ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»୩ ମାସ ପରେ କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍; ସିଡିଏ ସେକ୍ଟର ୯ର କିଛି ଅଞ୍ଚଳରେ ଲାଗିଲା କଟକଣା

୩ ମାସ ପରେ କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍; ସିଡିଏ ସେକ୍ଟର ୯ର କିଛି ଅଞ୍ଚଳରେ ଲାଗିଲା କଟକଣା

ଦୁଇ ଜଣ କର୍ମଚାରୀ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ହେବା ପରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ନୂଆ ରୋଗୀଙ୍କ ଭର୍ତ୍ତିକୁ ସାମୟିକ ଭାବେ ବନ୍ଦ କରାଯାଇଛି ।

୩ ମାସ ପରେ କଟକକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍; ସିଡିଏ ସେକ୍ଟର ୯ର କିଛି ଅଞ୍ଚଳରେ ଲାଗିଲା କଟକଣା
କଣ୍ଟେନମେଣ୍ଟ୍ ଜୋନରେ ସାନିଟାଇଜେସନ୍ କରାଯାଉଛି ।
  • News18 Odia
  • Last Updated: June 28, 2020, 11:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଜିଲ୍ଲା ପରେ ଏବେ କଟକ ସହର ଉପରେ କରୋନା ଭାଇରସ୍‌ ସଂକ୍ରମଣର କଳା ବାଦଲ ଘୋଟିଛି । ତିନି ମାସର ଏକ ଲମ୍ବା ବ୍ୟବଧାନ ପରେ କଟକ ସହରକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । ବଡ଼ମ୍ବା ଥାନା ଅଧିକାରୀ ପଜିଟିଭ ଚିହ୍ନଟ ହେବା ପରେ ସେ ରହୁଥିବା ସିଡିଏ ସେକ୍ଟର ୯ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ସି.ଏମ.ସି।

‘‘ଏହି ଅଞ୍ଚଳରେ ଜଣେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସିଡିଏ ସେକ୍ଟର ୯ର ଏହି ନିର୍ଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ମୋଟ ୩୮ଟି ଘର ରହିଛି । ସୋମବାର ସକାଳୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । କଣ୍ଟାକ୍ଟ ଟ୍ରେସିଂ ଶେଷ ନ ହେବା ପର୍ଯ୍ୟନ୍ତ ଏହି ଅଞ୍ଚଳରେ କଣ୍ଟେନମେଣ୍ଟ ଜାରି ରହିବ,’’ କହିଛନ୍ତି ସି.ଏମ.ସି.ର ଡେପୁଟି କମିଶନର ଡଃ ଅବିନାଶ ରାଉତ।

କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହିତ ଏହି ଅଞ୍ଚଳରେ ବସ ବାସ କରୁଥିବା ଲୋକଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧ ପହଞ୍ଚାଇବା ବ୍ୟବସ୍ଥା ହୋଇଛି । ପରିମଳ ବ୍ୟବସ୍ଥା ସମ୍ପାଦନା ପାଇଁ ସି.ଏମ.ସି.ର ଛଅ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ସହ ସେହି ଅଞ୍ଚଳକୁ ସାନିଟାଇଜ ମଧ୍ୟ କରାଯାଇଛି।

ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ର


ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଦୁଇ ଜଣ କର୍ମଚାରୀ ଆଜି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚାରି ଦିନ ତଳେ ପଜିଟିଭ ଚିହ୍ନଟ ହୋଇଥିବା ଜଣେ କର୍କଟ ରୋଗୀଙ୍କ ଚିକିତ୍ସା ଦାୟିତ୍ୱରେ ଥିଲେ ଏହି ଦୁଇ ଜଣ କର୍ମଚାରୀ । ପଜିଟିଭ ଚିହ୍ନଟ ହେବା ପରେ ଉଭୟଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

‘‘ଜଣେ କର୍କଟ ରୋଗୀ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହେବା ପରେ ଆମେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ କରିଥିଲୁ । ପ୍ରଥମ ପର୍ଯ୍ୟାୟରେ ୫୦ ଜଣ କଣ୍ଟାକ୍ଟ ଚିହ୍ନଟ ହେବା ପରେ ସେମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଥିଲୁ। ସେମାନଙ୍କ ମଧ୍ୟରୁ ୪୮ ଜଣଙ୍କ ରିପୋର୍ଟ ନେଗେଟିଭ ଆଉ ଏହି ଦୁଇ ଜଣଙ୍କ ପଜିଟିଭ ଆସିଛି । ସମସ୍ତେ ହୋମ କ୍ୱାରେଣ୍ଟିନରେ ଥିଲେ,’’ କହିଛନ୍ତି ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଜଣେ ଅଧିକାରୀ।

ଏହାରି ଭିତରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ନୂଆ ରୋଗୀଙ୍କ ଭର୍ତ୍ତିକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଏବେ କେବଳ ଓପିଡି ସେବା ଜାରୀ ରହିଛି । ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ କଟକ ଜିଲ୍ଲାରେ କୋଭିଡ଼ ମୃତ୍ୟୁ ସଂଖ୍ୟା ଏବେ ଚାରିରେ ପହଞ୍ଚିଛି ।
First published: June 28, 2020, 11:47 PM IST