ହୋଲିକୁ ଫିକା କରୁଛି କରୋନା ଭାଇରସ୍ ଭୟ, ହେଲେ ହର୍ବାଲ୍ ରଙ୍ଗର ହୋଲି ବି କିଛି କମ୍ ନୁହେଁ

କରୋନା ଭାଇରସର ଭୟ ଯୋଗୁଁ ଚାଇନା ରଙ୍ଗ କି ପିଚକାରୀ ଏ ଥର ଆସିନାହିଁ ଭୁବନେଶ୍ୱରର ଦୋକାନମାନଙ୍କୁ । ବଜାର ମାନ୍ଦା ପଡ଼ିଛି । ‘ପ୍ରୟାସ’ ପରି କେତେକ ଅନୁଷ୍ଠାନ ହର୍ବାଲ୍ ରଙ୍ଗରେ ହୋଲି ଖେଳିବାକୁ କରିଛନ୍ତି ବିସ୍ତୃତ ଆୟୋଜନ।

ହୋଲି ପାଇଁ ଅବିର ଦୋକାନରେ ଭିଡ଼ ଦେଖିବାକୁ ମିଳିଛି ।

ହୋଲି ପାଇଁ ଅବିର ଦୋକାନରେ ଭିଡ଼ ଦେଖିବାକୁ ମିଳିଛି ।

  • Share this:
News18 Odia Digital

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ଗତ ବର୍ଷମାନଙ୍କ ପରି ନାଲି, ନେଳି ଆଉ ଅନ୍ୟ କେତେ ରଙ୍ଗରେ ଭିଜୁଥାଆନ୍ତା ସାରା ଓଡ଼ିଶା । ଯଦିଓ ଫଗୁ ଓ ଅବୀର ସାଙ୍ଗକୁ ଭଳିକି ଭଳି ରଙ୍ଗ, ମୁଖା ଓ ପିଚକାରୀରେ ଭରିଛି ଦୋକାନ ବଜାର, ଏ ଥର କରୋନା ଭାଇରସର ଡର ଫିକା କରିଛି ରଙ୍ଗ ଖେଳକୁ ।

ବଜାରରେ ରଙ୍ଗ ପସରା ତ ମେଲିଛି, ହେଲେ ମାନ୍ଦା ପଡ଼ିଛି ବ୍ୟବସାୟ । କରୋନା ଭାଇରସ୍‌ ଡରରେ ଚଳିତ ଥର ଅଧିକାଂଶ ଲୋକେ ହୋଲି ନ ଖେଳିବାକୁ ମନ କରିଥିବାରୁ ରଙ୍ଗ କିଣିବାକୁ ଆସି ନ ଥିଲେ । ଫଳରେ ଗତ ଦୁଇ ଦିନ ଧରି ରଙ୍ଗ ବଜାର ଖାଁ ଖାଁ ଲାଗିଥିଲା ।

ହୋଲି ପାଇଁ ଭୁବନେଶ୍ୱରରେ ବିକ୍ରି ହେଉଥିବା ଭଳିକି ଭଳି ମାସ୍କ (ମୁଖା)


‘‘ସାଧାରଣତଃ ହୋଲିର ଦୁଇ ଦିନ ପୂର୍ବରୁ ଲୋକେ ରଙ୍ଗ କିଣି ଥାଆନ୍ତି । ହେଲେ ଏ ବର୍ଷ ଯଥେଷ୍ଟ ଲୋକ ଆସିନାହାନ୍ତି ଦୋକାନକୁ । ଯିଏ ବି ଆସୁଛି, ଅବୀର ଟିକିଏ କିଣି ଚାଲି ଯାଉଛି । କରୋନାର ଭୟ ବେପାର ମାନ୍ଦା କରି ରଖିଛି,’’ କହିଛନ୍ତି ରଙ୍ଗ ବ୍ୟବସାୟୀ ମୁନ୍ନା ସାମନ୍ତରାୟ ।

