News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆଉ ଚାରି ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ ସଂକ୍ରମଣ । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଗତ ୨୪ ଘଣ୍ଚା ମଧ୍ୟରେ ରାଜ୍ୟରେ ସର୍ବାଧିକ ଆଉ ୭୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୃତ୍ୟୁ ବରଣ କରିଥିବା ଚାରି ଜଣ ଆକ୍ରାନ୍ତଙ୍କ ବୟସ ୪୧, ୫୮, ୪୮ ଓ ୩୨ ବର୍ଷ ଥିଲା । ସେମାନେ ମଧୁମେୟ ଓ ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ଏହି ଚାରି ଜଣଙ୍କ ମୃତ୍ୟୁକୁ ମିଶାଇ ଗଞ୍ଜାମରେ ୩୪ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୫୬ ଜଣ ଲୋକଙ୍କ ମୃତ୍ୟୁ ହେଲାଣି ।
ଆଜି ଚିହ୍ନଟ ହୋଇଥିବା ୭୫୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୫୦୮ ଜଣ ଅଛନ୍ତି । ବାକି ୨୪୭ ଜଣ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରୁ ସର୍ବାଧିକ ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୮୬, ସୁନ୍ଦରଗଡ଼ରୁ ୬୨, ଖୋର୍ଦ୍ଧାରୁ ୫୯, କଟକରୁ ୫୫, କେନ୍ଦୁଝରରୁ ୩୨ ଓ ଗଜପତିରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୧୮, ନୟାଗଡ଼ରୁ ୧୬, ମୟୂରଭଞ୍ଜ ଓ ବଲାଙ୍ଗିରରୁ ୧୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ପୁରୀରୁ ୧୧, ବାଲେଶ୍ବରରୁ ୯ ଜଣ, କେନ୍ଦ୍ରାପଡ଼ା, କୋରାପୁଟ ଓ ଜଗତସିଂହପୁରରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩, ଦେବଗଡ଼ ଓ ଢେଙ୍କାନାଳରୁ ୪ ଜଣ ଲେଖାଏଁ, ଭଦ୍ରକ, କନ୍ଧମାଳ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସମସ୍ତ ୭୫୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଛି ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । କୋରୋନାରୁ ମୁକ୍ତ ହୋଇ ପୁଣି କର୍ମକ୍ଷେତ୍ରକୁ ଫେରିଥିବା ବ୍ରହ୍ମପୁର ସଦର ଥାନାର ସବ୍-ଇନ୍ସପେକ୍ଟର ବିଭୁତି ଭୂଷଣ ସେଠୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟ ମନ୍ତ୍ରୀ । ବ୍ରହ୍ମପୁରରେ କୋଭିଡ ଡ୍ୟୁଟି କରୁଥିବା ବେଳେ ସେଠୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ବାବ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଗତ କାଲିଠାରୁ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ଟ୍ବିଟ କରି ପ୍ରଶଂସା କରିଛନ୍ତି ମୁଖ୍ୟ ମନ୍ତ୍ରୀ। ବିଭୁତିଙ୍କ ଏହି କର୍ତ୍ତବ୍ୟ ନିଷ୍ଠାର ଉଦାହରଣ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଶକ୍ତି ଯୋଗାଇବ ବୋଲି ମୁଖ୍ୟ ମନ୍ତ୍ରୀ ଏକ ଟ୍ବିଟରେ ଲେଖିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।