ରୂପ ବଦଳାଉଛି କରୋନା ଭୂତାଣୁ; କୋଭିଡ ଟିକା ବିକାଶ ପ୍ରକ୍ରିୟାକୁ ଏହା ବାଟବଣା କରିପାରେ

କ୍ରମାଗତ ଭାବେ ରୂପ ବଦଳାଉଛି କରୋନା ଭାଇରସ୍ । ନିକଟରେ ଓଡ଼ିଶାର ୧୮ଟି ଜିଲ୍ଲାରୁ ସଂଗୃହିତ ୨୨୫ଟି ସାମ୍ପଲ୍ ଭିତରୁ ୫ଟି କ୍ଲେଡ଼ର କରୋନା ଭୂତାଣୁର ସନ୍ଧାନ ମିଳିଛି । ଏହା ଆଗକୁ ଆସୁଥିବା ଟିକାର ସଫଳତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭୂତାଣୁର ବଦଳୁଥିବା ରୂପ ବା ଭିନ୍ନ ଭିନ୍ନ ପ୍ରକାରର କ୍ଲେଡ଼ (clade) ଆଗକୁ କୋଭିଡ ଟିକା ବା କୋଭାକ୍ସିନ ବିକଶିତ କରିବାରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଅର୍ଥାତ ବିଳମ୍ବ ହୋଇପାରେ ପୂର୍ଣାଙ୍ଗ କୋଭିଡ ଟିକା ଉପଲବ୍ଧି। ରାଜ୍ୟରେ ଭିନ୍ନ ଭିନ୍ନ ୫ ପ୍ରକାରର କରୋନା ଭୂତାଣୁର ସନ୍ଧାନ ପରେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ବୈଜ୍ଞାନିକ ଓ ଡାକ୍ତରମାନେ। ସେମାନଙ୍କ ମତରେ କୌଣସି ଭୂତାଣୁର କ୍ଲେଡ଼ ଅନୁସାରେ ଟିକା ପ୍ରସ୍ତୁତ ହେଉଥିବା ବେଳେ ଏକାଧିକ ପ୍ରକାରର କ୍ଲେଡ଼ ଏଥିରେ ସମସ୍ୟା ସୃଷ୍ଟି କରିଥାଏ। ତେବେ ସଂଖ୍ୟା ଅଧିକ ଥିବା କ୍ଲେଡ ଅନୁସାରେ ଟୀକା ପ୍ରସ୍ତୁତ କରାଗଲେ ମଧ୍ୟ ତାହା ଅଧିକ ଫଳପ୍ରଦ ହୋଇ ନ ପାରେ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି ।

କ୍ରମାଗତ ଭାବେ ରୂପ ବଦଳାଉଛି କରୋନା ଭାଇରସ୍‌ । ଏକ, ଦୁଇ ବା ତିନି ପ୍ରକାରର ନୁହେଁ, ବରଂ ପାଞ୍ଚ ପ୍ରକାର ରୂପରେ ଏବେ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି ଏହି ମହାମାରୀର ଭୂତାଣୁ । ଏହା ଭୁବନେଶ୍ବର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇ.ଏଲ.ଏସ.) ଓ ଆଞ୍ଚଳିକ ମେଡିକାଲ ଗବେଷଣା ସଂସ୍ଥା (ଆର.ଏମ.ଆର.ସି.)ର ମିଳିତ ଗବେଷଣାରୁ ସ୍ପଷ୍ଟ ହୋଇଛି। ଏହି ଗବେଷଣାର ଉପଲବ୍ଧିକୁ ନେଇ ବଢ଼ିଛି ଚିନ୍ତା।  ନିକଟରେ ମାତ୍ର ୧୮ଟି ଜିଲ୍ଲାରୁ ସଂଗୃହିତ ୨୨୫ଟି ସାମ୍ପଲ୍‌ ଭିତରୁ ୫ଟି କ୍ଲେଡ଼ର କରୋନା ଭୂତାଣୁର ସନ୍ଧାନ ମିଳିଥିଲା ବେଳେ ଏହା କରୋନା ଟିକା ବା କୋଭାକ୍ସିନ ପ୍ରସ୍ତୁତି କରିବାରେ ପ୍ରତିବନ୍ଧକ ସାଜିପାରେ ବୋଲି ଉଭୟ ବୈଜ୍ଞାନିକ ଓ ଡାକ୍ତରମାନେ ମତ ଦେଇଛନ୍ତି ।