ପ୍ରଥମରୁ କରୋନା ଭାଇରସର ଭୟ ଯୋଗୁଁ ଚାଇନା ରଙ୍ଗ କି ପିଚକାରୀ ଏ ଥର ଆସିନାହିଁ ଦୋକାନମାନଙ୍କୁ । ଖାଲି ଫଗୁ, ଅବୀର ଓ ହର୍ବାଲ ରଙ୍ଗ ରହିଛି ଦୋକାନରେ । ହେଲେ କରୋନା ଭାଇରସର ଡରରେ ଅନେକ ଲୋକ ଏ ଥର ସବୁ ପ୍ରକାର ରଙ୍ଗ ଖେଳ ଠୁ ଦୂରେଇ ରହିଥିବା ପରି ଲାଗୁଛନ୍ତି  ।

ଏମିତି ସ୍ଥିତିରେ କିଛି ଅନୁଷ୍ଠାନ ହର୍ବାଲ୍ ହୋଲି ଖେଳିବାକୁ ପ୍ରସ୍ତୁତ ହୋଇଛନ୍ତି । ପ୍ରତି ବର୍ଷ ଭଳି ଏବର୍ଷ ବି ‘ପ୍ରୟାସ’ ଅନୁଷ୍ଠାନ ପକ୍ଷରୁ ରାମ ମନ୍ଦିର ପଡ଼ିଆରେ ଜମିବ ହୋଲି ଖେଳ । ଫଗୁ ଓ ଅବୀର ସାଙ୍ଗକୁ ହର୍ବାଲ ରଙ୍ଗରେ ହେବ ହୋଲି ଖେଳ । ନାଚ, ଗୀତ ଓ ଖାଇବା ସାଙ୍ଗକୁ ସ୍ପେଶାଲ ପଣାରେ ଜମିବ ଆସର । ମହିଳାଙ୍କ ଦହିହାଣ୍ଡି ଭଙ୍ଗା ହେବ ସ୍ବତନ୍ତ୍ର ଆକର୍ଷଣ ।

‘‘‘ପ୍ରୟାସ’ ଆଜିକୁ ୧୩ ବର୍ଷ ହେବ ହୋଲି ଖେଳର ଆୟୋଜନ କରିଆସୁଛି । କରୋନା ଭାଇରସ୍‌ ପାଇଁ କୈାଣସି ପ୍ରକାର ବାରଣ ପ୍ରଶାସନ ପକ୍ଷରୁ ହୋଇନାହିଁ । କିନ୍ତୁ ଲୋକଙ୍କ ସୁରକ୍ଷା ପାଇଁ ହାଣ୍ଡୱାସ୍, ପାଣି ଓ କେବଳ ହର୍ବାଲ ରଙ୍ଗ ହିଁ ରଖାଯାଇଛି ଏ ଥର,’’ କହିଛନ୍ତି ‘ପ୍ରୟାସ’ର ସଭାପତି ବନବିହାରୀ ମହାନ୍ତି ।

ବରଷକୁ ଥରେ ଆସେ ଏହି ରଙ୍ଗର ପର୍ବ ହୋଲି । ତେଣୁ ଯେତେ ଯାହା ଡର ଓ ଚିନ୍ତା ଥିଲେ ବି ରଙ୍ଗ ଖେଳର ମଜା ନେବାକୁ କିଛି ଲୋକ ପ୍ରସ୍ତୁତ ହୋଇ ଭଳିକି ଭଳି ରଙ୍ଗ କିଣି ନେଇଛନ୍ତି । ଚଳିତ ଥର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ହୋଲିଖେଳ ବାତିଲ୍ କରିଛନ୍ତି ।

ଏ ପର୍ଯ୍ୟନ୍ତ ଦେଶରେ ୪୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟରେ ଗୋଟିଏ ବି ରିପୋର୍ଟ ପଜିଟିଭ୍ ଆସିନାହିଁ । ତଥାପି ଲୋକଙ୍କୁ ଘାରିଛି କରୋନା ଭୟ ।
Published by:Anand Shankar Thankur Das
First published: