କରୋନା ଓ ଲକଡାଉନ୍ ମାଡ଼ରେ ଧରାଶୟୀ ହୋଇଛନ୍ତି ଓଡିଶାର କ୍ଷୁଦ୍ର ଶିଳ୍ପ ସଂସ୍ଥାମାନେ

ଲକଡ଼ାଉନ ଯୋଗୁଁ ରାଜ୍ୟରେ ଅଢେଇ ଲକ୍ଷ କାରଖାନା ବନ୍ଦ ହୋଇ ରହିଛି । ସେମାନଙ୍କ ଉପରେ ନିର୍ଭର କରୁଥିବା ଲକ୍ଷଲକ୍ଷ ଶ୍ରମିକ ଓ କର୍ମଚାରୀ ଦୁର୍ଦ୍ଦିନରେ ଗତି କରୁଛନ୍ତି ।

କରୋନା ଓ ଲକଡାଉନ୍ ମାଡ଼ରେ ଧରାଶୟୀ ହୋଇଛନ୍ତି ଓଡିଶାର କ୍ଷୁଦ୍ର ଶିଳ୍ପ ସଂସ୍ଥାମାନେ
କଟକ ନିକଟସ୍ଥ ଜଗତପୁରରେ ଥିବା ଶିଳ୍ପାଞ୍ଚଳକୁ ଯିବାକୁ ରାସ୍ତା
  • News18 Odia
  • Last Updated: April 16, 2020, 4:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ଭାଇରସ୍‌ ଯୋଗୁଁ ଲାଗିଥିବା ଲକଡ଼ାଉନ ରାଜ୍ୟର ଶିଳ୍ପ ସଂସ୍ଥାଗୁଡିକୁ ଗୁରୁତର ଭାବେ ପ୍ରଭାବିତ କରିଛି । ପାଖାପାଖି ମାସେ ଧରି କଳକାରଖାନାଗୁଡ଼ିକ ବନ୍ଦ ରହିଥିବାରୁ ହାତ ବାନ୍ଧି ବସିଛନ୍ତି ଲକ୍ଷ ଲକ୍ଷ କର୍ମଚାରୀ ।

ରାଜ୍ୟର ଅନ୍ୟତମ ପୁରାତନ ଶିଳ୍ପାଞ୍ଚଳ ଜଗତପୁରରେ କରୋନା ଓ ଲକଡ଼ାଉନର ପ୍ରଭାବ ଦେଖିବାକୁ ମିଳିଛି । ଦିନ ରାତି କାରଖାନାଗୁଡିକର ଶବ୍ଦରେ ପ୍ରତିଧ୍ବନିତ ହେଉଥିବା ଏହି ଶିଳ୍ପାଞ୍ଚଳରେ ଏବେ ଏକ ଅଦ୍ଭୁତ ନିରବତା ବ୍ୟାପିଛି । ଫାକ୍ଟ୍ରିମାନଙ୍କର ଗେଟରେ ତାଲା ଝୁଲୁଛି ଓ ରାସ୍ତାଘାଟ ସୁନଶାନ୍‌ ରହିଛି ।

ଏଠାରେ ଥିବା ୩୦୦ରୁ ଉର୍ଦ୍ଧ କାରଖାନା ମଧ୍ୟରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ତିଆରି କରୁଥିବା ହାତଗଣତି କେତୋଟି କମ୍ପାନୀଗୁଡିକୁ ବାଦ ଦେଲେ ଅନ୍ୟ କାରଖାନାଗୁଡିକ ବନ୍ଦ ରହିଛି । ପାଖାପାଖି ୧୫,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ଦେଇଥିବା ଏହି ଶିଳ୍ପାଞ୍ଚଳର ଅଧିକାଂଶ କର୍ମଚାରୀ ନିଜ ନିଜ ଘରକୁ ଚାଲିଯାଇଛନ୍ତି । ଆଉ ଯେଉଁ କିଛି କର୍ମଚାରୀ ରହିଯାଇଛନ୍ତି, ସେମାନେ ଭଗବାନଙ୍କ ଭରଷାରେ ଥିବା କହିଛନ୍ତି ।

ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ ଶିଳ୍ପ ସଂସ୍ଥା


“ଯେଉଁମାନେ ଯିବା କଥା ସେମାନେ ନିଜନିଜ ଘରକୁ ଚାଲିଯାଇଛନ୍ତି । ଆମେମାନେ କିଛି ଲୋକ ଭାଗ୍ୟକୁ ଆଦରି ଏଠାରେ ପଡ଼ି ରହିଛୁ । ଏହି ଭଳି ପରିସ୍ଥିତିରେ ସରକାର ବି କଣ କରିବ? ତେଣୁ କେବଳ ଭଗବାନଙ୍କ ଭରଷାରେ ବଞ୍ଚିଛୁ, ଆଜ୍ଞା,’’ କହିଛନ୍ତି ଏକ ପାଇପ କାରଖାନାର କର୍ମଚାରୀ ଅଲେଖ ଖୁଣ୍ଟିଆ।

ଏକ ପ୍ଲାଷ୍ଟିକ୍ ଉତ୍ପାଦ ତିଆରି କମ୍ପାନୀରେ କାମ କରୁଥିବା ପଟ୍ଟାମୁଣ୍ଡାଇ ବାସିନ୍ଦା ଅର୍ଜୁନ ପ୍ରଧାନ କହିଛନ୍ତି ଯେ ତାଙ୍କୁ ପୂରା ଦରମା ଏ ପର୍ଯ୍ୟନ୍ତ ମିଳି ନାହିଁ । “ଯେତିକି ଦିନ କାମ କରିଥିଲି ମାଲିକ ତାର ଅଧା ପଇସା ଦେଇ ଆଉ ଅଧା ପଇସା ବାକି ରଖିଛନ୍ତି । ଫୋନ ସୁଇଚ୍ ଅଫ୍‌ ଥିବାରୁ ତାଙ୍କ ସହିତ କଥା ହୋଇ ପାରୁନାହିଁ । ମୋ’ର ଅଳ୍ପ କିଛି ସଞ୍ଚୟ ଅଛି । ସେଥିରେ ଯେତିକି ଦିନ ହୋଇପାରିବ ଚଳିବି, ନ ହେଲେ ଗାଁକୁ ଚାଲିଯିବି,’’ ସେ କହିଛନ୍ତି ।

କେବଳ ଜଗତପୁର ନୁହେଁ ବରଂ ରାଜ୍ୟର ସମସ୍ତ ଶିଳ୍ପାଞ୍ଚଳ ଓ ଶିଳ୍ପ ସଂସ୍ଥାଗୁଡିକରେ ଏବେ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଓଡିଶାରେ ଥିବା ପାଖାପାଖି ଅଢେଇ ଲକ୍ଷ MSME ବା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ଅତି ଖରାପ ଅବସ୍ଥା ଦେଇ ଗତି କରୁଛନ୍ତି । ଉତ୍ପାଦନ ବନ୍ଦ ହେବା ସହ ଯୋଗାଣ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ଫଳରେ କ୍ଷୁଦ୍ର ଶିଳ୍ପ ଉପରେ ନିର୍ଭର କରି ରହୁଥିବା ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ ଲୋକ ସିଧାସଳଖ ପ୍ରଭାବିତ ହୋଇଛନ୍ତି ।

“ବର୍ତ୍ତମାନ କାରଖାନାଗୁଡ଼ିକ ବହୁତ କ୍ଷତି ମଧ୍ୟ ଦେଇ ଗତି କରୁଛି । ଉତ୍ପାଦନ ବନ୍ଦ ରହିବା ସହିତ ଅନ୍ୟାନ୍ୟ ପ୍ରତିବନ୍ଧକ ଯୋଗୁଁ ୧୦ ବର୍ଷ ପଛକୁ ଚାଲିଯାଇଥିବା ଭଳି ଆମେ ମନେ କରୁଛୁ । ଅତ୍ୟବଶ୍ୟକ ସାମଗ୍ରୀ ତିଆରି କରୁଥିବା କାରଖାନାଗୁଡ଼ିକ ମଧ୍ୟ ଅଳ୍ପ କର୍ମଚାରୀଙ୍କୁ ନେଇ କାମ କରୁଛନ୍ତି । ପୁଣି ଥରେ ସ୍ବାଭାବିକ ଭାବେ କାମ ଆରମ୍ଭ ହେବା ପାଇଁ ସମୟ ଦରକାର ଓ ସରକାରଙ୍କ ସହଯୋଗ ମଧ୍ୟ ଆବଶ୍ୟକ,’’ କହିଛନ୍ତି ଓଡିଶା MSME ସଙ୍ଘର ଅଧ୍ୟକ୍ଷ ଅବନୀ କାନୁନଗୋ ।
First published: April 16, 2020, 4:13 PM IST
corona virus btn
corona virus btn
Loading