‘‘ମାତ୍ର ୨୨୫ଟି ସାମ୍ପଲର ଜେନମ୍‌ ଅନୁଶୀଳନ ପରେ ୫ଟି ଭିନ୍ନ ଭିନ୍ନ କ୍ଲେଡ଼ର କୋଭିଡ ଭୂତାଣୁର ସନ୍ଧାନ ମିଳିଛି । ସାମ୍ପଲ ଅଧିକ ହେଲେ ହୁଏତ ଅଧିକ କ୍ଲେଡ଼ର ଭୂତାଣୁର ସନ୍ଧାନ ମିଳିପାରେ । ସାଧାରଣ ଭାବେ କୌଣସି ଭୁତାଣୁର ପ୍ରତିଷେଧକ ପ୍ରସ୍ତୁତି ବେଳେ ନିର୍ଦ୍ଦିଷ୍ଟ ପ୍ରକାର କ୍ଲେଡ଼କୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ବାରମ୍ବାର କ୍ଲେଡ଼ ବଦଳିଲେ ଏହା ଟିକା ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ତେଣୁ ଏକାଧିକ ପ୍ରକାରର କ୍ଲେଡ଼ ହୁଏତ କୋଭିଡ ଭାକ୍ସିନରେ ସମାନ ସମସ୍ୟା ସୃଷ୍ଟି କରିପାରେ,’’ କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡଃ ସନ୍ଦୀପ ମିଶ୍ର ।

ପ୍ରବାସୀମାନେ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି ।


ଓଡ଼ିଶା ମେଡିକାଲ ଆସୋସିଏସନର ପୂର୍ବତନ ସଭାପତି ଡାକ୍ତର ମଧୁସୂଦନ ମିଶ୍ର କହିଛନ୍ତି, ‘‘ଏ କ୍ଷେତ୍ରରେ ସର୍ବାଧିକ ସଂକ୍ରମିତ ହୋଇଥିବା ଭୂତାଣୁର କ୍ଲେଡ଼ ଅନୁସାରେ ଭାକ୍ସିନ ତିଆରି ଉପରେ ଗୁରୁତ୍ୱ ଦିଆଯିବା ଦରକାର । ଏକାଧିକ କ୍ଲେଡ଼କୁ ଗୁରୁତ୍ୱ ଦେଇ ଭାକ୍ସିନ ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ଯେତେ ଭାକ୍ସିନ ବାହାରିଲେ ମଧ୍ୟ ମୂଳ ଭୂତାଣୁ କ୍ଵଚିତ ନଷ୍ଟ ହେବା ଦେଖାଦିଏ । ତେଣୁ କୋଭାକ୍ସିନ ବାହାରିଲେ ମଧ୍ୟ ସଂଖ୍ୟାଧିକ କ୍ଲେଡ଼ କାରଣରୁ ଏହା ସମ୍ପୂର୍ଣ୍ଣ ଭାବେ ବିଲୋପ ହେବାକୁ ଲମ୍ବା ସମୟ ଲାଗିବ ।’’

ଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେ

ଏହା ବି ପଢ଼ନ୍ତୁ: Rakhi Purnima: ବାରାଣସୀରେ ମୁସଲିମ୍ ମହିଳାମାନେ ମୋଦିଙ୍କ ପାଇଁ ତିଆରି କରୁଛନ୍ତି ସ୍ୱଦେଶୀ ରାକ୍ଷୀ



‘‘ଯେ କୌଣସି ଭୂତାଣୁବାହିତ ରୋଗର ଭୂତାଣୁମାନେ ସମୟ ଅନୁସାରେ ରୂପ ବଦଳେଇଥାନ୍ତି। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏହାର ମୂଳ କାରଣ ହେଲା ସ୍ଥଳ ବିଶେଷରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏହି କାରଣରୁ ବିଭିନ୍ନ ସମୟରେ ରୁବେଲା ଓ ସାର୍ସ ଭଳି ଏକାଧିକ ଭୂତାଣୁବାହିତ ରୋଗର ଏ ପର୍ଯ୍ୟନ୍ତ ସଫଳ ଟିକା ବିକଶିତ ହୋଇ ପାରିନାହିଁ। ତେବେ ବି କୋଭିଡ ଟୀକା ବିକାଶ ପ୍ରକ୍ରିୟା ସାରା ବିଶ୍ବରେ ଜାରି ରହିଥିବା ବେଳେ ଆଗକୁ ଏହା ଅନେକ ସଫଳତା ଆଣିଦେବ,’’ କହିଛନ୍ତି ହେଲଥ ଭିଲେଜ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ ଡଃ ଶୋଭନ କୁମାର ରଥ । ଏକ୍ସପର୍ଟମାନଙ୍କ ମତରେ କୋଭିଡର ସଫଳ ମୁକାବିଲା  ପାଇଁ ଏ କ୍ଷେତ୍ରରେ ଅଧିକ ଅନୁଶୀଳନ ଜରୁରୀ ।
Published by:Anand Shankar Thankur Das
First published: