କରୋନା ଭାଇରସ୍ ଭୟ: ବାଲେଶ୍ୱରରେ ଦୁଇ ମୃତ ଆତ୍ମୀୟଙ୍କ ଦେହ ଦେଖିପାରିଲେନି ପରିବାର ଓ ସମ୍ପର୍କୀୟ

ଜାପାନରେ କିଛି ଦିନ ତଳେ ଏକ ଗ୍ୟାସ ଲିକ୍ ଦୁର୍ଘଟଣାରେ ଏହି ଦୁଇ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ହେଲେ କରୋନା ଭାଇରସ ସନ୍ଦେହରେ ବିହୀତ ପ୍ରକ୍ରିୟାରେ ଅନ୍ତ୍ୟେଷ୍ଟି କ୍ରିୟା କରା ନ ଯାଇ ତାଙ୍କ ମୃତ ଦେହ ଦୁଇଟିକୁ ଅତି ସତର୍କତା ଅବଲମ୍ବନ କରି ପୋତି ଦିଆଯାଇଥିଲା ।

ଅନ୍ତ୍ୟେଷ୍ଟି କ୍ରିୟା ସମୟର ଦୃଶ୍ୟ

ଅନ୍ତ୍ୟେଷ୍ଟି କ୍ରିୟା ସମୟର ଦୃଶ୍ୟ

  • Share this:
News18 Odia Digital

ବାଲେଶ୍ୱର: ବିଶ୍ୱ ସାରା ମୃତ୍ୟୁର ବିଭୀଷିକା ଖେଳାଇଥିବା କରୋନା ଭାଇରସର ଭୟରେ ବାଲେଶ୍ୱର ଜିଲ୍ଲାର ଏକ ପରିବାର ନିଜର ଦୁଇ ଜଣ ସ୍ୱଜନଙ୍କ ମୃତ ଦେହର ଶେଷ ଦର୍ଶନ କରିପାରିଲେ ନାହିଁ । ମୃତ ଦେହ ଜାପାନରୁ ଆସି ଘରେ ପହଞ୍ଚିବା ପରେ ସେ ଦୁଇ ଜଣଙ୍କ ବିଚ୍ଛେଦର ଦୁଃଖ ଉପରେ ସ୍ପଷ୍ଟଭାବେ ଓହଳି ରହିଥିଲା କରୋନା ଭାଇରସ୍‌ ଭୟର କଳା ମେଘ ।

ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ଗାଁରେ । ଜାପାନର ରାଜଧାନୀ ଟୋକିଓରେ ରହୁଥିବା ସେହି ଗାଆଁର ଦୁଇ ଜଣ ରୋଷେୟାଙ୍କର ସେଠାରେ କୌଣସି କାରଣରୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା । ସେମାନଙ୍କ ମୃତ୍ୟୁ ପଛର କାରଣମାନଙ୍କ ମଧ୍ୟରେ କରୋନା ଭାଇରସ୍‌ ନ ଥିଲା । ଜାପାନରେ କିଛିଦିନ ତଳେ ଏକ ଗ୍ୟାସ ଲିକ୍‌ ଦୁର୍ଘଟଣାରେ ସେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ଅନ୍ତ୍ୟେଷ୍ଟି କ୍ରିୟାରେ ସମସ୍ତଙ୍କ ମନରେ ଥିଲା ଏହି ମାରାତ୍ମକ ଭାଇରସର କୋକୁଆ ଭୟ ।

ଆରୁହାବୃତ୍ତି  ଗାଁର ଶେଖ୍‌ ମଣ୍ଟାଜ ଓ ଅନ୍ୟ ଜଣଙ୍କ ମୃତ୍ୟୁ ଖବର ସେ ଅଞ୍ଚଳରେ ପ୍ରଘଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭାଇରସ୍‌ ଭୟକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । କରୋନା ଭାଇରସ ଭୟରେ ମୃତ୍ୟୁ ହୋଇଥିବା ସନ୍ଦେହରେ ବିହୀତ ପ୍ରକ୍ରିୟାରେ ଅନ୍ତ୍ୟେଷ୍ଟି କ୍ରିୟା କରା ନ ଯାଇ ମୃତଦେହକୁ ସବୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରି ପୋତି ଦିଆଯାଇଥିଲା ।

ଦୁଇ ମୃତ ଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବାର ଓ ସେମାନଙ୍କ ସମବେତ ସମ୍ପର୍କୀୟମାନେ ଆରମ୍ଭ କରିଥିଲେ କ୍ରନ୍ଦନରୋଳ । ସମସ୍ତେ ବ୍ୟାକୁଳଭାବେ ନିଜର ଦୁଇ ମୃତ ପରିଜନଙ୍କ ମୁହଁ ଦେଖିବା ପାଇଁ ଶତ ଅନୁରୋଧ କରିଥିଲେ ହେଁ ପ୍ରାଶାସନିକ ଅଧିକାରୀମାନେ କରୋନା ଭାଇରସ କଥା କହି ସେଥିରୁ ସେମାନଙ୍କୁ ନିବୃତ କରିଥିଲେ । ସେଥି ପାଇଁ ପରିବାର ଓ ପରିଜନଙ୍କ ମନରେ ରହିଯାଇଥିଲା ଭୀଷଣ ଦୁଃଖ ।

ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ଅଧିକାଂଶ ପରିଜନ ମାସ୍କ୍‌ ପିନ୍ଧିଥିଲେ ।


ଏପରିକି କରୋନା ଭାଇରସ୍‌ ଭୟରେ ଶବ ସତ୍କାର ସମୟରେ ପରିବାରର ଚ଼ାରି ଜଣ ସଦସ୍ୟଙ୍କୁ ପ୍ରତିଷେଧକ ପୋଷାକ ଓ ମାସ୍କ୍‌ ପିନ୍ଧିବାକୁ ପଡ଼ିଥିଲା । ଉପଜିଲ୍ଲାପାଳ ଓ ସିଡିଏମଓ ନିଜେ ଉପସ୍ଥିତ ରହି ପ୍ରତିଷେଧକ ପୋଷକ ପିନ୍ଧି ଶବ ସତ୍କାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

କରୋନା ଭାଇରସର ବିଶ୍ୱବ୍ୟାପୀ ବଢ଼ି ଚ଼ାଲିଥିବା ପ୍ରକୋପ ଯୋଗୁଁ ଗ୍ରାମବାସୀମାନେ ପ୍ରତିଷେଧାତ୍ମକ ପଦକ୍ଷେପ ନେଇ ସବ ଶତ୍କାର କରିଥିବାରୁ ପ୍ରଶାସନ ତରଫରୁ ସେମାନଙ୍କୁ ସାଧୁବାଦ ଦିଆଯାଇଥିଲା । ବାସ୍ତବରେ ସମସ୍ତଙ୍କ ମନରେ ଭୟ ଥିଲା ଯେ ବିମାନରେ ଜାପାନରୁ ଆସିଥିବା ସେ ଦୁଇଟି ମୃତ ଦେହ ମଧ୍ୟରେ ବା ସେମାନଙ୍କ ପିନ୍ଧା କପଡ଼ା ଭିତରେ କେଉଁଠି କରୋନା ଭାଇରସ । ଏହି ଭାଇରସ୍‌ କାରଣରୁ ଏହାର ଉତ୍ପତ୍ତି ସ୍ଥଳ ଚ଼ୀନରେ ମୃତ୍ୟୁ ସଂଖ୍ୟା ଇତି ମଧ୍ୟରେ ବଢ଼ି ୯୦୦ ପହଞ୍ଚିଲାଣି ।
Published by:Anand Shankar Thankur Das
First published: