କଟକରେ ବ୍ୟାପି ଚାଲିଛି କରୋନା; ୮ ତାରିଖ ଯାଏଁ ସହରରେ ସଟଡାଉନ୍ ଘୋଷଣା କରାଗଲା

ଗତ ୧୧ ଦିନରେ କଟକର କର୍କଟ ଚିକିତ୍ସା କେନ୍ଦ୍ରରୁ ଚିହ୍ନଟ ହେଲେଣି ୧୧୧ ଜଣ କରୋନା ରୋଗୀ । ଗତ ୨ ଦିନରେ ସହରର ବିଭିନ୍ନ ସ୍ଥାନରୁ ୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୮ ତାରିଖ ଯାଏଁ ସହରର କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।

କଟକରେ ବ୍ୟାପି ଚାଲିଛି କରୋନା; ୮ ତାରିଖ ଯାଏଁ ସହରରେ ସଟଡାଉନ୍ ଘୋଷଣା କରାଗଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏଗାର ଦିନ ତଳେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରୁ ଉଠିଥିବା କରୋନାର ବହ୍ନି ପୁରା କଟକ ସହରକୁ ନିଜ କବଳକୁ ନେବାକୁ ଆରମ୍ଭ କରିଛି । ସ୍ଥିତି ସଙ୍ଗୀନ ହେଉଥିବା ଦେଖି ସହରରେ ସଂକ୍ରମଣ ହାରକୁ ପ୍ରତିହତ କରିବା ପାଇଁ ସୋମବାର ସକାଳୁ ସହରକୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛି ସି.ଏମ.ସି.।

ଏହି ସର୍ତ୍ତମୂଳକ ସଟଡ଼ାଉନ  ସମୟରେ କଟକ ସହରର କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଯଥା କ୍ଷୀର, ପରିବା ଓ ସଉଦା ଦୋକାନ, ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଔଷଧ ଦୋକାନ ପୂର୍ବ ଭଳି ଖୋଲା ରହିବ । ଅନଲାଇନରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରୀ ରହିବ । ବିଦ୍ୟୁତ ଓ ଜଳ ଯୋଗାଣ ସେବାକୁ ମଧ୍ୟ କଟକଣା ମୁକ୍ତ ରଖାଯାଇଛି।

ଆଜି ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଆହୁରି ୩୮ ଜଣ କରୋନା ଭାଇରସ୍ ‌ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେଥିରେ ହସ୍ପିଟାଲର ଜଣେ ସୁରକ୍ଷାକର୍ମୀ ଓ ୩୭ ଜଣ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଅଛନ୍ତି । ଗତ ୧୧ ଦିନରେ କର୍କଟ ଚିକିତ୍ସା କେନ୍ଦ୍ରରୁ ଚିହ୍ନଟ ହେଲେଣି ୧୧୧ ଜଣ କରୋନା ରୋଗୀ । ଗତ କାଲି ଗୋଟିଏ ଦିନରେ ସହରର ବିଭିନ୍ନ ସ୍ଥାନରୁ ୩୪ ଜଣ କରୋନା ସଂକ୍ରମିତ ହୋଇଥିଲେ । ଏହି ସବୁ ଘଟଣା କଟକ ସହରରେ କରୋନା ଭାଇରସ୍‌ ସଂକ୍ରମଣର ଉଦବେଗଜନକ ସ୍ଥିତିକୁ ପ୍ରତିଫଳିତ କରୁଛି । ଏବେ ସର୍ବାଧିକ ସତର୍କତା ଅବଲମ୍ବନ କରା ନ ଗଲେ କଟକ ସହର କରୋନା ଆଁ ମଧ୍ୟକୁ ଧିରେ ଧିରେ ଠେଲି ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର


‘‘ସହରରେ ବ୍ୟାପୁଥିବା ସଂକ୍ରମଣକୁ ଦେଖି ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସଟଡାଉନ୍‌ ପଦକ୍ଷେପ ଗ୍ରହଣ କରାଯାଇଛି। ସଟଡାଉନ ସଠିକ ଭାବରେ ପାଳନ କରାଯାଉଛି ନା ନାହିଁ ଏହାର ନିରୀକ୍ଷଣ ପାଇଁ ଚାରିଟି ଟିମ ଗଠନ କରାଯାଇଛି । ମାଳିସାହିର କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ ଲୋକଙ୍କ ସ୍ୱାବ ସଂଗ୍ରହ କରୁଛନ୍ତି। ପ୍ରଶାସନ ପ୍ରତି ଏହି ଅଞ୍ଚଳର ପୂଜା କମିଟି ଓ ସାହି କମିଟିର ଲୋକଙ୍କ ସହଯୋଗ ପ୍ରଶଂସନୀୟ,’’ କହିଛନ୍ତି ସି.ଏମ.ସି.ର ଡ଼େପୁଟି କମିଶନର ଡଃ ଅବିନାଶ ରାଉତ।

ଏସ୍‌.ସି.ବି.ର ଜଣେ ସଂକ୍ରମିତ ସୁରକ୍ଷା କର୍ମୀଙ୍କ ସଂସ୍ପର୍ଶରେ ଆସି ମାଳିସାହିର ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ମାଳିସାହିର ୨୫ଟି ଘରେ ରହୁଥିବା ୪୮ଟି ପରିବାର ଏହି କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ଆସୁଛନ୍ତି । ଏହା ପରେ ଆଜି ସକାଳୁ ସେହି ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ସିଡିଏ ସେକ୍ଟର ୯ରୁ କଣ୍ଟେନମେଣ୍ଟ ଉଠି ନ ଥିବା ବେଳେ ସହରର ଆଉ ଏକ କଣ୍ଟେନମେଣ୍ଟ ଜୋନ ସୃଷ୍ଟି ହେବା ଏବେ ଚିନ୍ତାର କାରଣ ପାଲଟିଛି ।

ପୂର୍ବରୁ କେବଳ କର୍କଟ କେନ୍ଦ୍ରରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଏହାକୁ ଲାଗିକରି ଥିବା ଏସ.ସି.ବି. ମେଡ଼ିକାଲରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ କାଲି ଏସ.ସି.ବି.ର ଦୁଇଟି ଭିନ୍ନ ଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ଦୁଇଜଣ ରୋଗୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ରାଜ୍ୟର ଏହି ସର୍ବବୃହତ ସରକାରୀ ମେଡିକାଲ କଲେଜରେ ସ୍ବାସ୍ଥ୍ୟ ସେବା ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।

ଚାଉଳିଆଗଞ୍ଜରେ ଥିବା ଏକ ବେସରକାରୀ ଡ଼ାକ୍ତରଖାନାରୁ ଛଅ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସହରର ବେସରକାରୀ ହସ୍ପିଟାଲଗୁଡ଼ିକରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି ।
First published: July 5, 2020, 12:53 AM IST
corona virus btn
corona virus btn
Loading