ରାଜ୍ୟରେ କରୋନା ନେଲା ପୁଣି ୫ ଜଣଙ୍କ ଜୀବନ; ଆହୁରି ୫୭୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେଲେ

ଏ ପର୍ଯ୍ୟନ୍ତ ରାଜ୍ୟରେ ୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ଭୁବନେଶ୍ବରରେ ଆହୁରି ୩୮ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । କ୍ରମାଗତ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ପାଞ୍ଚ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ଏହି ମହାମାରୀରେ ଏ ପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ଚାରି ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ଟି ଜିଲାରୁ ୫୭୦ ଜଣ ନୂଆ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । କ୍ରମାଗତ ଭାବେ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ପାଞ୍ଚ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୨ ଜଣ ଓ ଭୁବନେଶ୍ବର, କଟକ ଓ ପୁରୀ ଜିଲାରୁ ଜଣେ ଲେଖାଏଁ ଅଛନ୍ତି । ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୫୫ ଓ ୭୨ ବର୍ଷ ବୟସ୍କ ପୁରୁଷ ମଧୁମେୟ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବରରେ ଜଣେ ୫୬ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ମଧୁମେୟ ରୋଗରେ ପୀଡ଼ିତ ଥିଲେ । କଟକରେ ୪୬ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ମଧୁମେୟ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ପୁରୀ ଜିଲ୍ଲାର ୭୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।

କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କେନ୍ଦ୍ରାପଡାର ଜଣେ ୬୨ ବର୍ଷୀୟା ମହିଳାଙ୍କର ବି ମୃତ୍ୟୁ ହୋଇଛି । ବ୍ରେନ୍ ଟ୍ୟୁମର ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେୟ ଓ ଉଚ୍ଚ ରକ୍ତରାଚ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଆଜିର ନୂଆ ୫୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୮୪ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୮୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୧୮ ଜଣ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୨୫, ସୁନ୍ଦରଗଡ଼ରୁ ୪୪, ଖୋର୍ଦ୍ଧାରୁ ୩୭, କଟକରୁ ୪୬, ବାଲେଶ୍ବରରୁ ୩, ଭଦ୍ରକରୁ ୨, ବୌଦ୍ଧରୁ ୩, ଜଗତସିଂହପୁରରୁ ୧୬, ଯାଜପୁରରୁ ୪୦, କେନ୍ଦୁଝରରୁ ୧୪, କୋରାପୁଟରୁ ୧୧, ମୟୂରଭଞ୍ଜରୁ ୧୦, ପୁରୀରୁ ୧୫, କେନ୍ଦ୍ରାପଡାରୁ ୬, ଝାରସୁଗୁଡାରୁ ୧୬, ନୟାଗଡରୁ ୩୭ ଏବଂ ସମ୍ବଲପୁରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରେ ଆହୁରି ୩୮ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୦କୁ ବୃଦ୍ଧି ପାଇଛି । କଳିଙ୍ଗ ବିହାର, ପୋଖରୀପୁଟ, ଭୀମଟାଙ୍ଗିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଚନ୍ଦ୍ରଶେଖରପୁରରେ ଗୋଟିଏ ପରିବାରର ୨ ଜଣ ଓ ଗଙ୍ଗନଗରରେ ଗୋଟିଏ ପରିବାରର ୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନୀଳାଦ୍ରିବିହାରରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ଆଉ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ଚାରି ଦିନରେ ରାଜ୍ୟରେ ୨,୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଚାରି ଦିନ ତଳେ ୧୦,୬୨୪ କରୋନା ପଜିଟିଭ୍ ଥିବା ବେଳେ ଆଜି ଏହି ସଂଖ୍ୟା ୧୨,୫୨୬ରେ ପହଞ୍ଚିଛି । ଯଦି ରାଜ୍ୟରେ କରୋନା ସଂକ୍ରମଣର ହାରକୁ ଦେଖାଯାଏ, ତେବେ ରାଜ୍ୟରେ ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣା ବୃଦ୍ଧି ପାଇଛି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି । ଗତ କିଛି ଦିନ ହେବ ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ପ୍ରାୟ ୬୬ ପ୍ରତିଶତ ରହିଛି । ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୫୨୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୪,୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି ।

ଏହା ବି ପଢ଼ନ୍ତୁ: ଜୁଲାଇ ୩୧ ସୁଦ୍ଧା ଝିଅ ନାଁରେ ଖାତା ଖୋଲନ୍ତୁ; ସେ ୨୧ ବର୍ଷର ହେଲେ ୬୪ ଲକ୍ଷ ଟଙ୍କା ଆକାଉଣ୍ଟରେ ଥିବ

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ୨୭,୧୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୨୦,୯୧୬ରେ ପହଞ୍ଚିଛି । ଦେଶରେ କରୋନା ସଂକ୍ରମଣରେ ଏ ପର୍ଯ୍ୟନ୍ତ ମୋଟ ୨୨,୧୨୩ ଜଣଙ୍କର ମୃତ୍ୟୁ ହେଲାଣି ।
Published by:Anand Shankar Thankur Das
First published:
)}