News18 Odia Digital
ଭୁବନେଶ୍ୱର : ରାଜ୍ୟରେ ଆହୁରି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍। ଏଥି ସହ ମୃତ୍ୟୁ ସଂଖ୍ୟା ୩୨୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୧,୯୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ୫୪,୬୩୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଦଶ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଚାରିଜଣ, ପୁରୀରୁ ୩ ଜଣ, ସୁନ୍ଦରଗଡ଼, କଟକ ଓ ସମ୍ବଲପୁରରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ୪ଜଣ ମୃତକ ମଧ୍ୟରେ (୬୦,୭୫, ୬୫ ଓ ୭୦) ବର୍ଷୀୟ ପୁରୁଷ ଅଛନ୍ତି । ୬୫ ଓ ୭୦ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। ୬୦ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିବାବେଳେ ୭୫ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।
ପୁରୀ ଜିଲ୍ଲାରେ ୩ ଜଣ ମୃତକ ମଧ୍ୟରେ ୫୦,୫୨ ଓ ୭୨ ବର୍ଷୀୟ ପୁରୁଷ ଅଛନ୍ତି । ୫୦ ବର୍ଷୀୟ ପୁରୁଷ ମଧୁମେହ, ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୭୨ ବର୍ଷୀୟ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ୫୨ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। କଟକ ଜିଲ୍ଲାରେ ମୃତକ ଜଣେ ୪୪ ବର୍ଷୀୟ ପୁରୁଷ ଓ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ସମ୍ବଲପୁର ଓ ସୁନ୍ଦରଗଡ଼ର ଦୁଇଜଣ ମୃତକ ୫୨ ଓ ୩୨ ବର୍ଷୀୟ ପୁରୁଷ ଓ ସେମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଜଣ ଅଛନ୍ତି । ବାକି ୭୩୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୮୦ ଜଣ, ମୟୂରଭଞ୍ଜରୁ ୧୨୦, ଭଦ୍ରକରୁ ୧୧୮, କଟକରୁ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨, ବାଲେଶ୍ୱରରୁ ୫୬, ବରଗଡ଼ରୁ ୨୨, ବଲାଙ୍ଗୀରରୁ ୭, ବୌଦ୍ଧରୁ ୫, ଦେଓଗଡ଼ରୁ ୨, ଢେଙ୍କାନାଳର ୪୦, ଗଜପତିରୁ ୯୩, ଜଗତସିଂହପୁରରୁ ୩୪, ଯାଜପୁରରୁ ୬୯, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୪୮,କନ୍ଧମାଳରୁ ୬୦, କେନ୍ଦ୍ରପଡ଼ାରୁ ୬, କେନ୍ଦୁଝରରୁ ୧୦, କୋରାପୁଟରୁ ୯୦, ମାଲକାନିଗିରିରୁ ୫୨, ନବରଙ୍ଗପୁରରୁ ୧୭, ନୟାଗଡ଼ରୁ ୭୫, ନୂଆପଡ଼ାରୁ ୨୦, ପୁରୀରୁ ୮୩, ରାୟଗଡ଼ାରୁ ୭୦, ସମ୍ବଲପୁରରୁ ୫୯ ଓ ସୋନପୁର ୭, ସୁନ୍ଦରଗଡ଼ରୁ ୮୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୩୭,୯୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୬,୩୫୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା। ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।