରୁ ଏକାଧିକ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହି ମାରାତ୍ମକ ମହାମାରୀ ସହର ଛାଡ଼ି ଏବେ ଗାଁ ମୁହାଁ ହେଉଥିବା ସନ୍ଦେହ ଘନୀଭୂତ ହୋଇଛି । ଭଦ୍ରକ ଜିଲ୍ଲାର ଭଣ୍ତାରିପୋଖରୀ ଓ ବାସୁଦେବପୁର ବ୍ଲକର ଗ୍ରାମାଞ୍ଚଳରୁ ପାଞ୍ଚଟି ନୂଆ ପଜିଟିଭ କେସ୍ ଆସିବା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସଂକ୍ରମଣ ଆଶଙ୍କାରେ ବାଉଁଶ ବାଡ଼ ପକାଇ ନିଜେ ଗାଁ ସିଲ୍ କରୁଛନ୍ତି ଅଞ୍ଚଳବାସୀ ।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହରେ ପ୍ରାୟ ଶହେ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ବେଳେ ସଂପୃକ୍ତ ପଞ୍ଚାୟତରେ ଜୋରୋସୋରେ ଚାଲିଛି ସ୍ବାସ୍ଥ୍ୟ ସର୍ଭେ । ପୂର୍ବରୁ ଭଦ୍ରକ ସହରାଞ୍ଚଳରୁ ତିନି ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଭଣ୍ଡାରୀପୋଖରୀର ତେସିଂଗା ଓ ରହଣିଆ ପଞ୍ଚାୟତରୁ ୨ ଓ ବାସୁଦେବପୁରର ଲକ୍ଷ୍ମୀଦାସପୁର, ବିନାୟକପୁର ଓ ପଦ୍ମପୁର ପଞ୍ଚାୟତୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପଶ୍ଚିମ ବଙ୍ଗରୁ ଫେରିଥିବା ଜଣାପଡ଼ିଛି ।
କରୋନା ଭାଇରସ୍ ଗାଁ ମୁହାଁ ହେଉଥିବା ସନ୍ଦେହ କରି ଗ୍ରାମବାସୀମାନେ ଆତଙ୍କିତ ହୋଇଛନ୍ତି । ଲକଡାଉନ ଉଲ୍ଲଙ୍ଘନ ଓ ସଂକ୍ରମଣର ଆଶଙ୍କା ଏଡ଼ାଇବାକୁ ଗାଁ ଲୋକେ ନିଜେ ବାଉଁଶ ବାନ୍ଧି ପ୍ରବେଶ ପଥ ସିଲ୍ କରିଛନ୍ତି । ନୂଆ ଆକ୍ରାନ୍ତଙ୍କ ପଞ୍ଚାୟତରେ ଚାଲିଛି ଡାକ୍ତରୀ ଟିମ୍ର ବ୍ୟାପକ ସ୍ବାସ୍ଥ୍ୟ ସର୍ଭେ । ଅଙ୍ଗନବାଡ଼ି ଓ ଆଶା ଦିଦିଙ୍କ ସହ ସ୍ବାସ୍ଥ୍ୟ କର୍ମୀ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ସନ୍ଦିଗ୍ଧଙ୍କ ନମୁନା ମଧ୍ୟ ସଂଗ୍ରହ କରୁଛନ୍ତି ।

ଅଙ୍ଗନବାଡ଼ି ଓ ଆଶା ଦିଦିଙ୍କ ସହ ସ୍ବାସ୍ଥ୍ୟ କର୍ମୀ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ଓ ସନ୍ଦିଗ୍ଧଙ୍କ ନମୁନା ମଧ୍ୟ ସଂଗ୍ରହ କରୁଛନ୍ତି ।
‘‘ଏହି ନୂଆ ମାମଲାଗୁଡ଼ିକ ସାମନାକୁ ଆସିବା ପରେ ଲୋକେ ଆହୁରି ସଚେତନ ହୋଇଛନ୍ତି । କୌଣସି ଲୋକ ନିହାତି ଦରକାର ନ ହେଲେ ଘରୁ ବାହାରୁ ନାହାନ୍ତି । ତା’ଛଡ଼ା ଗାଁ ଭିତରକୁ ଗ୍ରାମବାସୀମାନେ ବାହାର ଲୋକଙ୍କୁ ପ୍ରବେଶ କରାଇ ଦେଉନାହାନ୍ତି,’’ କହିଛନ୍ତି ପଦ୍ମପୁର ବାସିନ୍ଦା ସ୍ମିତା ରାଉତ ।
ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକର ପାଞ୍ଚଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଏହାର ତଦାରଖ ପାଇଁ ୫ ଜଣ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ପ୍ରାରମ୍ଭିକ କଣ୍ଟାକ୍ଟ ଟ୍ରେସିଂ ପରେ ପ୍ରାୟ ଶହେ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ସେପଟେ ପୋଲିସ ପକ୍ଷରୁ ମଧ୍ୟ କଡା ଆଭିମୁଖ୍ୟ ସ୍ୱରୂପ ପାଟ୍ରୋଲିଂ ସହ ଚେକିଂ ବ୍ଲକିଂ ଜୋରଦାର କରାଯାଇଛି ।
କରୋନା ଭାଇରସର ମୁକାବିଲା ପାଇଁ ଲକଡାଉନ ସତ୍ତ୍ବେ ଲୋକ ଲୁଚିଛପି ବାହାର ରାଜ୍ୟରୁ ଆସୁଛନ୍ତି ଓ ଏ ନେଇ କାହାକୁ ଜଣାଉନାହାନ୍ତି । ଏହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବଥା ସାଜିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।