କରୋନା ଭାଇରସ୍ ଭାରତରେ ଚତୁର୍ଥ ପ୍ରାଣ ନେଲା; ପଞ୍ଜାବରେ ୭୨ ବର୍ଷୀୟ ବ୍ୟକ୍ତି ଚାଲିଗଲେ

ମୃତ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ସେ ମାର୍ଚ୍ଚ ୭ ତାରିଖରେ ଇଟାଲୀ ଦେଇ ଜର୍ମାନୀରୁ ଫେରି ଥିଲେ । ଦେଶରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଏବେ ୧୬୯ରେ ପହଞ୍ଚିଛି ।

କରୋନା ଭାଇରସ୍ ଭାରତରେ ଚତୁର୍ଥ ପ୍ରାଣ ନେଲା; ପଞ୍ଜାବରେ ୭୨ ବର୍ଷୀୟ ବ୍ୟକ୍ତି ଚାଲିଗଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 19, 2020, 5:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚଣ୍ଡିଗଡ଼: ପଞ୍ଜାବର ନୱାନସହର ଜିଲ୍ଲାର ଏକ ଡାକ୍ତରଖାନାରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହା ଭାରତରେ ଏହି ବିଶ୍ୱ ମହାମାରୀ ଯୋଗୁଁ ଟତୁର୍ଥ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ।

ପଞ୍ଜାବର ଏହି ବ୍ୟକ୍ତି ଜଣକ ଦୁଇ ସପ୍ତାହ ପୂର୍ବରୁ ଜର୍ମାନୀରୁ ଇଟାଲୀ ଦେଇ ଫେରିଥିଲେ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (PGIMER) ର ନିର୍ଦ୍ଦେଶକ ଜଗତ୍ ରାମ କହିଛନ୍ତି ଯେ ମୃତ ବ୍ୟକ୍ତି ମଧୁମେହ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ପରୀକ୍ଷା ପାଇଁ ପଠାଯାଇଥିବା ତାଙ୍କ ନମୂନାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଥିଲା । ବଙ୍ଗା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ଜଣା ପଡ଼ିଛି ।

ହେଲେ ଏ ପର୍ଯ୍ୟନ୍ତ ଏହି ବ୍ୟକ୍ତିଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ୱାସ୍ଥ୍ୟ ଅଧିକାରୀମାନେ ନିଶ୍ଚିତ କରିନାହାଁନ୍ତି ବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ତତକ୍ଷଣାତ୍ କୌଣସି ସୂଚନା ପ୍ରାପ୍ତ ହୋଇ ନାହିଁ । ଜିଲ୍ଲାର ସିଭିଲ ସର୍ଜନ ପ୍ରସାଦ ଭାଟିଆ କହିଛନ୍ତି ଯେ ଏହି ବ୍ୟକ୍ତି ମାର୍ଚ୍ଚ ୭ ତାରିଖରେ ଇଟାଲୀ ଦେଇ ଜର୍ମାନୀରୁ ଫେରି ଥିଲେ ।

ଭାଟିଆ କହିଛନ୍ତି ଯେ ବଙ୍ଗାର ଏହି ବାସିନ୍ଦା ଜଣକ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବୁଧବାର ଦିନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ଏବଂ ସଙ୍ଗେ ସଙ୍ଗେ ବେହାଶ ହୋଇଯାଇଥିଲେ । ସେହି ଦିନ ତାଙ୍କର ମୃତ୍ୟୁ ହୋଇଥିଲା । PGIMERର ନିର୍ଦ୍ଦେଶକ ଜଗତ୍ ରାମ କହିଛନ୍ତି: ‘‘ନୱାନସହରର ଏହି ୭୨ ବର୍ଷ ବୟସ୍କ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ରିପୋର୍ଟ ବୁଧବାର ରାତିରେ ଆସିଛି ।’’

ପଞ୍ଜାବର ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ ପରୀକ୍ଷା ସମୟରେ ଏହି ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ୍‌ ସଂକ୍ରମଣ ଥିବା ଜଣା ପଡ଼ିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶର ବିଭିନ୍ନ ସ୍ଥାନରୁ ୧୮ଟି ନୂଆ ମାମଲା ରିପୋର୍ଟ ହେବା ପରେ ଗୁରୁବାର ଦିନ କରୋନା ଭୂତାଙ୍କରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ୧୬୯ରେ ପହଞ୍ଚିଛି । ଏହା ପୂର୍ବରୁ ପଞ୍ଜାବରେ କରୋନା ଭାଇରସର ଅନ୍ୟ ଏକ ମାମଲା ଚିହ୍ନଟ ହୋଇଥିଲା ।
First published: March 19, 2020, 5:53 PM IST