News18 Odia Digital
ଭୁବନେଶ୍ବର: ରାଜ୍ୟରେ କୋଭିଡ ପରିଚାଳନା ଉପରେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ବିରୋଧୀ ଦଳର ନେତାମାନେ ଅନେକ ଅଭିଯୋଗ ଆଣିବା ପରେ ଏବେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କୁଆଡ଼େ ଗଲେ ଓ କାହିଁକି କୌଣସି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ପ୍ରଶ୍ନ ଉଠିଛି । ଏହାରି ଭିତରେ କୋଭିଡ ଚିକିତ୍ସା ବ୍ୟବସ୍ଥାର ହରଡ଼ଘଣାରେ ଘାଣ୍ଟି ହେଉଥିବା ଲୋକଙ୍କ କରୁଣ କାହାଣୀ ସାମନାକୁ ଆସିବା ବନ୍ଦ ହେଉନି ।
ଛାତିରେ ଯନ୍ତ୍ରଣା ହେବାରୁ କୋଭିଡ-ଅଣକୋଭିଡ ଭିତରେ ଛନ୍ଦି ହୋଇ ଆଠଟି ହସପିଟାଲ ବୁଲି ନୟାନ୍ତ ହୋଇ ଶେଷରେ ଛଟପଟ ହୋଇ ଆରପାରିକୁ ଚାଲିଗଲେ ଖୋର୍ଦ୍ଧାର ବୈଦ୍ୟନାଥ ସାମନ୍ତରାୟ । ତାଙ୍କ ଅକାଳ ମୃତ୍ୟୁ ପରେ ସ୍ତ୍ରୀ ରେବାରାଣୀ ଏବେ ବିଛଣାରେ । ହାତ ଗୋଡ଼ ଚଳୁନି । କଥା କହିପାରୁ ନାହାନ୍ତି । ପାଖରେ ପୁଅ-ବୋହୂ ଖଟ ଉପରେ ବୈଦ୍ୟନାଥଙ୍କ ଫଟୋ ଧରି ମନେ ପକାଉଛନ୍ତି ତାଙ୍କୁ ।
ଖୋର୍ଦ୍ଧାର ଶ୍ରୀରାମ ନଗର ବାସିନ୍ଦା ୭୯ ବର୍ଷୀୟ ବୈଦ୍ୟନାଥ ସାମନ୍ତରାୟ ୨୨ ତାରିଖରେ ଛାତିରେ ଯନ୍ତ୍ରଣା ହେବାରୁ ଏମ୍ସ ହସପିଟାଲ ଯାଇଥିଲେ । ସେଠାରେ ଆୟିସିୟୁ ଓ ଭେଣ୍ଟିଲେଟର ଫାଙ୍କା ନ ଥିବା କହି ତାଙ୍କୁ ଫେରାଇଦେଲେ ହସପିଟାଲ କର୍ତ୍ତୃପକ୍ଷ । ସେଠାରୁ ସେ ସିଧା ଉସ୍ତି, କେୟାର୍ ଓ ଉତ୍କଳ ହସପିଟାଲକୁ ଗଲେ । ତାଙ୍କ ଯନ୍ତ୍ରଣା ଦେଖି ତାଙ୍କ ପୁତୁରା ତପନ ସାମନ୍ତରାୟ ହସପିଟାଲ କର୍ତ୍ତୃପକ୍ଷଙ୍କ ଗୋଡ଼-ହାତ ଧରିଲେ, କିନ୍ତୁ କେହି ଶୁଣିଲେନି ।

ବୈଦ୍ୟନାଥଙ୍କ ବିଧବା କୋମାରେ ଅଛନ୍ତି । ନିକଟରେ ତାଙ୍କ ପୁଅ ଓ ବୋହୁ ।
ବୈଦ୍ୟନାଥ ଜୀବନ ସହ ସଙ୍ଘର୍ଷ କରୁଥିବା ବେଳେ ତାଙ୍କୁ କରୋନା ଟେଷ୍ଟ ପାଇଁ କହିଲେ ହସପିଟାଲ କର୍ତ୍ତୃପକ୍ଷ । ତେଣୁ ସେ ସେଠାରୁ ଗଲେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ । ଆଣ୍ଟଜେନ ରିପୋର୍ଟ ନେଗେଟିଭ ଆସିବା ପରେ ପୁଣି ଉତ୍କଳ, କେୟାର, ସମ୍ ଓ ବିବେକାନନ୍ଦ ହସପିଟାଲକୁ ଗଲେ । ହେଲେ କିଛି ସୁଫଳ ମିଳିଲାନି । ବୈଦ୍ୟନାଥଙ୍କୁ ପରିବାର ଲୋକେ ଶେଷରେ ସେପ୍ଟେମ୍ବର ୨୩ରେ କଟକ ବଡ ମେଡିକାଲକୁ ନେଇଗଲେ ।
ଛାତିରେ ଅସହ୍ୟ ଯନ୍ତ୍ରଣା ହେଉଥିବାରୁ ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆରଟିପିସିଆର ଟେଷ୍ଟ କରିବାକୁ କହିଲେ । ହେଲେ ଏହି ଟେଷ୍ଟ ହେବା ପୂର୍ବରୁ ସେଠାରେ ଛଟପଟ ହୋଇ ପ୍ରାଣ ହରାଇଲେ ବୈଦ୍ୟନାଥ । ତାଙ୍କ ଚାଲିଯିବା ପର ଠୁ ସ୍ତ୍ରୀ ରେବାରାଣୀ କୋମାରେ ଅଛନ୍ତି ।
