News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୮ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୩୮୦ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୨,୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୭୦,୦୨୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଆଠ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୪ଜଣ, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରେ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୬୬ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ଚାରି ଜଣ ମୃତକଙ୍କ ମଧ୍ୟରୁ ଜଣେ ୫୭ ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ତିନି ଜଣ ୪୮, ୮୨ ଓ ୬୨ ବର୍ଷୀୟ ପୁରୁଷ ଅଛନ୍ତି । ୫୭ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ହାଇପୋଥାଇରଏଡିଜିମ୍ ରୋଗରେ ପୀଡ଼ିତ ଥିଲେ । ୪୮ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହେ ଓ ମେଦବହୁଳତା ରୋଗରେ ପୀଡ଼ିତ ଥିଲେ । ସେହିପରି ୮୨ ବର୍ଷୀୟ ପୁରୁଷ ପୂର୍ବରୁ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲେବେଳେ ୬୨ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।
କଟକ ଜିଲ୍ଲାରେ ମୃତକ ଜଣେ ୮୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଢେଙ୍କାନାଳ ଜିଲ୍ଲାରେ ମୃତକ ଜଣେ ୫୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ମୃତକ ଜଣେ ୫୯ ବର୍ଷୀୟ ପୁରୁଷ ଓ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ। ପୁରୀ ଜିଲ୍ଲାରେ ମୃତକ ଜଣେ ୭୬ ବର୍ଷୀୟ ପୁରୁଷ ଓ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୭୯୨ ଜଣ ଅଛନ୍ତି । ବାକି ୧,୧୦୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୫୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୨୪୧, ନୟାଗଡ଼ରୁ ୨୩୨, ଗଞ୍ଜାମରୁ ୨୨୬, ବଲାଙ୍ଗୀରରୁ ୧୭୩, ବାଲେଶ୍ୱରରୁ ୧୪୦, କୋରାପୁଟରୁ ୧୩୨, ଭଦ୍ରକରୁ ୧୦୭, ରାୟଗଡ଼ାରୁ ୧୦୫, ପୁରୀରୁ ୧୦୪, ସୁନ୍ଦରଗଡ଼ରୁ ୧୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୬, ବରଗଡ଼ରୁ ୯, ଦେଓଗଡ଼ରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୫୩, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୯, ଝାରସୁଗୁଡ଼ାରୁ ୪୯, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୬୩, କେନ୍ଦ୍ରପଡ଼ାରୁ ୫୭, କେନ୍ଦୁଝର ୩୫, ମାଲକାନିଗିରିରୁ ୫୬, ମୟୂରଭଞ୍ଜ ୫୩, ନବରଙ୍ଗପୁରରୁ ୩୭, ନୂଆପଡ଼ାରୁ ୮, ସମ୍ବଲପୁରରୁ ୭୭, ସୋନପୁର ୨୩ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୪୬,୯୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୨୨,୬୫୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୬ ଦିନ ହେବ ରାଜ୍ୟରେ ୨,୦୦୦ ଅଧିକ ଆକ୍ରାନ୍ତ ସଂଖ୍ୟା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।