News18 Odia Digital
ଭୁବନେଶ୍ବର: ରାଜ୍ୟରେ ପୁଣି ଛଅ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ ମହାମାରୀ । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଗଞ୍ଜାମ ଜିଲ୍ଲାର ଏବଂ ଅନ୍ୟ ଜଣ ଗଜପତି ଜିଲ୍ଲାର ବାସିନ୍ଦା ଥିଲେ । ଏହି ଛଅ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ଟି ଜିଲ୍ଲାରୁ ଆଉ ୬୭୩ ଜଣ ନୂଆ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲାର ପାଞ୍ଚ ଜଣ ଯାକ ମୃତକ ପୁରୁଷ ଥିଲେ ଓ ସେମାନଙ୍କ ବୟସ ୭୦, ୪୦, ୪୨, ୫୪ ଓ ୫୨ ବର୍ଷ ଥିଲା । ଗଜପତି ଜିଲ୍ଲାରେ ଜଣେ ୫୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାର ୭୦ ଓ ୪୨ ବର୍ଷୀୟ ମୃତକ ମଧୁମେୟ ରୋଗରେ ପୀଡ଼ିତ ଥିବା ବେଳେ ୫୪ ବର୍ଷୀୟ ମୃତକ ଉଚ୍ଚ ରକ୍ତଚାପ ସହିତ ମଧୁମେୟ ରୋଗରେ ପୀଡ଼ିତ ଥିଲେ। ଗଜପତି ଜିଲ୍ଲାର ୫୫ ବର୍ଷୀୟା ମହିଳା ମଧୁମେୟ ରୋଗରେ ପୀଡ଼ିତ ଥିଲେ । ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କରୋନା କାରଣରୁ ସର୍ବାଧିକ ୬୦ ଜଣଙ୍କ ମୃତ୍ୟୁ ହେଲାଣି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆ ଚିହ୍ନଟ ହୋଇଥିବା ୬୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ଅଛନ୍ତି ୪୪୬ ଜଣ । ବାକି ୨୨୭ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୬୭୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ରେ ପହଞ୍ଚିଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଏହି ନୂଆ ୬୭୩ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୯ ଜଣ ଅଛନ୍ତି ଓ ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ ଅଛନ୍ତି । ଅନୁଗୁଳରୁ ୪ ଜଣ, ବାଲେଶ୍ୱରରୁ ୧୩, ବରଗଡରୁ ୨୨, ଭଦ୍ରକ ରୁ ୫୮, କଟକରୁ ୩୨, ଢେଙ୍କାନାଳରୁ ୧୦, ଗଜପତିରୁ ୧୫, ଜଗତସିଂହପୁରରୁ ୩୬, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୧୪, କନ୍ଧମାଳରୁ ୪୪ , କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୨୪, କୋରାପୁଟରୁ ୪୧, ମାଲକାନଗିରିରୁ ୪, ନବରଙ୍ଗପୁରରୁ ୧, ନୟାଗଡରୁ ୪, ପୁରୀରୁ ୪, ସମ୍ବଲପୁରରୁ ୩, ସୋନପୁର ୩, ସୁନ୍ଦରଗଡରୁ ୧୧ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଅଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩,୯୩,୬୦୨ଟି ନମୂନା ପରୀକ୍ଷଣ କରାଯାଇଛି । ସେଥି ମଧ୍ୟରୁ ୧୮,୧୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୪୫୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୯୭ ଜଣଙ୍କର ଜୀବନ ଯାଇଛି। ବର୍ତ୍ତମାନ ରାଜ୍ୟରେ ୫,୫୩୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏହା ବି ପଢ଼ନ୍ତୁ:
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ
ଏହା ବି ପଢ଼ନ୍ତୁ:
ଦିଲ୍ଲୀ AIIMSରେ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି
ରାଜ୍ୟରେ ଚଳିତ ମାସ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।