‘‘ଏ ଭଳି ବିପଦ କାହାରିକୁ ନ ଆସୁ । ମୁଁ ଯେଉଁ ବିପଦର ସାମ୍ନା କରିଛି ତାହା ସବୁ ଠୁ କଷ୍ଟଦାୟକ । ଆଠଟି ହସପିଟାଲ ବୁଲିବା ଓ ନେହୁରା ହେବା ସତ୍ତ୍ୱେ ଶେଷରେ ମୋ’ ଦାଦା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଆାରପାରିକୁ ଚାଲିଗଲେ । ହସପିଟାଲ କର୍ତ୍ତୃପକ୍ଷଙ୍କ ବ୍ୟବହାର ମୋତେ ବିଚଳିତ କରିଛି କହିଛନ୍ତି ମୃତ ବୈଦ୍ୟନାଥଙ୍କ ପୁତୁରା ତପନ ସାମନ୍ତରାୟ ।

‘‘ଆଠଟି ହସପିଟାଲ ବୁଲି ନେହୁରା ହେଲି…’’ କହିଛନ୍ତି ମୃତ ବୈଦ୍ୟନାଥଙ୍କ ପୁତୁରା ତପନ ସାମନ୍ତରାୟ ।
ରାଜ୍ୟରେ କୋଭିଡ ଚିକିତ୍ସାରେ ବ୍ୟବସ୍ଥା ଓ ସାଧାରଣ ସ୍ବାସ୍ଥ୍ୟ ସେବା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ‘‘ରାଜ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନ ଥିବା ପରି ମନେ ହେଉଛି । ମନ୍ତ୍ରୀ ଥିଲେ ବି ଆଇ.ଏ.ଏସ୍. ଅଫିସରମାନେ ସବୁ କାମ ନିଜ ମନ ଇଚ୍ଛା କରୁଛନ୍ତି, କହିଛନ୍ତି ବିଜେପି ନେତା ନାୟକ ।
କଂଗ୍ରେସ ମଧ୍ୟ ଅନୁରୂପ ଭାବରେ ସ୍ବାସ୍ଥ୍ୟ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି ଓ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ସହ ପୂରା ବ୍ୟବସ୍ଥାକୁ ଲୋକଙ୍କ କଷ୍ଟ ପାଇଁ ଦାୟୀ କରିଛି । ‘‘ଲୋକଙ୍କୁ ମିଥ୍ୟା ଖବର ଦେଇ ସରକାର ଅଯଥାରେ ଇମୋସନାଲ ବ୍ଳାକମେଲ କରୁଛନ୍ତି,’’ କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ।
ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେହେଲେ ଶାସକ ଦଳ ବିଜେଡି ଏହି ସବୁ ଅଭିଯୋଗକୁ ଖାରଜ କରିଛି । ‘‘କୋଭିଡ ହେଉ କି ପ୍ରାକୃତିକ ବିପର୍ଯୟ, ତାକୁ ସଫଳତାର ସହ ମୁକାବିଲା କରିବାରେ ଓଡ଼ିଶା ସରକାର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ବିରୋଧୀଙ୍କ କୋଭିଡ ଚିକିତ୍ସା ସମ୍ବନ୍ଧୀୟ ଅଭିଯୋଗ ଅମୂଳକ,’’ କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।
ଦିନକୁ ଦିନ ଘରୋଇ ହସପିଟାଲଗୁଡ଼ିକ ବିରୋଧରେ ଆସୁଛି ଅଭିଯୋଗ ପରେ ଅଭିଯୋଗ । ସେମାନଙ୍କ ମନମାନିକୁ ନେଇ ବିରୋଧୀ ଦଳର ବିଧାୟକଙ୍କ ସହ ସାଧାରଣ ଲୋକେ ବି ପ୍ରଶ୍ନ ଉଠାଇଛନ୍ତି । ତେବେ ଏପରି ସ୍ଥିତିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଚକିତ କରିଛି । ହସପିଟାଲମାନଙ୍କର ମନମାନିକୁ ନେଇ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିବା ବେଳେ ମନ୍ତ୍ରୀଙ୍କ ଦେଖା ମିଳୁ ନ ଥିବାରୁ ସେ ଏବେ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।