କରୋନା ଭାଇରସର ପ୍ରକୋପ ବଢ଼ି ଚାଲିଛି; ଦେଶରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୪୩ ଛୁଇଁଲା

କେରଳର ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସ୍ବାବ ଟେଷ୍ଟ ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରେ ଅଛି ଗୋଟେ ତିନି ବର୍ଷର ଶିଶୁ । କରୋନା ଯୋଗୁଁ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୩,୬୩୯ରେ ପହଞ୍ଚିଛି । ଏ ଯାଏଁ ୧ ଲକ୍ଷ ୧୦ ହଜାରରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।

କରୋନା ଭାଇରସର ପ୍ରକୋପ ବଢ଼ି ଚାଲିଛି; ଦେଶରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୪୩ ଛୁଇଁଲା
ହାଇଦ୍ରାବାଦ ବିମାନ ବନ୍ଦରରେ ଏକ କରୋନା ଯାଞ୍ଚ କେନ୍ଦ୍ର ପରିଦର୍ଶନ କରୁଛନ୍ତି ତେଲଙ୍ଗାନାର ସ୍ୱାସ୍ଥ୍ୟ ମନ୍ତ୍ରୀ ଏଟେଲା ରାଜେନ୍ଦ୍ର।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦୁଇ ଦିନରେ ଭାରତରେ ୧୦ ଜଣ କରୋନା ପଜିଟିଭ ଲୋକଙ୍କୁ ଚ଼ିହ୍ନଟ କରାଯାଇଛି, ଆଉ ଏଥି ସହିତ ଏ ପର୍ଯ୍ୟନ୍ତ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଛୁଇଁଛି । ଦେଶର ସବୁ ପ୍ରମୁଖ ହସପିଟାଲରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ଯାଞ୍ଚର ବ୍ୟବସ୍ଥା ଆହୁରି ସୁଦୃଢ଼ କରାଯିବା ସହିତ ସତର୍କତା ପାଇଁ ଅଧିକ ସଚେତନତା ସୃଷ୍ଟି କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

କେରଳର ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସ୍ବାବ ଟେଷ୍ଟ ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରେ ଅଛି ଗୋଟେ ତିନି ବର୍ଷର ଶିଶୁ । ନିକଟରେ ଶିଶୁଟି ପରିବାରର ଦୁଇ ଜଣ ସଦସ୍ଯଙ୍କ ସହ ସହ ଇଟାଲି ଗସ୍ତରେ ଯାଇଥିଲା । ଆକ୍ରାନ୍ତ ଶିଶୁକୁ ଏର୍ଣ୍ଣାକୁଲମରେ ଏକ ହସ୍ପିଟାଲର ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଉପରେ କଡ଼ା ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ ।

‘‘ଶନିବାର ରାତିରେ ଏହି ପରିବାରକୁ କରୋନା ଆକ୍ରାନ୍ତ କରିଥିବା ସ୍ପଷ୍ଟ ହୋଇଥିଲା । ଆକ୍ରାନ୍ତ ଲୋକେ ଏୟାରପୋର୍ଟରେ ନିଜର ଯାତ୍ରା ସମ୍ପର୍କରେ ଅବଗତ କରାଇ ନ ଥିଲେ । ଫଳରେ ସେମାନଙ୍କର ଯାଞ୍ଚ ହୋଇପାରି ନଥିଲା । ୫୦ ବର୍ଷୀୟ ଦମ୍ପତି ନିଜ ପୁଅ ସହ ଫେବ୍ରୁଆରୀ ୨୯ ତାରିଖରେ ଇଟାଲୀରୁ ଭାରତ ଫେରିଥିଲେ,’’ କହିଛନ୍ତି କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ କେ. କେ. ଶୈଳଜା ।

ଇଟାଲୀରୁ ଫେରିବା ପରେ ଏହି ପରିବାର ନିଜର କିଛି ସମ୍ପର୍କୀୟଙ୍କୁ ବି ଭେଟିଥିଲେ । ସେହି ସମ୍ପର୍କୀୟମାନେ ସେମାନଙ୍କ ନିକଟରେ କୋରୋନା ଲକ୍ଷଣ ଜାଣିବା ପରେ ମେଡିକାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ କେରଳରେ ତିନି ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ । ବୁହାନରେ ପଢୁଥିବା ଏହି ତିନି ଜଣ ଛାତ୍ର କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ସେମାନେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଜାମ୍ମୁ ଓ କାଶ୍ମୀରେ ମଧ୍ୟ ଜଣେ ୬୩ ବର୍ଷୀୟ ବୃଦ୍ଧା ସ୍ବାବ ଟେଷ୍ଟ  ପଜିଟିଭ ଆସିଛି । କରୋନାର ପ୍ରଭାବକୁ ଦେଖି ଅରୁଣାଚଳ ପ୍ରଦେଶ ସରକାର ବିଦେଶୀ ନାଗରିକଙ୍କ ରାଜ୍ୟକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଇଜିପ୍ଟରେ ଆଉ ୩୩ଟି ନୂଆ ମାମଲା ସାମନାକୁ ଆସିଛି । ନୀଳ ନଦୀରେ ଫସିଥିବା ଏକ ଜାହାଜର ଅଧିକାଂଶ ଲୋକେ କୋରୋନାରେ ଆକ୍ରାନ୍ତ ହୋଇଥିବା ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଇରାନରେ ରବିବାର କରୋନା ଯୋଗୁଁ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ସେଠାରେ ମୃତ୍ୟୁ ସଂଖ୍ୟା ୧୯୪ରେ ପହଞ୍ଚିଛି । ଚୀନ ପରେ ଇରାନରେ ହିଁ ସର୍ବାଧିକ କରୋନା ମୃତ୍ୟୁ ଘଟିଛି । ଅନ୍ୟ ଏକ ଅସମ୍ବନ୍ଧିତ ଖବର ଅନୁସାରେ ଚୀନରେ ଏକ ହୋଟେଲ ଭୁଶୁଡ଼ି ପଡ଼ିବାରୁ ୧୦ଜଣଙ୍କର ମୃତ୍ୟୁ ହୋଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ କରୋନାରେ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୩,୬୩୯ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ୧ ଲକ୍ଷ ୧୦ ହଜାରରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଆମେରିକାରେ ୫୦୦ରୁ ଅଧିକ ଲୋକ ଏହି ଭାଇରସରେ ଅକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆମେରିକାରେ ଭାଇରସ୍‌ରେ ଏ ପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଲାଣି ।
First published: March 9, 2020, 5:47 PM IST