ରାଜ୍ୟର ୪ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ସ୍ଥିର ଅଛି; ତିଆରି ହେଉଛି ସ୍ୱତନ୍ତ୍ର ଆକ୍ସନ୍ ପ୍ଲାନ୍

ଯେଉଁ ଜାଗାରେ କରୋନା ସଂକ୍ରମଣ ମାମଲା ବଢୁଛି ସେଠାରେ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ । ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୩୦ଟି ମାଇକ୍ରୋ-କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ହୋଇଛି ।

ରାଜ୍ୟର ୪ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ସ୍ଥିର ଅଛି; ତିଆରି ହେଉଛି ସ୍ୱତନ୍ତ୍ର ଆକ୍ସନ୍ ପ୍ଲାନ୍
ଗାଁ ଗାଁ ବୁଲି କରୋନା ଟେଷ୍ଟ କରାଯାଉଛି । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ଯରେ କରୋନା ଭାଇରସ୍ ସଂକ୍ରମଣ ଅଧିକ ଥିବା ଚାରିଟି ଜିଲ୍ଲାରେ – କଟକ, ଭଦ୍ରକ, ଖୋର୍ଦ୍ଧା ଓ ବାଲେଶ୍ଵର – ସଂକ୍ରମଣ କମି ବର୍ତ୍ତମାନ ସ୍ଥିର ଅବସ୍ଥାରେ ରହିଛି । ସେଇଥି ପାଇଁ ରାଜ୍ୟର କରୋନା ମୁକାବିଲାରେ ଏହି ପର୍ଯ୍ୟାୟରେ ଚିନ୍ତା ଟିକିଏ କମିଛି । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସର୍ଭେଲାନ୍ସ ଉପରେ ଜୋର୍ ଦେଉଥିବା ବେଳେ ବିଶେଷଜ୍ଞମାନେ କହିଛନ୍ତି ଯେ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଅଧିକ ହେବା ଦରକାର ।

ଟେଷ୍ଟ ପିଜିଟିଭ ହାର ଅଧିକ ରହୁଥିବା ଏହି ଚାରିଟି ଜିଲ୍ଲାରେ ସଂକ୍ରମଣ କମି ଆସି ଏବେ ପ୍ଲାଟୋ ଷ୍ଟେଜରେ ରହିବା ପରେ ଏହି ଜିଲ୍ଲାଗୁଡ଼ିକରେ ସର୍ଭେଲାନ୍ସକୁ ତ୍ୱରାନ୍ୱିତ କରୁଛି ସ୍ବାସ୍ଥ୍ୟ ବିଭାଗ । ଏବେ ଏହି ଚାରିଟି ଜିଲ୍ଲା ଉପରେ ଅଧିକ ଫୋକସ୍ ଦେଉଛି ସ୍ବାସ୍ଥ୍ୟ ବିଭାଗ ।

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ‘‘ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଆସନ୍ତା ଛଅରୁ ସାତ ସପ୍ତାହ ଭିତରେ ତୃତୀୟ ଲହର ଆସିବ ବୋଲି କହିଛନ୍ତି । କଟକଣା କୋହଳ ହେବା ପରେ ଲୋକଙ୍କ ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ । ଯେକୌଣସି ପାଣ୍ଡେମିକରେ ଏମିତି ଲହର ଆସେ । ମାତ୍ର ଆମେ ତା’ ପାଇଁ ପ୍ରସ୍ତୁତ ହେଉଛୁ । ସେଥି ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ବି ପ୍ରସ୍ତୁତ କରାଯାଉଛି ।’’

କରୋନା ବାବଦରେ ଲୋକମାନଙ୍କୁ ସଚେତନ କରାଯାଉଛି । (ପ୍ରତୀକାତ୍ମକ ଛବି)


ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ଅନୁସାରେ ଟିକାକରଣ ପ୍ରକ୍ରିୟା ଜାରି ରହିବ; ସର୍ଭିଲାନ୍ସ ଉପରେ ଫୋକସ୍ ରହିବ ଓ ଦରକାର ପଡ଼ିଲେ ଅଗଷ୍ଟ ପରେ ବି ସର୍ଭିଲାନ୍ସ ବଢ଼ାଯିବ । ରାଜ୍ୟରେ ଚିକିତ୍ସା ସୁବିଧା ଯାହା ରହିଛି ତାହା ରହିବ କାରଣ ସରକାରଙ୍କ କହିବା ଅନୁସାରେ ବର୍ତ୍ତମାନର ଆବଶ୍ୟକତା ତୁଳନାରେ ରାଜ୍ୟରେ ଯଥେଷ୍ଟ ଚିକିତ୍ସା ସୁବିଧା ରହିଛି ।

ଛୋଟ ପିଲାଙ୍କୁ କରୋନା ସଂକ୍ରମଣ ଅଧିକ ପ୍ରଭାବିତ କରିବାର ଆଶଙ୍କାଙ୍କୁ ଦୃଷ୍ଟିରେ ରଖି ରାଜ୍ୟରେ ଟ୍ରେନିଂ ମୋଡ଼ାଲିଟି ୫୦ ପ୍ରତିଶତ ଆଗେଇ ଗଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଡ଼ିଆଟ୍ରିକ୍ସ ଓ ଜେନେରାଲ ଏମ୍.ବି.ବି.ଏସ୍.ମାନଙ୍କୁ ଟ୍ରେନିଂ ଦିଆଯାଉଛି ।

ଯେଉଁ ଜାଗାରେ କରୋନା ସଂକ୍ରମଣ ମାମଲା ବଢୁଛି ସେଠାରେ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ । ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୩୦ଟି ମାଇକ୍ରୋ-କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ହୋଇସାରିଛି ଯାହା ଫଳରେ ସଂକ୍ରମଣ ମଧ୍ୟ ହ୍ରାସ ପାଉଛି ।

ମୂଖ୍ୟତଃ ଯେଉଁ ଚାରିଟି ଜିଲ୍ଲାରେ ସଂକ୍ରମଣ କମୁନି ସେଠି ମାଇକ୍ରୋ-କଣ୍ଟେନମେଣ୍ଟ ଜୋନକୁ ଜୋରଦାର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞମାନେ । ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଟିକାକରଣକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ବି ରହିଛି ଓ ଯେଉଁ ରାଜ୍ୟରେ ସଂକ୍ରମଣ ବଢୁଛି ସେ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ବି କଡ଼ା ନଜର ରଖିବା ଜରୁରୀ ବୋଲି କହିଛନ୍ତି ସେମାନେ ।

କରୋନା ଜନିତ ସୁସ୍ଥ ହାର ବୃଦ୍ଧି କରିବା ପାଇଁ ଗୋଆ ଓ ଓଡ଼ିଶା ସରକାର ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ଅକ୍ସଫାମ୍ ଇଣ୍ଡିଆର ଏକ ରିପୋର୍ଟରୁ ଜଣାପଡ଼ିଛି ।
Published by: Soumya Das
First published: July 20, 2021, 8:18 PM IST