News18 Odia Digital
କଟକ: କଟକ ଜିଲ୍ଲାରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୫୩୭ ଥିବା ବେଳେ ଶନିବାର ରାତିରେ ଆଉ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ସଂଖ୍ୟା ଏବେ ବୃଦ୍ଧି ପାଇ ୫୪୯ ରେ ପହଞ୍ଚିଛି।
ବଡ଼ କଥା ହେଉଛି ଯେ ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟ ରେ ଅଛନ୍ତି ବଡ଼ମ୍ବା ଥାନା ଅଧିକାରୀ । ଦୁଇ ଦିନ ତଳେ ତାଙ୍କ ସ୍ୱାବ ସଂଗ୍ରହ ହୋଇଥିବା ବେଳେ ଶନିବାର ଦିନ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଏହା ପରେ ତାଙ୍କୁ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେହି ଥାନାର ଅନ୍ୟ ୬ ଜଣ ପୋଲିସ କର୍ମଚାରୀଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ଚିନ୍ତା ବଢ଼ିଛି । ରବିବାର ଦିନ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।
ପୂରା ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବା ସହ କଣ୍ଟାକ୍ଟ ଟ୍ରେର୍ସିଙ୍ଗ ମଧ୍ୟ କରାଯାଉଛି । ବଡ଼ମ୍ବା ଥାନାକୁ ସିଲ କରାଯାଇ ସାନିଟାଇଜ ମଧ୍ୟ କରାଯାଉଛି ।
‘‘ଥାନା ଅଧିକାରୀ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ପୂରା ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବା ସହ ଥଣ୍ଡା କାଶ ଲକ୍ଷଣ ପ୍ରକାଶ ପାଇଥିବା ଥାନାର ସମସ୍ତ ୬ ଜଣ ପୋଲିସ କର୍ମଚାରୀଙ୍କ କୋଭିଡ଼ ପରୀକ୍ଷା ପାଇଁ ଆମେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଛୁ,’’ କହିଛନ୍ତି କଟକ ଗ୍ରାମାଞ୍ଚଳ ପୋଲିସର ଅତିରିକ୍ତ ଏସ୍.ପି. ପି.କେ. ଜେନା।

କଟକ ଜିଲ୍ଲାର କୋଭିଡ଼ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଶାସନ ସଚିବ ସୌରଭ ଗର୍ଗଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ସ୍ଥିତି ଉପରେ ଆଲୋଚନା ହୋଇଥିଲା ।
କଟକ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରବାସୀ ଓଡ଼ିଆ ଆସିବା ପର ଠାରୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଜିଲ୍ଲାର ସମସ୍ତ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦେଖି ଜିଲ୍ଲା ପାଇଁ କୋଭିଡ଼ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଶନିବାର ଦିନ ଏହାର ସମୀକ୍ଷା କରିଥିଲେ ।
କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗର୍ଗ ଜିଲ୍ଲା କୋଭିଡ଼ର ସ୍ଥିତି ନେଇ ଜିଲ୍ଲାପାଳ, ପୋଲିସ କମିଶନର, କଟକ ଡ଼ି.ସି.ପି, ସି.ଏମ.ସି. କମିଶନର ଓ କଟକ ବଡ଼ ମେଡ଼ିକାଲର ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ । ତେବେ କଟକ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏହା ନିୟନ୍ତ୍ରଣ ମଧ୍ୟରେ ଅଛି ବୋଲି କହିଛନ୍ତି କୋଭିଡ଼ ପର୍ଯ୍ୟବେକ୍ଷକ ଗର୍ଗ।
‘‘କଟକ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଛି ସତ, କିନ୍ତୁ ଏହାର ମୁକାବିଲା ସହିତ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । କରୋନା ମୁକାବିଲା ପାଇଁ କଟକ ସହରରେ ୱାର୍ଡ କମିଟି ଓ ପୂଜା କମିଟିଗୁଡ଼ିକ ପ୍ରଶାସନ ସହିତ ମିଶି ଉଦ୍ୟମ ଜାରି ରଖିଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟ,’’ କହିଛନ୍ତି ଗର୍ଗ।
କଟକ ଜିଲ୍ଲାରେ ଶନିବାର ରାତି ସୁଦ୍ଧା ୫୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୧୩୫ଟି ଆକ୍ଟିଭ କେସ ରହିଛି । ଚାରି ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।