ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୭କୁ ବଢ଼ିଲା; କାଲି ଗୋଟିଏ ଦିନରେ ଗଲା ୩ଟି ଜୀବନ

ଗତ ତିନି ଦିନ ମଧ୍ୟରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ସଂକ୍ରମଣରେ ଏହି ବୃଦ୍ଧି ଅନ୍ୟ ଦେଶରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖାଯାଉଥିବା ବୃଦ୍ଧି ହାର ସହ ସମାନ, ଯାହା ପରେ ଭୀଷଣ ଭାବେ ବଢ଼ିଥିଲା ।

ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୭କୁ ବଢ଼ିଲା; କାଲି ଗୋଟିଏ ଦିନରେ ଗଲା ୩ଟି ଜୀବନ
ମୁମ୍ବାଇରେ ଗତ କାଲି ଏକ ଭୀଷଣ ଭିଡ଼ ଥିବା ଟ୍ରେନରେ ପଶୁଛି ଜଣେ ବ୍ୟକ୍ତି । (ରଏଟର୍ସ୍ ଫଟୋ)
  • News18 Odia
  • Last Updated: March 23, 2020, 2:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଉ ତିନି ଜଣ ଲୋକ ରବିବାର ଦିନ କରୋନା ଭାଇରସର ଶିକାର ହେବା ପରେ ସମଗ୍ର ଦେଶରେ ଏହି ରୋଗ କାରଣରୁ ମୃତ୍ୟୁ ବରଣ କରିଥିବା ପରେ ଲୋକଙ୍କ ସଂଖ୍ୟା ସାତକୁ ବୃଦ୍ଧି ପାଇଛି । ସଂକ୍ରମଣର ସଂଖ୍ୟା ଇତି ମଧ୍ୟରେ ବଢ଼ି ୩୬୦ ହୋଇଛି ।

ରବିବାର ଦିନ ମୃତ୍ୟୁବରଣ କରିଥିବା ତିନି ଜଣ ହେଉଛନ୍ତି ମୁମ୍ବାଇର ଜଣେ ୬୩ ବର୍ଷୀୟ ବ୍ୟକ୍ତି, ବିହାରର ମୁଙ୍ଗେରର ଜଣେ ୩୮ ବର୍ଷୀୟ ବ୍ୟକ୍ତି ଓ ଗୁଜୁରାଟର ସୁରାଟର ଜଣେ ୬୯ ବର୍ଷୀୟ ବ୍ୟକ୍ତି । ବିହାରର ପାଟନାରେ ଥିବା ହସପିଟାଲରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ COVID-୧୯ରେ ମୃତ୍ୟୁବରଣ କରିଥିବା ଦେଶର ସବୁ ଠାରୁ କନିଷ୍ଠ ବ୍ୟକ୍ତି । ଦିଲ୍ଲୀ, କର୍ଣ୍ଣାଟକ ଓ ପଞ୍ଜାବରେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ଲେଖାଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସଂକ୍ରମଣର ୩୬୦ଟି ମାମଲା ମଧ୍ୟରେ ମହାରାଷ୍ଟ୍ରରେ ୬୩ଟି ମାମଲା ଅନ୍ତର୍ଭୁକ୍ତ, ଯେଉଁଥିରେ ତିନି ଜଣ ବିଦେଶୀ ଅଛନ୍ତି । ଦେଶରେ ଏ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ COVID-19 ମାମଲା ରିପୋର୍ଟ ହୋଇଛି । ରବିବାର ଦିନ ସାରା ଦେଶରେ ଅତି କମରେ ୪୫ଟି ନୂଆ ମାମଲା ରୁଜୁ ହୋଇଛି ।

ଗତ ତିନି ଦିନ ମଧ୍ୟରେ ମାମଲା ସଂଖ୍ୟା ବୃଦ୍ଧି ପାଇଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ସଂକ୍ରମଣରେ ଏହି ବୃଦ୍ଧି ଅନ୍ୟ ଦେଶରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖାଯାଉଥିବା ବୃଦ୍ଧି ହାର ସହ ସମାନ, ଯାହା ପରବର୍ତ୍ତୀ ସମୟରେ ଭୀଷଣ ଭାବେ ବଢ଼ିଥିଲା ।

ରବିବାର ଦିନ ସରକାର ଏକ ଆଡ୍‌ଭାଇଜରୀ ଜାରି କରି ଦେଶରେ ୭୫ଟି କରୋନା ଭାଇରସ୍ ପ୍ରଭାବିତ ଜିଲ୍ଲାକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିବାକୁ କହିଛନ୍ତି ଓ ସବୁ ଟ୍ରେନ୍, ମେଟ୍ରୋ ସେବା ଏବଂ ଅନ୍ତ-ରାଜ୍ୟ ବସ୍ ଗୁଡିକୁ ମଧ୍ୟ ବନ୍ଦ କରିଦେଇଛନ୍ତି ।

ଏ ପର୍ଯ୍ୟନ୍ତ କେରଳରେ ୫୨ଟି ମାମଲା ସାମନାକୁ ଆସିଛି ଯେଉଁଥିରେ ସାତ ଜଣ ବିଦେଶୀ ନାଗରିକ ଅଛନ୍ତି । ଦିଲ୍ଲୀରେ ଜଣେ ବିଦେଶୀଙ୍କ ସମେତ ୨୭ଟି ପଡିଟିଭ୍‌ ମାମଲା ରିପୋର୍ଟ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ଜଣେ ବିଦେଶୀଙ୍କ ସମେତ ୨୫ଟି ମାମଲା ରେକର୍ଡ଼ କରାଯାଇଛି ।

ତେଲେଙ୍ଗାନାରେ ୧୧ ଜଣ ବିଦେଶୀଙ୍କ ସମେତ ମୋଟ ୨୧ଟି ମାମଲା ରିପୋର୍ଟ ହୋଇଛି । ରାଜସ୍ଥାନରେ ଦୁଇ ଜଣ ବିଦେଶୀଙ୍କ ସମେତ ୨୪ଟି ମାମଲା ରିପୋର୍ଟ ହୋଇଛି । ହରିୟାଣାରେ ୧୭ଟି ମାମଲା ଆସିଛି, ଯେଉଁଥିରେ ୧୪ ଜଣ ବିଦେଶୀ ଅଛନ୍ତି ।

କର୍ଣ୍ଣାଟକରେ ୨୦ ଜଣ କରୋନା ଭାଇରସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ପଞ୍ଜାବ ଓ ଲଦାଖରେ ପ୍ରତ୍ୟେକ ୧୩ଟି ଲେଖାଏଁ ମାମଲା ସାମନାକୁ ଆସିଛି। ଗୁଜୁରାଟରେ ୧୪ଟି ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲ ନାଡୁର ଛଅଟି ମାମଲା ଆସିଛି, ଯେଉଁଥିରେ ଦୁଇ ଜଣ ବିଦେଶୀ ଅଛନ୍ତି । ଚଣ୍ଡିଗଡ଼ରେ ପାଞ୍ଚଟି ମାମଲା ଚିହ୍ନଟ ହୋଇଛି ।
First published: March 23, 2020, 2:34 AM IST