କରୋନା: କଟକ ବକ୍ସି ବଜାରରରୁ ଆଜି ରାତିରେ ସିଲ୍ ଉଠାଇବା ଉପରେ ବିଚାର କରୁଛି ପ୍ରଶାସନ

ପୂର୍ବରୁ ସଂଗୃହୀତ ସବୁ ନମୁନା ନେଗେଟିଭ୍ ଆସିଛି । ହେଲେ ଆଜି ସଂଗୃହିତ ହୋଇଥିବା ୫ ଜଣଙ୍କ ସ୍ବାବ୍ ପରୀକ୍ଷା ରିପୋର୍ଟ ଉପରେ ନିର୍ଭର କରୁଛି ବକ୍ସି ବଜାର ଅଞ୍ଚଳକୁ ସିଲ୍ ମୁକ୍ତ କରାଯିବ କି ନାହିଁ ।

କରୋନା: କଟକ ବକ୍ସି ବଜାରରରୁ ଆଜି ରାତିରେ ସିଲ୍ ଉଠାଇବା ଉପରେ ବିଚାର କରୁଛି ପ୍ରଶାସନ
ବସ୍କି ବଜାର କଣ୍ଟେନମେଣ୍ଟ୍ ଜୋନର ଜଣେ ବାସିନ୍ଦା ବାହାରକୁ ଅନେଇଛନ୍ତି ।
  • News18 Odia
  • Last Updated: April 11, 2020, 4:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ବକ୍ସି ବଜାରର କଣ୍ଟେନମେଣ୍ଟ୍ ଜୋନରୁ ସିଲ ଉଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଏହି ଅଞ୍ଚଳରେ ସଂଗୃହିତ ହୋଇଥିବା କରୋନା ଭାଇରସ୍‌ ସନ୍ଦିଗ୍ଧମାନଙ୍କ ସ୍ବାବ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ତଥା ପୂର୍ବରୁ ଆକ୍ରାନ୍ତ ଥିବା ବ୍ୟକ୍ତି ସୁସ୍ଥ ହେବା ପରେ ଏହି ଅଞ୍ଚଳରୁ ସିଲ ଉଠାଇବା ଦିଗରେ ପଦକ୍ଷେପ ଗ୍ରହଣ କରୁଛି ସିଏମସି ।

ଗତ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍ ଜୋନରେ ବସବାସ କରୁଥିବା ୫୦ରୁ ଉର୍ଦ୍ଧ ଲୋକଙ୍କ ସ୍ୱାବ୍‌ ସଂଗ୍ରହ କରାଯାଇଥିଲା । ଏଥିରେ ନିଜାମୁଦ୍ଦିନ ଫେରନ୍ତା ସମ୍ପୃକ୍ତ ଆକ୍ରାନ୍ତଙ୍କ ପରିବାର ଓ ପଡୋଶୀଙ୍କ ସ୍ବାବ୍ ମଧ୍ୟ ସାମିଲ ଥିଲା । ପରୀକ୍ଷା ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଫଳରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଏହି ଅଞ୍ଚଳରୁ ସିଲ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସିଏମସି ।

କିନ୍ତୁ ଆଜି ସଂଗୃହିତ ହୋଇଥିବା ୫ ଜଣଙ୍କ ସ୍ବାବ୍ ରିପୋର୍ଟ ଉପରେ ସବୁ କିଛି ନିର୍ଭର କରୁଛି । ଯଦି ଆଜି ସନ୍ଧ୍ୟା ସୁଦ୍ଧା ସେଗୁଡ଼ିକର ରିପୋର୍ଟ ମଧ୍ୟ ନେଗେଟିଭ୍ ଆସେ, ତେବେ ରାତି ସୁଦ୍ଧା ବକ୍ସିବଜାର ଅଞ୍ଚଳକୁ ସିଲ୍ ମୁକ୍ତ କରାଯିବ ବୋଲି ଜଣା ପଡିଛି ।

“ସିଲ୍ ହୋଇଥିବା ଅଞ୍ଚଳରେ ଆକ୍ଟିଭ୍ ସରଭେଲାନ୍ସ କରାଯାଇଥାଏ । ଏହି ବ୍ୟବସ୍ଥାରେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ଘରଘର ବୁଲି ବୁଲି କାହା ଠାରେ ଥଣ୍ଡା କାଶ ଓ ସର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଉଛି ତାଙ୍କ ସ୍କ୍ରିନିଂ କରିଥାନ୍ତି । ଏହି ପ୍ରକ୍ରିୟାରେ ୫୦ରୁ ଉର୍ଦ୍ଧ ଲୋକଙ୍କ ଠାରୁ ସଂଗୃହିତ ସ୍ବାବର ରିପୋର୍ଟ ନେଗେଟିଭ୍ ଆସିଛି । ସେଥି ପାଇଁ ଆମେ ଏହି ଅଞ୍ଚଳରୁ ସିଲ୍ ଉଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ । ତେବେ ଆଜି ସଂଗୃହିତ ହୋଇଥିବା ୫ ଜଣଙ୍କ ରିପୋର୍ଟ ପାଇବା ପରେ ହିଁ ବିଧିବଦ୍ଧ ନିଷ୍ପତି ଗ୍ରହଣ କରାଯିବ,” କହିଛନ୍ତି କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ ।

କଣ୍ଟେନମେଣ୍ଟ ଜୋନରେ ବାସିନ୍ଦାମାନେ ଆବଦ୍ଧ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି ।


ସେପଟେ ତାଙ୍କ ଅଞ୍ଚଳର ସମ୍ପୃକ୍ତ କୋଭିଡ୍-୧୯ ଆକ୍ରାନ୍ତ ରୋଗ ମୁକ୍ତ ହେବା ଏବଂ ପରୀକ୍ଷା ହୋଇଥିବା ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ଆଶ୍ୱସ୍ତ ହୋଇଛନ୍ତି କଣ୍ଟେନମେଣ୍ଟ୍ ଜୋନ୍ ବାସିନ୍ଦା । ଗତ କାଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ଖୁସି ପ୍ରକାଶ କରିଛନ୍ତି ସେମାନେ ।

“ଗତ ୫ ତାରିଖ ଦିନ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସେହି ଦିନ ଠାରୁ ଆମ ଅଞ୍ଚଳକୁ ସିଲ କରାଯାଇଛି । ଆବଦ୍ଧ ହୋଇ ରହିବା ଅପେକ୍ଷା ସଂକ୍ରମଣ ଭୟ ଆମକୁ ଅଧିକ ଥିଲା । କିନ୍ତୁ ଆମ ଅଞ୍ଚଳରେ ସଂକ୍ରମଣ ନ ଥିବା ଜାଣି କିଛିଟା ଚିନ୍ତା ମୁକ୍ତ ହୋଇଛୁ । ଏଥି ପାଇଁ ଆମେ ଏଠାରେ ନିୟୋଜିତ ହୋଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ,” କହିଛନ୍ତି କଣ୍ଟେନମେଣ୍ଟ ଜୋନ ବାସିନ୍ଦା କେ.କାମେଶ୍ବର ରାଓ ।

ଗତ ୫ ତାରିଖ ଦିନ ନିଜାମୁଦ୍ଧିନ ଫେରନ୍ତା ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ ହେବା ପରେ ପ୍ରାୟ ୧୦ ହଜାର ଲୋକ ବସବାସ କରୁଥିବା ବକ୍ସିବଜାର ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରି ସିଲ୍ କରିଥିଲା ପ୍ରଶାସନ । ଏହା ସହିତ ସେଠାରେ ଦୁଇଟି ଡାକ୍ତରୀ ଟିମ୍ ନିୟୋଜିତ କରିବା ସହ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
First published: April 11, 2020, 4:41 PM IST
corona virus btn
corona virus btn
Loading