News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୩୬୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୨,୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୬୪,୫୩୩ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ନଅ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡ଼ାରୁ ୨ଜଣ, ବାଲେଶ୍ବର, ଖୋର୍ଦ୍ଧା, ମାଲକାନଗିରି ଓ ସମ୍ବଲପୁରରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୫୮ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ତିନି ଜଣ ମୃତକଙ୍କ ମଧ୍ୟରୁ ଜଣେ ୬୮ ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇଜଣ ୬୮ ଓ ୭୯ ବର୍ଷୀୟ ପୁରୁଷ ଅଛନ୍ତି । ୬୮ ବର୍ଷୀୟା ମହିଳା କରୋନାରୀ ଅର୍ଟରୀ, ଉଚ୍ଚ ରକ୍ତଚାପ, ପାର୍କିନ୍ସନିଜିମ୍, ଅବଷ୍ଟ୍ରକ୍ଟିଭ୍ ସ୍ଲିପ ଆପ୍ନିଆ ରୋଗରେ ପୀଡ଼ିତ ଥିବା ବେଳେ ୬୮ ଓ ୭୯ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।
ରାୟଗଡ଼ା ଜିଲ୍ଲାରେ ଦୁଇଜଣ ମୃତକ ୬୫ ଓ ୬୮ ବର୍ଷୀୟ ପୁରୁଷ । ୬୫ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନଥିବା ବେଳେ ୬୮ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ବାଲେଶ୍ୱର ଜିଲ୍ଲାରେ ମୃତକ ଜଣେ ୬୨ ବର୍ଷୀୟ ପୁରୁଷ ଓ ସେ ବୋନମେଟାଷ୍ଟାସିସ୍, କାରସିନୋମା ପ୍ରୋଷ୍ଟେଟ୍ ରୋଗରେ ପୀଡ଼ିତ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ମୃତକ ଜଣେ ୮୧ ବର୍ଷୀୟ ପୁରୁଷ ଓ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ମାଲକାନଗିରି ଜିଲ୍ଲାରେ ମୃତକ ଜଣେ ୬୧ ବର୍ଷୀୟ ପୁରୁଷ ଓ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡ଼ିତ ଥିଲେ । ସମ୍ବଲପୁର ଜିଲ୍ଲାରେ ମୃତକ ଜଣେ ୪୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୪୧୬ ଜଣ ଅଛନ୍ତି । ବାକି ୮୨୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୪୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୪୬, ନୟାଗଡ଼ରୁ ୧୪୭, ବାଲେଶ୍ୱରରୁ ୧୩୦, ରାୟଗଡ଼ାରୁ ୧୨୦, କଟକର ୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୬, ବରଗଡ଼ରୁ ୫୧, ଭଦ୍ରକର ୭୩, ବଲାଙ୍ଗୀରରୁ ୬୬, ବୌଦ୍ଧରୁ ୫୩, ଢେଙ୍କାନାଳରୁ ୩୬, ଗଜପତିରୁ ୪୨, ଜଗତସିଂହପୁରରୁ ୨୬, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୯୦, କେନ୍ଦ୍ରପଡ଼ାରୁ ୭, କେନ୍ଦୁଝରରୁ ୭୨, କୋରାପୁଟରୁ ୯୧, ମାଲକାନିଗିରିରୁ ୫୫, ମୟୂରଭଞ୍ଜରୁ ୮୦, ନବରଙ୍ଗପୁରରୁ ୧୪, ନୂଆପଡ଼ାରୁ ୮, ପୁରୀରୁ ୪୦, ସମ୍ବଲପୁରରୁ ୫୩, ସୋନପୁର ୨୪ ଓ ସୁନ୍ଦରଗଡ଼ରୁ ୬୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୪୩,୭୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୨୦,୩୩୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୪ ଦିନ ହେବ ରାଜ୍ୟରେ ୨,୦୦୦ ଅଧିକ ଆକ୍ରାନ୍ତ ସଂଖ୍ୟା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।