News18 Odia Digital
ଭୁବନେଶ୍ୱର : ରାଜ୍ୟରେ ଆହୁରି ୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍। ଏଥି ସହ ମୃତ୍ୟୁ ସଂଖ୍ୟା ୩୩୩ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୨,୪୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଯାହା ଗୋଟିଏ ଦିନରେ ସର୍ବାଧିକ। ଏହାକୁ ମିଶାଇ ରାଜ୍ୟରେ ୫୭,୧୨୬ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ନଅ ଜଣଙ୍କ ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ଚାରିଜଣ, କଟକରୁ ୨ ଜଣ, ଗଞ୍ଜାମ, କେନ୍ଦୁଝରରୁ ଓ ନୟାଗଡ଼ରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୫୨କୁ ବୃଦ୍ଧି ପାଇଛି । ସମ୍ବଲପୁର ଜିଲ୍ଲାରେ ୨ ଜଣ ୬୫ ଓ ୫୦ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟ ଦୁଇଜଣ ୭୪ ଓ ୭୮ ବର୍ଷୀୟ ପୁରୁଷ ଅଛନ୍ତି । ୬୫ ଓ ୫୦ ବର୍ଷୀୟା ମହିଳା ଓ ୭୪ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୭୮ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।
କଟକ ଜିଲ୍ଲାରେ ୨ ଜଣ ମୃତକ ମଧ୍ୟରେ ଜଣେ ୬୭ ବର୍ଷୀୟା ମହିଳା ଓ ଅନ୍ୟଜଣେ ୫୦ ବର୍ଷୀୟ ପୁରୁଷ ଅଛନ୍ତି । ୬୭ ବର୍ଷୀୟା ମହିଳା ଉଚ୍ଚ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗ ରୋଗରେ ପୀଡ଼ିତ ଥିବା ବେଳେ ୫୦ ବର୍ଷୀୟ ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କେନ୍ଦୁଝର ଜିଲ୍ଲାରେ ମୃତକ ଜଣେ ୫୮ ବର୍ଷୀୟ ପୁରୁଷ ଓ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ। ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଦୁଇଜଣ ମୃତକ ୫୩ ଓ ୭୫ ବର୍ଷୀୟ ପୁରୁଷ ଓ ସେମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୫୯୧ ଜଣ ଅଛନ୍ତି । ବାକି ୯୦୫ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୩୨୭ ଜଣ, ବାଲେଶ୍ୱରରୁ ୧୬୫, ସୁନ୍ଦରଗଡ଼ରୁ ୧୫୬, ରାୟଗଡ଼ାରୁ ୧୪୬, କୋରାପୁଟ ୧୩୩, କଟକରୁ ୧୨୮, ବୌଦ୍ଧରୁ ୧୧୫, ଭଦ୍ରକରୁ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୨, ବରଗଡ଼ରୁ ୩୬, ବଲାଙ୍ଗୀରରୁ ୯୨, ଢେଙ୍କାନାଳର ୬୯, ଗଜପତିରୁ ୬୮, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୯୮, କେନ୍ଦ୍ରପଡ଼ାରୁ ୧୩, କେନ୍ଦୁଝରରୁ ୫୧, ମାଲକାନିଗିରିରୁ ୭୩, ମୟୁରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୪, ନୂଆପଡ଼ାରୁ ୧୬, ପୁରୀରୁ ୯୩, ସମ୍ବଲପୁରରୁ ୮୧ ଓ ସୋନପୁର ୨୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୩୯,୨୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୭,୫୩୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।