News18 Odia Digital
ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୪,୪୨୧ ଜଣ କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨୬ ଜଣଙ୍କୁ ଡିଚାର୍ଜ କରାଯାଇଥିବା ବେଳେ ୩,୯୮୧ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ମହାରାଷ୍ଟ୍ରରେ ଭୟଙ୍କର ରୂପ ନେଲାଣି ଏହି ଭୂତାଣୁର ସଂକ୍ରମଣ । ଭାରତର ଏହି ପଶ୍ଚିମୀ ରାଜ୍ୟରେ ଏ ପର୍ଯ୍ୟନ୍ତ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଗୁଜରାଟରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜଧାନୀ ଦିଲ୍ଲୀରେ ୭ ଜଣ, ମଧ୍ୟ ପ୍ରଦେଶରେ ୯ ଜଣ, ତେଲଙ୍ଗାନାରେ ୭ ଜଣ ଓ ପଞ୍ଜାବରେ ୬ ଜଣଙ୍କ ମୃତ୍ୟୁ ହେଲାଣି । ଦେଶରେ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ଆୟୋଜିତ ତବଲିଘି ଜମାତରୁ ଫେରିଥିବା ଲୋକ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ହୋଇଥିବାରୁ ଚିନ୍ତା ବଢ଼ିଛି ।
ଇତି ମଧ୍ୟରେ ସାରା ବିଶ୍ବକୁ ନିଜ କବଜାକୁ ନେଲାଣି କରୋନା ଭୂତାଣୁ । କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୭୪,୬୦୦ ଟପିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୪୪ ହଜାର ପାର୍ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୮ ହଜାର ୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଏହି ଘାତକ ଭାଇରସକୁ ନେଇ ୟୁରୋପରେ ଭୟଙ୍କର ସ୍ଥିତି ଦେଖାଦେଇଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୬,୫୦୦ ଅତିକ୍ରମ କରିଥିବା ବେଳେ ୧ ଲକ୍ଷ ୩୨ ହଜାର ଆକ୍ରାନ୍ତ ହୋଇଛନ୍ତି । ସ୍ପେନରେ ୧୩,୦୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ।
ଆମେରିକାରେ କରୋନାରେ ୧୦,୮୫୯ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୬ ହଜାର ଟପିଛି । ଫ୍ରାନ୍ସରେ ୮,୯୧୧ ଓ ବ୍ରିଟେନରେ ୫,୩୭୩ ଜୀବନ ନେଲାଣି କରୋନା ଭାଇରସ୍ । ତେବେ ଚୀନରେ ଏହି ଭୂତାଣୁର ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ଚୀନରେ କାହାରି ମୃତ୍ୟୁ ହୋଇ ନ ଥିବା ବେଳେ କୌଣସି ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ବି ହୋଇନାହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।